ସରିଫ ଓ ଝିଅ ମାରୟାମ ଗିରଫ

0

ଲାହୋର : ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‍ ଦଣ୍ଡାଦେଶ ପାଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମାରୟାମଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସରିଫ ଓ ମାରୟାମ ଲଣ୍ଡନରୁ ଫେରି ଲାହୋର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ପାକିସ୍ତାନ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ସେମାନଙ୍କୁ ହେଲିକପ୍ଟର ଯୋଗେ ଇସଲାମାବାଦ ନିଆଯାଇଥିଲା। ସେଠାରେ ସେମାନଙ୍କୁ ନ୍ୟାସନାଲ ଆକାଉଣ୍ଟାବିଲିଟି କୋର୍ଟରେ ହାଜର କରାଯାଇଥିଲା। ପରେ ଉଭୟଙ୍କୁ ରାୱଲପିଣ୍ଡିସ୍ଥିତ ଆଡିଲାଜେଲ୍‍କୁ ପଠାଯାଇଛି। ସରିଫଙ୍କ ପତ୍ନୀ ବେଗମ୍‍ କୁଲସୁମ୍‍ କର୍କଟ ରୋଗରେ ପୀଡିତ ଥିବାବେଳେ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି।
ଉଭୟ ବାପ ଓ ଝିଅ ଶୁକ୍ରବାର ରାତି ପ୍ରାୟ ୯ଟା ୧୫ରେ ଲାହୋରସ୍ଥିତ ଆଲାମ୍‍ ଇକବାଲ ବିମାନବନ୍ଦରରେ ପହଞ୍ଚିଥିଲେ। ଦୁର୍ନୀତି ମାମଲାରେ ପାକିସ୍ତାନ ଅଦାଲତ ସରିଫଙ୍କୁ ୧୦ବର୍ଷ ଜେଲ୍‍ ଦଣ୍ଡାଦେଶ ଦେଇଥିବାବେଳେ ଝିଅ ମାରୟାମଙ୍କୁ ୭ବର୍ଷ ଜେଲ୍‍ ଦଣ୍ଡାଦେଶ ଦେଇଛନ୍ତି। ସରିଫ ଓ ମାରୟାମ୍‍ ଲଣ୍ଡନରେ ରହୁଥିବା କାରଣରୁ ପାକିସ୍ତାନ ପୁଲିସ ତାଙ୍କୁ ଗିରଫ କରିପାରି ନଥିଲା। ତେବେ ଶୁକ୍ରବାର ବାପ-ଝିଅ ଲଣ୍ଡନରୁ ପାକିସ୍ତାନ ଫେରୁଥିଲେ। ସରିଫ ଓ ମାରୟାମ ଲଣ୍ଡନରୁ ଇଟାୱା ଏୟାରୱେଜ୍‍ ଫ୍ଲାଇଟ୍‍ ଇୱାଇ ୨୪୩ ଯୋଗେ ଲଣ୍ଡନରୁ ଭାୟା ଆବୁଧାବି ହୋଇ ଫେରିଥିଲେ। ସରିଫଙ୍କ ଏହି ଆଗମନକୁ ନେଇ ଲାହୋରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବିମାନ ବନ୍ଦରକୁ ସାଧାରଣ ଲୋକଙ୍କ ଆଗମନ ଓ ପ୍ରସ୍ଥାନକୁ ନିଷେଧ କରାଯାଇଥିଲା। ସହରରେ ପ୍ରାୟ ୧୦ହଜାର ସୁରକ୍ଷାକର୍ମୀ ମୁତୟନ କରାଯାଇଥିଲା।
ସରିଫ ଓ ତାଙ୍କ ଝିଅଙ୍କ ସାମ୍ଭାବ୍ୟ ଗିରଫକୁ ନେଇ ଲାହୋରରେ ହିଂସାକାଣ୍ଡ ଘଟିଛି। ସରିଫଙ୍କ ଦଳ ପାକିସ୍ତାନ ମୁସଲିମ୍‍ ଲିଗ୍‍-ନୱାଜ (ପିଏମ୍‍ଏଲ-ଏନ)ର କର୍ମୀମାନେ ପୁଲିସ ଉପରକୁ ଟେକା ପଥର ମାଡ କରିଛନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଜୁଲାଇ ୨୫ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ଦେଶର ଶାସକ ଦଳ ପିଏମ୍‍ଏଲ-ଏନ ମୁଖ୍ୟ ଭାବେ ସରିଫ ଦଳର ଭାବମୂର୍ତ୍ତି ରକ୍ଷା କରିବା ଓ ନ୍ୟାୟପାଳିକାକୁ ସହଯୋଗ କରିବା ଲାଗି ପାକିସ୍ତାନ ଫେରିଛନ୍ତି।
ଅନ୍ୟପଟେ ଏପରି ଜଟିଳ ସମୟରେ ଦେଶର ଭାଗ୍ୟ ପରିବର୍ତ୍ତନ ଲାଗି ସରିଫ ନିଜ ସମର୍ଥକଙ୍କ ସହଯୋଗ ଲୋଡିଛନ୍ତି। ଝିଅ ମାରୟାମ୍‍ ଟୁଇଟ୍‍ କରିଥିବା ଏକ ଭିଡିଓ ବାର୍ତ୍ତାରେ ସରିଫ କହିଛନ୍ତି ଯେ ‘ଦେଶ ଏବେ ଜଟିଳ ପରିସ୍ଥିତି ଦେଇ ଗତିକରୁଛି। ମୁଁ ଜାଣିଛି ମୋତେ ୧୦ବର୍ଷ ଜେଲ୍‍ ଦଣ୍ଡ ହୋଇଛି।
ତେବେ ମୁଁ ଯାହା କରିଛି ତାହା ପାକିସ୍ତାନ ନାଗରିକଙ୍କ ପାଇଁ କରିଛି।’ ଲଣ୍ଡନ ଛାଡିବା ପୂର୍ବରୁ ସରିଫ କହିଥିଲେ ଯେ ସମ୍ପୂର୍ଣ୍ଣ ପାନାମା ମାମଲା ଏକ ରାଜନୈତିକ ଚକ୍ରାନ୍ତ। ଏହା କୌଣସି ମାମଲା ନୁହେଁ କି ଏହା କୌଣସି ରାୟ ନୁହେଁ। ରାଜନୈତିକ ପ୍ରତିଶୋଧ ପାଇଁ ଏହା ଏକ ଚକ୍ରାନ୍ତ। ପାକିସ୍ତାନରେ ସଶକ୍ତ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ଚାହୁଁଥିବାରୁ ମୋ ଉପରେ ପ୍ରତିଶୋଧ ନିଆଯାଉଛି।

