ବିମାନବନ୍ଦର ଗଲେନି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କ ସମେତ ବିଜେପିର କିଛି ନେତା ବିମାନବନ୍ଦରରେ ସ୍ୱାଗତ କରିଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭୁବନେଶ୍ୱର ମହାନଗର ନିଗମର ମେୟର ଯାଇ ନଥିବାରୁ ଏଥିନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ସରକାରୀ କାର୍ୟ୍ୟକ୍ରମ ନଥିବାରୁ ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବାକୁ ଯାଇ ନଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ମେୟର ଅନନ୍ତନାରାୟଣ ଜେନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ୟ୍ୟକ୍ରମ ସରକାରୀ ନଥିବାରୁ ତାଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦରକୁ ଯିବା ନିମନ୍ତେ ତାଙ୍କ ନିକଟକୁ ଦିଲ୍ଲୀରୁ କୌଣସି ସୂଚନା ଆସି ନଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରକାରୀ ନଥିଲା। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସରକାରୀ ଗସ୍ତ କାର୍ୟ୍ୟକ୍ରମରେ ଆସିଲେ ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରକୁ ସ୍ୱାଗତ ପାଇଁ ଯାଇଥାନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପୂର୍ଣ୍ଣ ଦଳୀୟ କାର୍ୟ୍ୟକ୍ରମ ଥିବାରୁ ସେଠାକୁ ପ୍ରୋଟୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ କିମ୍ବା ମେୟର ଯାଇ ନଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସରକାରୀ ନଥିବାରୁ ତାଙ୍କ ପାଇଁ ଆଜି ଗାର୍ଡ଼ ଅଫ ଅନର କିମ୍ବା ରେଡ଼ କାର୍ପେଟ ସମ୍ମାନ ପ୍ରଦର୍ଶନର କୌଣସି ଆୟୋଜନ ଦେଖିବାକୁ ମିଳି ନଥିଲା।

Leave A Reply