ସାମ୍ବାଦିକତା କ୍ଷେତ୍ରରେ ଜାତୀୟ ପୁରସ୍କାର -୨୦୧୯ ପ୍ରଦାନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଜାତୀୟ ପ୍ରେସ ଦିବସ ଅବସରରେ ଶନିବାର ନୂଆଦିଲ୍ଲୀଠାରେ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡ଼ୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ ନିମନ୍ତେ ‘ଜାତୀୟ ପୁରସ୍କାର – ୨୦୧୯’ ପ୍ରଦାନ କରିଛନ୍ତି । ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏହି କାର୍ୟ୍ୟକ୍ରମରେ ସାମ୍ବାଦିକତାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବରିଷ୍ଠ ତଥା କର୍ତ୍ତବ୍ୟନିଷ୍ଠ ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଉପରାଷ୍ଟ୍ରପତି ଗଣମାଧ୍ୟମର ଗୁରୁତ୍ୱ ଏବଂ ଭୂମିକା ଉପରେ ଆଲୋଚନା କରିଥିଲେ। ଦେଶର ପ୍ରଥମ ସମ୍ବାଦପତ୍ର ‘ଦ ବେଙ୍ଗଲ ଗେଜେଟ’ ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ ହିକିଙ୍କ ଦ୍ୱାରା ପ୍ରକାଶ ପାଇବା ପରଠାରୁ ଜନସାଧାରଣଙ୍କ ସଶକ୍ତିକରଣ ଲାଗି ସମ୍ବାଦପତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଉପରାଷ୍ଟ୍ରପତି କହିଥିଲେ ଯେ ସାମ୍ବାଦିକତାର ମୌଳିକ ନୀତି ହେଉଛି ପାଠକ ଓ ଦର୍ଶକଙ୍କ ନିକଟରେ ସତ୍ୟ, ବସ୍ତୁନିଷ୍ଠ, ସଠିକ ଓ ନିରପେକ୍ଷ ସୂଚନା ପହଁଚାଇବା। ସୋସିଆଲ ମିଡିଆ ଓ ସ୍ମାର୍ଟ ଫୋନର ଯୁଗରେ ପ୍ରତି ମୁହୂର୍ତ୍ତରେ ‘ମିଛ ଖବର’ ପ୍ରସାରିତ ହେଉଥିବାରୁ ଏଥିପ୍ରତି ଅଧିକ ସତର୍କ ରହିବା ଏବଂ ଲୋକଙ୍କ ନିକଟରେ ସତ୍ୟ ଖବର ପହଁଚାଇବା ଲାଗି ସାମ୍ବାଦିକମାନଙ୍କୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଥିଲେ। କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏବଂ ବିକାଶମୂଳକ ଖବରକୁ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ମଧ୍ୟ ନାଇଡ଼ୁ କହିଥିଲେ। ଦେଶରେ ଦାୟିତ୍ୱସମ୍ପନ୍ନ ସାମ୍ବାଦିକତାର ପ୍ରୋତ୍ସାହନ ଦିଗରେ ପ୍ରେସ କାଉନସିଲ ଅଫ ଇଣ୍ଡିଆର ଭୂମିକାକୁ ସେ ପ୍ରଶଂସା କରିବା ସହ ମାର୍ଗଦର୍ଶିକା ‘ସାମ୍ବାଦିକତା ଆଚରଣ ସଂହିତା ମାନକ”ର ୨୦୧୯ ସଂସ୍କରଣକୁ ଉପରାଷ୍ଟ୍ରପତି ଉନ୍ମୋଚନ କରିଥିଲେ।

ଏହି ଅବସରରେ ସାମ୍ବାଦିକ ଗୁଲାବ କୋଠାରୀ, ସଞ୍ଜୟ ସାଇନି, ରାଜ ଚେଙ୍ଗାପ୍ପା, ଶିବ ସ୍ୱରୂପ ଅୱସ୍ତି ଓ ଅନୁ ଆବ୍ରାହିମଙ୍କୁ ସମ୍ମାନିତ କରାଯାଇଥିଲା।

Comments are closed.