ପ୍ରାକୃତିକ ସମ୍ପଦର ସୁବିନିଯୋଗ ସହ ଯୁବ ମାନବ ସମ୍ବଳର ଦକ୍ଷତା ବିକାଶ ଉପରେ ଗୁରୁତ୍ୱ

0

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ଶିଳ୍ପ ମହାକୁମ୍ଭ ବା ‘ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ-୨୦୧୮’ର ଦ୍ୱିତୀୟ ଦିନରେ ସୋମବାର ଉଦ୍ୟୋଗ କ୍ଷେତ୍ରର ଅଗ୍ରଣୀ ନେତୃବୃନ୍ଦ ଯୋଗଦେଇଥିଲେ। ତେବେ ସ୍କୁଲ ସମୟର ଖାଇବା ଛୁଟି ପୂର୍ବ ପରିୟଡ୍‍ର ଅଭିଜ୍ଞତା ଆମ ସମସ୍ତଙ୍କୁ ଜଣା। ସେହି ସମୟରେ ଆମେ ସମସ୍ତେ ଭୋକିଲା ଓ ଅବଶ ଥାଉ। ସ୍କୁଲ ବେଳର ଏହି ଘଟଣାକୁ ମନେ ପକାଇ ଦେଇ ମଞ୍ଚରେ ଉପସ୍ଥିତ ଉଦ୍ୟୋଗପତିମାନଙ୍କୁ ସମ୍ବୋଧନ କରିବା ପୂର୍ବରୁ ସଭା ପରିବେଶକୁ କିଛିଟା ସରସ ଓ ହାଲୁକା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଥିଲେ। ସେ କହିଥିଲେ ଯେ ଦୀର୍ଘ ଅଧିବେଶନର ଅନ୍ତିମ ପର୍ଯ୍ୟାୟରେ ମୁଁ ଲମ୍ବା ଭାଷଣ ରଖିବାକୁ ଉଚିତ୍‍ ମଣୁନାହିଁ । ବରଂ ଓଡ଼ିଶାରେ ପୁଞ୍ଜିନିବେଶ, ଶିଳ୍ପ, ପର୍ଯ୍ୟଟନ ସହିତ ବିଭିନ୍ନ ପ୍ରସଙ୍ଗରେ ଯଦି କିଛି ପ୍ରଶ୍ନ ଥାଏ ତେବେ ବିନା ଦ୍ୱିଧାରେ ପଚାରିବା ପାଇଁ ସେ ଶିଳ୍ପପତିମାନଙ୍କୁ ଆହ୍ୱାନ କରିଥିଲେ। ତେବେ ପ୍ରଥମେ କିଛି ମୁହୂର୍ତ୍ତ ପାଇଁ କୌଣସି ପ୍ରଶ୍ନ ଆସି ନଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପରିସ୍ଥିତିକୁ କିଛିଟା ହାଲୁକା କରିବାକୁ ଯାଇ କହିଥିଲେ ଯେ କ’ଣ ଆପଣମାନଙ୍କର ମୋ ପାଇଁ କିଛି ପ୍ରଶ୍ନ ନାହିଁ କି?  ଏହା ପରେ ଶିଳ୍ପପତିଙ୍କ ଆଡ଼ୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଆସିଥିଲା। ବେଦାନ୍ତର ଅନୀଲ ଅଗ୍ରୱାଲ, ରିଲାଏନ୍ସର ମୁକେଶ ଅମ୍ବାନୀ, ଜେଏସ୍‍ଡବ୍ଲୁ ଗ୍ରୁପ୍‍ର ସଜ୍ଜନ ଜିନ୍ଦଲ, ଆପୋଲୋ ହସପିଟାଲର ସଙ୍ଗୀତା ରେଡ୍ଡୀ ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରଶ୍ନ ଉପସ୍ଥାପନ କରିଥିଲେ।
ଅନୀଲ୍‍ ଅଗ୍ରୱାଲ: ଆପଣ ଶିଳ୍ପ ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କରୁଛନ୍ତି। ତେବେ ଚିଲିକା ହ୍ରଦ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଥିବା ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପକୁ ଆପଣ କିପରି ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହାକୁ ନେଇ ଆପଣଙ୍କର ଭବିଷ୍ୟତ ଯୋଜନା କ’ଣ ରହିଛି?
