ନିର୍ବାଚନ ପ୍ରଚାର ପାଇଁ ନବୀନଙ୍କ ସ୍ବତନ୍ତ୍ର ବସ୍

0

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନ ପ୍ରଚାର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଅଭିନବ ଉପାୟ ଆପଣାଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରି ଲୋକଙ୍କ ନିକଟତର ହେବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବସ୍‌ ଆଣିଛନ୍ତି । ଏହି ବସରେ ମୁଖ୍ୟମନ୍ତ୍ରୀ ସବୁ ସ୍ଥାନକୁ ପ୍ରଚାର ପାଇଁ ଯିବା ସହ ଲୋକଙ୍କ ସମସ୍ୟା ମଧ୍ୟ ବୁଝିବେ । ଏହି ସ୍ବତନ୍ତ୍ର ବସର ବିଶେଷତ୍ବ ହେଉଛି ସେଥିରେ ସମସ୍ତ ବିଳାସମୟ ସାମଗ୍ରୀ ରହିଛି । ପ୍ରଚାର ପାଇଁ ଆସିଥିବା ଏହି ବସରେ ବିଶ୍ରାମ କକ୍ଷ, ଖାଦ୍ୟପେୟ ବ୍ୟବସ୍ଥା ସହ ଅତ୍ୟାଧୁନିକ ଶୌଚାଳୟ ମଧ୍ୟ ରହିଛି । ଗସ୍ତ ସମୟରେ ବସ ମଧ୍ୟରେ ଅନ୍ୟ ଅତିଥିମାନଙ୍କ ସହ ଆଲୋଚନା ପାଇଁ ସ୍ବତନ୍ତ୍ର କକ୍ଷ ରହିଥିବା ବେଳେ ଟେଲିଭିଜନ୍‌ ଏବଂ ଭିସାଟ୍‌ ବ୍ୟବସ୍ଥା ମଧ୍ୟ ରହିଛି । ଏକ ସ୍ବତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଗାଡ଼ି ଚାଳକଙ୍କ ପଛକୁ ଏକ କ୍ୟାବିନ୍‌ ରହିଛି । ଯେଉଁଥିରେ ଚେୟାରରେ ବସି କିମ୍ବା ଛିଡ଼ା ହୋଇ ସମବେତ ଜନତାଙ୍କୁ ଉଦବୋଧନ ଦେଇ ହେବ । କ୍ୟାବିନ୍‌ଟି ପ୍ରାୟ ୫ ଫୁଟ୍‌ ଉପରକୁ ଉଠିବାର ବ୍ୟବସ୍ଥା ରହିଛି । ବସ୍‌ଟିକୁ ଏପରି ଡିଜାଇନ୍‌ ହୋଇଛି, ତାହା ଉପରେ ନବୀନ ଭାଷଣ ଦେଲେ ସଭାମଞ୍ଚରୁ ଭାଷଣ ଦେବା ଭଳି ଲାଗିବ । ଏପରି ବ୍ୟବସ୍ଥା ଥିବା ଗୋଟିଏ ବସ୍‌ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆସିଛି । ପରେ ଆଉ ଏକ ବସ୍‌ ଆଣିବାର ଯୋଜନା ରହିଛି।

ସୂଚନାଯୋଗ୍ୟ, ପୂର୍ବରୁ ଏହି ସ୍ବତନ୍ତ୍ର ବସ ବ୍ୟବହାର କରି ଅନ୍ୟ ରାଜ୍ୟର ରାଜନେତାମାନେ ସରକାର ଗଢିଛନ୍ତି । ୧୯୮୭ ମସିହାରେ ସମାଜବାଦୀ ପାର୍ଟିର ମୁଲାୟମ୍ ସିଂ ଯାଦବ କ୍ରାନ୍ତି ରଥ ନାମରେ ଏଭଳି ଏକ ପ୍ରଚାର ବସ୍ ବ୍ୟବହାର କରିଥିଲେ । ସେତେବେଳେ ଏହି ବସକୁ ବିଜେଡିର ପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ପ୍ରଶଂସା କରିଥିଲେ । ଏହା ପରେ ୧୯୮୯ ମସିହାରେ ମୁଲାୟମ୍ ସିଂ ଯାଦବ ୟୁପିରେ ସରକାର ଗଢିଥିଲେ । ୨୦୧୨ ମସିହାରେ ମୁଲାୟମ ସିଂ ଯାଦବଙ୍କ ପୁଅ ଅଖିଳେଶ ସିଂ ଯାଦବ ମଧ୍ୟ ଏଭଳି ଏକ କ୍ରାନ୍ତି ରଥ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରିଥିଲେ । ସେହି ବର୍ଷ ଅଖିଳେଶ ସିଂ ଯାଦବ ମଧ୍ୟ ସରକାର ଗଢିବାରେ ସଫଳ ହୋଇଥିଲେ । ଏହି ସ୍ବତନ୍ତ୍ର ଗାଡିକୁ ରଥର ରୂପ ଦେଇ ସର୍ବପ୍ରଥମେ ଏନଟି ରାମାରାଓ ଆନ୍ଧ୍ରପ୍ରଦେଶରେ ଆରମ୍ଭ କରିଥିଲେ । ଏହି ଗାଡିର ନାମ ଥିଲା ବିଜୟ ରଥ । ତେବେ ନବୀନ ସରକାର ଏହି ଗାଡିକୁ କ’ଣ ନାମ ଦେଉଛନ୍ତି ତାହା ଦେଖିବା ବାକି ରହିଲା ।

Leave A Reply