ଦୁଇ ନାତି ବ୍ରିଟେନରେ ଗିରଫ
ଲଣ୍ଡନ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦୁଇ ନାତିକୁ ଶୁକ୍ରବାର ଲଣ୍ଡନ ପୁଲିସ ଗିରଫ କରିଛି। ଗଣ୍ଡଗୋଳ ଓ ମାରପିଟ୍‍ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ ସରିଫଙ୍କ ଝିଅ ମାରିୟାମଙ୍କ ପୁଅ ଜୁନେଦ ସଫଦାର ଓ ପୁଅ ହୁସେନ ନୱାଜଙ୍କ ପୁଅ ଜେଦ୍‍ ହୁସେନ ଓରଫ ଜାକାରିୟାଙ୍କୁ ଗିରଫ କରାଯାଇଛି। ଲଣ୍ଡନସ୍ଥିତ ଆଭେନଫିଲ୍ଡ ହାଉସ୍‍ ବାହାରେ ପାକିସ୍ତାନ ତେହରିକ-ଇ-ଇନସାଫ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ନୱାଜଙ୍କ ଦୁଇ ନାତି ସେମାନଙ୍କୁ ମାରପିଟ୍‍ କରିଥିଲେ। ଏଥିରେ ଜଣେ ଆହତ ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି। ଆଭେନଫିଲ୍ଡ ହାଉସରେ ସରିଫଙ୍କ ପରିବାରର ୪ଟି ଆପାର୍ଟମେଣ୍ଟ ରହିଛି।

Leave A Reply