ମୁଖ୍ୟମନ୍ତ୍ରୀ: ଆମ ରାଜ୍ୟରେ ୫୦୦ କିଲୋ ମିଟର ପରିବ୍ୟାପ୍ତ ସମୁଦ୍ର ତଟ ସହିତ ବିଶାଳ ଚିଲିକା ହ୍ରଦ, ସୁଦୃଶ୍ୟ ସମୁଦ୍ର ତଟ, ବନ୍ୟପ୍ରାଣୀ ପାର୍କ ରହିଛି। ଏଠାରେ ପର୍ଯ୍ୟଟନ ଶିଳ୍ପକୁ ନେଇ ଅନେକ ସମ୍ଭାବନା ସୃଷ୍ଟି ହୋଇ ପାରିବ। ତେଣୁ ଏହାର ସମୃଦ୍ଧି ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ଏବଂ ଆଗାମୀ ଦିନରେ ଏହାର ସୁଫଳ ଦେଖିବାକୁ ମିଳିବ।
ସଜ୍ଜନ ଜିନ୍ଦଲ: ରାଜ୍ୟରେ ଶିଳ୍ପାୟନ ସମୃଦ୍ଧ ହେଉଥିବା ବେଳେ ଦକ୍ଷତା ବିକାଶ ପ୍ରମୁଖତା ବହନ କରୁଛି। ଏଥିପାଇଁ ଆପଣଙ୍କର ଯୋଜନା କ’ଣ ରହିଛି ବୋଲି ସେ ପ୍ରଶ୍ନ କରିଥିଲେ।
ମୁଖ୍ୟମନ୍ତ୍ରୀ: ଦକ୍ଷତା ବିକାଶ ପାଇଁ ଆମେ ବେଶ୍‍ ଦକ୍ଷ ଯୋଜନା ପ୍ରସ୍ତୁତ କରିଛୁ। ଏହି କ୍ରମରେ ସିଙ୍ଗାପୁର ସହ ଏକ ସହଭାଗିତା କାର୍ଯ୍ୟକ୍ରମରେ ସେଠାକୁ ଆମର ୧୦୦ ଶିକ୍ଷକ ପ୍ରଶିକ୍ଷଣ ପାଇଁ ଯାଇଥିଲେ। କହିବାକୁ ଗଲେ ଏ ଦିଗରେ ଆମେ ଏଥିପାଇଁ ଏପରି ଭାବେ କାର୍ଯ୍ୟ କରୁଛୁ ଯାହାକୁ ଦେଖି ‘ଆପଣ କ’ଣ ଓଡ଼ିଶାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଇଛନ୍ତି କି’ ବୋଲି ଲୋକେ ପ୍ରଶ୍ନ କରିବେ ବୋଲି ଆମର ବିଶ୍ୱାସ। ଏଥିପାଇଁ ଆମେ କଠିନ ଅଧ୍ୟବସାୟ ଜାରି ରଖିଛୁ।


ସଙ୍ଗୀତା ରେଡ୍ଡୀ: ୨୦୦୯ ମସିହାରେ ଆମେ ଭୁବନେଶ୍ୱରରେ ପ୍ରଥମ ହସପିଟାଲ ପ୍ରତିଷ୍ଠା କରିବା ପର ଠାରୁ ଏହି ସହର ଅଧିକ ସବୁଜ, ନିର୍ମଳ ଓ ସୁନ୍ଦର ହୋଇଛି। ଏଠାକୁ ଆସିଥିବା ଶିଳ୍ପପତି ସମୂହ ମଧ୍ୟ ଏହାକୁ ସ୍ୱୀକାର କରିବା ସହ ଏକ ଶୁଦ୍ଧ ବାତାବରଣ ମଧ୍ୟରେ ନିଃଶ୍ୱାସ ନେବାର ସୁଯୋଗ ପାଇଥିବା ଦେଖା ଯାଇପାରେ। ସମଗ୍ର ଓଡ଼ିଶାର ପରିବେଶ ଓ ସ୍ୱାସ୍ଥ୍ୟ ସେବାକୁ ନେଇ ଆପଣଙ୍କର କ’ଣ ନୀତି ରହିଛି?
