କାଲିମେଳାରେ ନକ୍ସଲ୍‍ ପୋଷ୍ଟର: ଠିକାଦାରଙ୍କୁ ଚେତାବନୀ

0

କାଲିମେଳା: ସ୍ଥାନୀୟ ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟ ଗେଟ ସମ୍ମୁଖରେ ଏକ କେନ୍ଦୁ ଗଛରେ ନକ୍ସଲ୍‍ ପୋଷ୍ଟର ଦେଖିବାକୁ ମିଳିଛି। ପୋଷ୍ଟର ମାଧ୍ୟମରେ ଠିକାଦାର ଓ କେନ୍ଦୁପତ୍ର ମାଲିକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଚେତାବନୀ ଦିଆଯାଇଛି। ଶୁକ୍ରବାର ରାତିରେ ଲାଗିଥିବା ଏହି ପୋଷ୍ଟରରେ ସିପିଆଇ ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି ବୋଲି ଉଲ୍ଲେଖ ରହିଛି। ବିକାଶ ନାମରେ ଓ ପୁଲିସ ସମର୍ଥନରେ କାଲିମେଳାଠାରୁ କୁରୁବ ପର୍ଯ୍ୟନ୍ତ ନିର୍ମାଣାଧୀନ ପିଚୁ ରାସ୍ତା କାମ ବନ୍ଦ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି। ରାସ୍ତା କାମ ବନ୍ଦ ନ କଲେ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଠିକାଦାର ଉମରକୋଟର କମଳ ହାଲଦାରଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି। ସେହିପରି ଆଉ ଏକ ଧଳାକାଗଜରେ କେନ୍ଦୁ ପତ୍ର କିଣୁଥିବା ମାଲିକଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି। ଏଥିରେ କେନ୍ଦୁପତ୍ର ବିଡ଼ା ପିଛା ୫ ଟଙ୍କା ଦେବା, ଗତ ବର୍ଷର ବକେୟା ଟଙ୍କା ପ୍ରଦାନ ଓ ତୋଳାଳିମାନଙ୍କୁ ଅଗ୍ରୀମ ଟଙ୍କା ଦେବାକୁ ଦାବି କରାଯାଇଛି। ପୁଲିସ ପୋଷ୍ଟର ଜବତ କରିଛି।

Leave A Reply