ସଫଳ ହେଲା ନବୀନଙ୍କ ‘ମିଶନ ଶକ୍ତି ଷ୍ଟ୍ରୋକ’

ବ୍ରହ୍ମପୁର: ଚଳିତ ନିର୍ବାଚନରେ ବିଜେଡି ଅତି ସୁଚିନ୍ତିତ ଉପାୟରେ ଖେଳିଥିବା ମହିଳା କାର୍ଡର ସମ୍ପୂର୍ଣ୍ଣ ଫାଇଦା ଉଠାଇଛି। ମିଶନ ଶକ୍ତିକୁ ବିଜେଡି ଅଧିକ ସଶକ୍ତ କରିବାକୁ ଲକ୍ଷ୍ୟ ରଖି ଆସିକା ସଂସଦୀୟ କ୍ଷେତ୍ରରେ ନିପଟ ମଫସଲର ସ୍ୱୟଂସହାୟକ ଗୋଷ୍ଠୀର ବରିଷ୍ଠ ସଦସ୍ୟା ପ୍ରମିଳା ବିଷୋୟୀଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା। ନିର୍ବାଚନରେ ମହିଳାଙ୍କ ପାଇଁ ଶତକଡା ୩୩ ଭାଗ ଆସନ ସଂରକ୍ଷଣ ନାରା ଦେଇ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ଅନ୍ୟ ଦଳକୁ ଚକମା ଦେଇ ଜଣେ ନିପଟ ମଫସଲୀ ମହିଳାଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରି ବିଜେଡି ସୁପ୍ରିମୋ ମାଷ୍ଟର ଷ୍ଟ୍ରୋକ ଖେଳିଥିଲେ। ଯାହାର ସୁଫଳ ଆଜି ଜନାଦେଶରୁ ବିଜେଡିକୁ ମିଳିଛି। ମିଶନ ଶକ୍ତି ପ୍ରଭାବରେ ଗଞ୍ଜାମ ଜିଲାରେ ବିଜେଡିର ୪ଜଣ ମହିଳା ପ୍ରାର୍ଥିନୀ ବିଜୟୀ ଅଭିମୁଖେ ଅଗ୍ରସର ହୋଇଛନ୍ତି।
ରାତି ସାଢେ ୮ଟା ସୁଦ୍ଧା ଘୋଷିତ ଫଳାଫଳ ସଂଖ୍ୟା ଅନୁଯାୟୀ ସୋରଡା ବିଧାନସଭା କ୍ଷେତ୍ରରେ ଆସିକା ବିଜେଡି ସାଂସଦ ପ୍ରାର୍ଥିନୀ ପ୍ରମିଳା ବିଷୋୟୀ ୬୫, ୫୦୬ ଖଣ୍ଡ ଭୋଟ ପାଇଥିବା ବେଳେ ଆସିକା ବିଧାନସଭା କ୍ଷେତ୍ରରୁ ୬୫, ୫୦୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ହିଞ୍ଜିଳରୁ ସେ ୯୨,୪୨୦, କବିସୂର୍ଯ୍ୟନଗରରୁ ୭୫୩୫୩, ପୋଲସରାରୁ ୭୧୮୪୯ ଓ ଖଲ୍ଲିକୋଟରୁ ୮୨୦୫୩ ଖଣ୍ଡ ଭୋଟ ପାଇଛନ୍ତି।
ମିଳିଥିବା ସୂଚନା ପ୍ରକାରେ ପ୍ରମିଳା ରାତି ସାଢେ ୮ଟା ସୁଦ୍ଧା ମୋଟ ୪ଲକ୍ଷ ୩୮ ହଜାର ୫୮୩ ଖଣ୍ଡ ଭୋଟ ପାଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପ୍ରାୟ ଦେଡଲରୁ ଊର୍ଦ୍ଧ୍ବ ଭୋଟରେ ଆଗୁଆ ରହିଛନ୍ତି।
ସଫଳ ଏସ୍‍ଏଚ୍‍ଜି ଗ୍ରୁପର ରାଜ୍ୟ ପୁରସ୍କୃତ ବୟସ୍କ ମହିଳା ପ୍ରମିଳାଙ୍କୁ ପଲ୍ଲୀରୁ ଦିଲ୍ଲୀକୁ ପଠାଇବାକୁ ବିଜେଡି କରିଥିବା ପ୍ରୟାସ ବାସ୍ତବ ରୂପ ନେଇଛି। ଅଖ୍ୟାତପଲ୍ଲୀ ଚେରମାରିଆ ଗାଁରେ ପ୍ରମିଳାଙ୍କ ଘର। ଗଞ୍ଜାମ ବିଜେଡିରେ ଆଗଧାଡିରେ ରହିଥିବା ମହିଳା ନେତ୍ରୀଙ୍କୁ ପଛରେ ପକାଇ ଆସିକା ବ୍ଲକ ଅନ୍ତର୍ଗତ ନଳବଣ୍ଟା ପଞ୍ଚାୟତର ଚେରମାରିଆ ଗ୍ରାମର ପ୍ରମିଳା ବିଷୋୟୀ ଓରଫ ପରି ମା’ ଆଜି ଆସିକା ଭଳି ଏକ ସମ୍ବଦେନଶୀଳ ଲୋକସଭା ଆସନରୁ ବିଜୟୀ ଅଭିମୁଖେ ଅଗ୍ରସର ହୋଇ ସମଗ୍ର ଜିଲା କାହିଁକି ସାରା ଦେଶ ପାଇଁ ଉଦାହରଣ ପାଲଟିଛନ୍ତି।