ମୁଖ୍ୟମନ୍ତ୍ରୀ: କହିଥିଲେ ଯେପର୍ଯ୍ୟନ୍ତ ପରିବେଶ କଥା ରହିଛି, ଓଡ଼ିଆ ଲୋକେ ଗଛକୁ ବହୁତ ଭଲପାଆନ୍ତି ଏବଂ ସମଗ୍ର ଦେଶରେ ଅଳ୍ପ କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ରାଜ୍ୟ ଯେଉଁଠାରେ ସବୁଜ ବଳୟ ଅଭିବୃଦ୍ଧି ଜାତୀୟ ହାର ଠାରୁ ଅଧିକ। ସେହିପରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ଆମେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛୁ ଯାହା କେବଳ ଏକ ସ୍ୱାସ୍ଥ୍ୟ ବୀମା ନୁହେଁ। ଯେତେବେଳେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ, ଆମର ସ୍ୱାସ୍ଥ୍ୟ ଯୋଜନା ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରିପାରିଛି।
ମୁକେଶ ଅମ୍ବାନୀ: ମୁଁ ଭାବୁଛି ଯେ ବିଶ୍ୱ ପୁଞ୍ଜି ବିନିଯୋଗକାରୀ ଓଡ଼ିଶାକୁ ନେଇ ବେଶ୍‍ ଉତ୍ସାହିତ ଅଛନ୍ତି। ଏହାକୁ ନେଇ ଆଗାମୀ ୩ରୁ ୫ ବର୍ଷ ମଧ୍ୟରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିବା ପାଇଁ ଆପଣ କେଉଁ କ୍ଷେତ୍ରକୁ ଗୁରୁତ୍ୱ ଦେବେ? ଦ୍ୱିତୀୟ ପ୍ରଶ୍ନ ହେଉଛି ଆପଣ ଶିକ୍ଷା ଓ କ୍ରୀଡ଼ାକୁ ନେଇ ବେଶ୍‍ ଆଶାବାଦୀ ଅଛନ୍ତି। ଏପରିସ୍ଥଳେ ଆମ ଭଳି ଶିଳ୍ପପତି ଏହି ଦୁଇ କ୍ଷେତ୍ରକୁ କିପରି ଯୋଗଦାନ କରି ପାରିବେ?
ମୁଖ୍ୟମନ୍ତ୍ରୀ: ସର୍ବପ୍ରଥମେ ଆମେ ଆମ ରାଜ୍ୟରେ ମହଯୁଦ ଥିବା ପ୍ରାକୃତିକ ସମ୍ବଳର ସହାୟତା ନେବାକୁ ଚାହିଁବୁ। ଖଣିଜ ସମ୍ପଦର ଉନ୍ନତି ହେବା ଉଚିତ ଏବଂ ଏହା ଜରିଆରେ ଆମ ଲୋକମାନଙ୍କୁ ରୋଜଗାର ଯୋଗାଇବା ଆମର ଲକ୍ଷ୍ୟ। ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ଏଥିରେ ଆମକୁ ଅନେକ ସଫଳତା ହାସଲ ହେଲାଣି। ଯେପର୍ଯ୍ୟନ୍ତ କ୍ରୀଡ଼ା କଥା ରହିଛି, କ୍ରୀଡ଼ା ହେଉଛି ଯୁବଗୋଷ୍ଠୀଙ୍କ ପାଇଁ ଆଉ ଯୁବଗୋଷ୍ଠୀ ହେଉଛନ୍ତି ଭବିଷ୍ୟତ ପାଇଁ। ତେଣୁ କ୍ରୀଡ଼ାରେ ନିବେଶର ଅର୍ଥ ଯୁବସମାଜରେ ନିବେଶ ଏବଂ ଯୁବସମାଜରେ ନିବେଶ ଅର୍ଥ ହେଉଛି ଭବିଷ୍ୟତ ପାଇଁ ପୁଞ୍ଜିନିବେଶ କରିବା। ତେଣୁ କ୍ରୀଡ଼ାର ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି। ତେଣୁ ରାଜ୍ୟରେ ଅତ୍ୟାଧୁନିକ ବନ୍ଧୁକ ଚାଳନା ଅନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ମୁଁ କୁମାର ମଙ୍ଗଳମ ବିର୍ଲାଙ୍କୁ ଧନ୍ୟବାଦ ଜଣାଉଛି। ଆମର ବିଶ୍ୱାସ ଯେ ଆମେ ବହୁ ମହାନ୍‍ କ୍ରୀଡ଼ାବିତ୍‍ ସୃଷ୍ଟି କରି ପାରିବୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଚଳିତ ମାସ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍‍ ଆୟୋଜନ କରାଯାଉଛି।

Leave A Reply