ଏବେ ‘୧୯’ ପାଇଁ ପ୍ରସ୍ତୁତି

0

-୮୦ ଭାଗ ପ୍ରତିଶ୍ରୁତି ପୂରଣ କରିଛୁ: ବିଜେଡି, -ସରକାର ସବୁ କ୍ଷେତ୍ରରେ ବିଫଳ: ବିରୋଧୀ

ଭୁବନେଶ୍ୱର : ୨୦୦୦ ମସିହାରେ କ୍ଷମତାକୁ ଆସିଥିବା ବିଜୁ ଜନତା ଦଳ ସରକାରକୁ ୧୮ବର୍ଷ ପୂରିଲା। କ୍ରମାଗତ ଭାବେ ଚତୁର୍ଥ ପାଳି ସରକାର ଗଠନ କରିଥିବା ବିଜେଡି ଏବେ ‘୧୯’ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହିତ ବିଜେଡି ଆଜି ବି ରାଜ୍ୟରେ ସବୁଠୁ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି। ଚତୁର୍ଥ ପାଳିରେ ଦଳ ୮୦ପ୍ରତିଶତ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛି ବୋଲି କହୁଥିବାବେଳେ ବିରୋଧୀ କିନ୍ତୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ବୋଲି ଦାବି କରୁଛନ୍ତି।

୨୦୧୪ ମେ ୨୧ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ମନ୍ତ୍ରିପରିଷଦ ବୈଠକ ଡାକି ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୯ ନିର୍ବାଚନକୁ ଯିବା ପାଇଁ ହାତରେ ଆଉ ବର୍ଷେ ସମୟ। ୪ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସ୍ୱତନ୍ତ୍ର ମନ୍ତ୍ରିପରିଷଦ ବୈଠକ ଡାକିଛନ୍ତି। ଏଥିରେ ସେ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ ହୋଇଛି ଓ କେତେ ବାକି ରହିଛି ତାହାର ତର୍ଜମା କରିବେ ଓ ସୀମିତ ସମୟ ଭିତରେ ଅବଶିଷ୍ଟ କାମ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିପାରନ୍ତି।

ଏହା ପୂର୍ବରୁ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଭାଗୱାରୀ ସମୀକ୍ଷା ବୈଠକ ଡାକି ବିଜେଡି ସରକାରଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷର ସଫଳତା ଓ କାର୍ଯ୍ୟଦକ୍ଷତା ମାପି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ନିର୍ବାଚନରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେଥିରୁ ପ୍ରାୟ ୮୦ପ୍ରତିଶତ ପୂରଣ ହୋଇଛି। ଚତୁର୍ଥ ପାଳି ସରକାରଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଅବଶିଷ୍ଟ ପ୍ରତିଶ୍ରୁତିଗୁଡ଼ିକ ପୂରଣ ହୋଇଯିବ ବୋଲି ଆଶା ରହିଛି।

ଅନ୍ୟପକ୍ଷରେ ବିଜେଡି ସରକାର ଗତ ୧୮ ବର୍ଷରେ ସବୁ ଦିଗରୁ ବିଫଳ ହୋଇଛନ୍ତି ଏବଂ ଓଡ଼ିଶାକୁ ପଛକୁ ନେଇଯାଇଛନ୍ତି ବୋଲି ବିରୋଧୀ ସମାଲୋଚନା କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ଲକ୍ଷ ଲକ୍ଷ ଯୁବକ ଯୁବତୀ କର୍ମନିଯୁକ୍ତି ନପାଇ ବେକାର ଅଛନ୍ତି। ଟଙ୍କିକିଆ ଚାଉଳ ଓ ଶସ୍ତା ଯୋଜନା ନେଇ ସରକାର ବାହାବା ମାରୁଛନ୍ତି। ରାଜ୍ୟର ଅର୍ଥନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ କିମ୍ବା ଉତ୍ପାଦନ ବଢ଼ିନାହିଁ। ନିଯୁକ୍ତି ସୃଷ୍ଟି ଦିଗରେ ସରକାର କେବଳ ପ୍ରତିଶ୍ରୁତି ଦେଇଚାଲିଛନ୍ତି। ଶିକ୍ଷିତ ଯୁବକ ଯୁବତୀ ନିରାଶ ହୋଇଛନ୍ତି। ନା କେନ୍ଦ୍ର ନା ରାଜ୍ୟ କୌଣସି ସରକାର ଲୋକଙ୍କ ନିଯୁକ୍ତି କିମ୍ବା ଆତ୍ମ ନିଯୁକ୍ତି ଦିଗରେ କିଛି ପଦକ୍ଷେପ ଗ୍ରହଣ କରି ନଥିବା ସେ ଅଭିଯୋଗ କରିଛନ୍ତି।

ସେପଟେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବା ବିଜେପି ଗତ ଦୁଇ ଦିନର ରାଜ୍ୟ କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ସମାଲୋଚନା କରିବା ସହିତ ଗତ ୧୮ ବର୍ଷର ଶାସନ କାଳରେ ବିଜେଡ଼ି ସରକାରଙ୍କ ବିରୋଧରେ ୩୬ଟି ମହା ଅଭିଯୋଗ ଆଣିଛି। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଗତ ୪ବର୍ଷରେ ରାଜ୍ୟ ସରକାର ସବୁ ଦିଗରୁ ବିଫଳ ହୋଇଛନ୍ତି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଜଳସେଚନ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ସୁଧାରିପାରି ନାହାନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର, ବଳାତ୍କାର ବଢ଼ୁଛି। ଆଇନଶୃଙ୍ଖଳା ସରକାର ନିୟନ୍ତ୍ରଣକୁ ଆଣିପାରି ନାହାନ୍ତି। ନଦୀ ନାଳଘେରା ଓଡ଼ିଶାରେ ଲୋକେ ପାଣି ପାଉ ନାହାନ୍ତି। ମରୁଡ଼ି ମୁକାବିଲା ପାଇଁ କିଛି ଯୋଜନା ନାହିଁ। ଆଦିବାସୀ ଅଞ୍ଚଳର ବିକାଶ ହୋଇପାରୁନି।

ଉଲ୍ଳେଖଯୋଗ୍ୟ ଯେ କ୍ଷମତାରେ ଦୀର୍ଘବର୍ଷ ଧରି ରହିଥିବା ବିଜେଡ଼ିକୁ ପରାହତ କରିବା ପାଇଁ ଏବେ ବିରୋଧୀ ଶକ୍ତି ସଞ୍ଚାର କରିବାରେ ଲାଗିଛନ୍ତି। ଆସନ୍ତା ୨୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ କଟକ ଆସୁଛନ୍ତି। ଏହି ଗସ୍ତ ଦଳୀୟ ମହଲରେ ମନୋବଳ ବଢ଼ାଇବା ସହ କର୍ମୀଙ୍କଠାରେ ଆଗୀମ ନିର୍ବାଚନ ଅବ୍ୟହତି ପୂର୍ବରୁ ଉତ୍ସାହର ଲହର ଆଣିବାରେ ସହାୟକ ହେବ ବୋଲି ବିଜେପି ଆଶା ରଖିଛି। ସେପଟେ ପଞ୍ଚାୟତ ନିର୍ବାଚନ ପରେ ସାଙ୍ଗଠନିକ ଦୁର୍ବଳତା କାରଣରୁ ଶକ୍ତିହୀନ ହୋଇପଡ଼ିଥିବା କଂଗ୍ରେସର ମୁଖିଆ ପରିବର୍ତ୍ତନ ହେବା ପରେ ଏବେ ଜିଲାକୁ ଜିଲା ବୁଲି ସଙ୍ଗଠନ ସୁଧାରିବା ଓ କଂଗ୍ରେସ ପ୍ରତି ଲୋକଙ୍କୁ ଆକର୍ଷିତ କରିବା ଦିଗରେ ପିସିସି ସଭାପତି ଓ ତାଙ୍କ ନୂଆ ଟିମ ପ୍ରବଳ ଉଦ୍ୟମ ଜାରି ରଖିଛନ୍ତି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ ହେଲା ୨୦୧୯ ନିର୍ବାଚନରେ ଓଡ଼ିଶାରେ ତିନି ପ୍ରମୁଖ ରାଜନୈତିକ ଦଳ ଭିତରେ କଡ଼ା ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଜାତୀୟ ସ୍ତରରେ କଂଗ୍ରେସ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଦଳର ବୁଝାମଣା କିମ୍ବା ତୃତୀୟ ମେଣ୍ଟ ହେବାର ସମ୍ଭାବନା ରହିଛି। ସେ ଦୃଷ୍ଟିରୁ ସବୁ ଧର୍ମନିରପେକ୍ଷ ଦଳ ଏକାଠି ହେଲେ ସମୀକରଣ ବଳଳିଯାଇପାରେ। ଓଡ଼ିଶାରେ ମଧ୍ୟ ଏ ପ୍ରଭାବ ପଡ଼ିବା କିଛି ବିଚିତ୍ର ନୁହେଁ। ଶାସକ ବିଜେଡ଼ି ଗତ ଚାରିଟି ନିର୍ବାଚନରେ ଯେଉଁ ରଣନୀତି ଆପଣାଇ କ୍ଷମତାକୁ ଆସୁଥିଲା ଏଥର ସେ କିମିଆ କାମ ଦେବା କଷ୍ଟକର। କାରଣ ଏଥର ପାଣିପାଗ ଦିନକୁ ଦିନ ବଦଳିବାରେ ଲାଗିଛି। ଏକ ସଂଗଠିତ କଂଗ୍ରେସ ବିଜେଡି ପାଇଁ ଆହ୍ୱାନ ସୃଷ୍ଟି କରିପାରେ। ବିରୋଧୀ ବିଜେପି ଓ କଂଗ୍ରେସ ସେମାନଙ୍କ ଗଡ଼ ସୁଧାରିବାକୁ ଯତ୍‍ପରୋନାସ୍ତି ଉଦ୍ୟମ ଚଳାଇଥିବାବେଳେ ବିଜେଡ଼ି ମଧ୍ୟ ଏହାର ରଣନୀତି ଧୀରେ ଧୀରେ ବଦଳାଉଛି।

Leave A Reply