ସାଂସଦ ପ୍ରାର୍ଥୀ ଶ୍ରୀମତୀ ପ୍ରମିଳା ବିଷୋୟୀ ୭୦ ବର୍ଷ ତଳେ ଖଣ୍ଡଦେଉଳି ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣୋଳୀ ଗ୍ରାମର ପିତା ସ୍ୱର୍ଗତ ଶିବ ସ୍ୱାଇଁ ଓ ମାତା ସ୍ୱର୍ଗତ ବାଉରାଣୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ। ଗାଁ ଚାଟଶାଳୀରେ ନାମ ଲେଖାଇ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ପିଲାଟିଦିନରୁ ସେ ଗାଁ ମଣ୍ଡପରେ ପୁରାଣ ପାଠ କରୁଥିଲେ। ସଭା ସମିତିରେ ନିର୍ଭୀକ ବକ୍ତୃତା ଦେବା ସହ ହଠାତ ବିଭିନ୍ନ ସଭାସମିତିରେ ତତ୍କାଳ ଗୀତ ଲେଖି ପାଠ କରିିବାର ଦକ୍ଷତା ରଖିଛନ୍ତି। ଚେରମାରିଆ ଗ୍ରାମର କ୍ଷୁଦ୍ର ଜଳସେଚନ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ବାଞ୍ଝାନିଧି ବିଷୋୟୀଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ପ୍ରମିଳାଙ୍କ ଦୁଇଟି ପୁଅ, ଦୁଇଟି ଝିଅ ଓ ୧୭ ଜଣ ନାତି, ନାତୁଣୀ ଓ ପଣି ନାତୁଣି ରହିଛନ୍ତି। ସ୍ୱାମୀଙ୍କ ପୈତୃକ ସମ୍ପତ୍ତି ଚେରମାରିଆ ନିକଟ ଋଷିକୁଲ୍ୟା ନଦୀ ଅବବାହିକାରେ ଥିବା ମାତ୍ର ଏକ ଏକର ଜମିରେ ପ୍ରମିଳା ଚାଷ କରି ଘର ଚଳାଉଥିଲେ। ଚାଷ କାର୍ଯ୍ୟରେ ଭଲ ଫସଲ ଫସଲ ଅମଳ କରି ବ୍ଲକରେ ପୁରସ୍କାର ପାଇବା ପରେ ପ୍ରମିଳାଙ୍କୁ ପୁରସ୍କାର ନିଶା ଘାରିଥିଲା। ବାସ୍‍ ତା ପରଠାରୁ ସେ ଆଉ ପଛକୁ ଫେରିନଥିଲେ। ଗାଁ ମୁଣ୍ଡରେ ଥିବା ପାକିଡି ପର୍ବତମାଳା ବୃକ୍ଷଶୂନ୍ୟ ହୋଇ ପରିବେଶ ନଷ୍ଟ ହେବାରୁ ବାଇମୁଣ୍ଡିଙ୍କୁ କଟକ ଚିନ୍ତା ନୀତିରେ ସେ ଉଜୁଡା ଜଙ୍ଗଲ ପାକିଡିକୁ ସବୁଜଜିମା କରିଥିଲେ। ସବୁଜିମା ପରେ ଆଜି ଏହି ପାକିଡି ଜଙ୍ଗଲ ରାଜ୍ୟରେ ଏକ ମୟୂର ବିଚରଣ ସ୍ଥଳ ଭାବେ ଖ୍ୟାତି ଅର୍ଜନ କରିଛି। ପ୍ରମିଳା ମୟୂର ସୁରକ୍ଷା ସମିତିର ଜଣେ ସକ୍ରିୟ ସଭ୍ୟା। ଅନେକ ପୁରସ୍କାର ସାଙ୍ଗକୁ ଅଫିସରଙ୍କ ଲମ୍ବା ଧାଡି ତାଙ୍କ ନିକଟକୁ ଆସିଥିଲା। ଏହାପରେ ବିଜୁ ଜନତା ଦଳର ମହିଳା ସଶକ୍ତିକରଣ ଅଭିଯାନ ତାଙ୍କୁ ସର୍ବୋଚ୍ଚ ପାହାଚ ଚଢିବାରେ ଆଉ ଏକ ବାଟ ମିଳି ଯାଇଥିଲା। ଗ୍ରାମାଞ୍ଚଳର ମହିଳାଙ୍କୁ ନେଇ ସେ ଆରମ୍ଭ କରିଥିଲେ ଚେରମାରିଆ ସାତଶଙ୍ଖ ସ୍ୱଂୟ ସେବିକା ମହିଳା ସଂଗଠନ। ସଂଚୟ, କୁଟୀର ଶିଳ୍ପ ଜରିଆରେ ଅନେକ କାର୍ଯ୍ୟ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଆସିକା ବ୍ଲକରେ ସେ ପ୍ରଥମ ପୁରସ୍କାର ପାଇଥିଲେ। ଦୀର୍ଘ ୧୮ବର୍ଷ ଧରି ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟପାଳ ପୁରସ୍କାର ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତରୁ ୫୦ ହଜାର ଟଙ୍କାର ନଗଦ ଅର୍ଥ ପୁରସ୍କାର ପାଇଥିଲେ। ଗ୍ରାମାଞ୍ଚଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ସେ ସଦାସର୍ବଦା ପ୍ରତିବାଦ କରି ଆସୁଛନ୍ତି। ଏହାସହ ଗ୍ରାମାଞ୍ଚଳର ଗର୍ଭବତୀ ମହିଳାଙ୍କୁ ନେଇ ଚିିିକିତ୍ସା କରାଇବା, ଗରିବ ଅନାଥ ଶିଶୁଙ୍କୁ ପାଠ ପଢାଇବା ପାଇଁ ବିଭିନ୍ନ ସଂଗଠନ ଜରିଆରେ ସାହାଯ୍ୟ କରିବାରେ ସେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସୁଛନ୍ତି।

Comments are closed.