ଅହିଂସା ଦ୍ବାରା ଅନେକ ଜଟିଳ ସମସ୍ୟାର ସମାଧାନ ହୋଇପାରିବ: ମୁଖ୍ୟମନ୍ତ୍ରୀ

ଗାନ୍ଧୀ ଓ ଜାତୀୟ ସଂହତି କାର୍ଯ୍ୟକ୍ରମ

ଭୁବନେଶ୍ୱର: ଗାନ୍ଧୀ ବିଚାରଧାରାର ଆଜି ବି ପ୍ରାସଙ୍ଗିକତା ରହିଛି। ଯଦି ଆମେ ଅହିଂସାକୁ ନିଜ ଜୀବନରେ ପ୍ରତିଫଳିତ କରିବା ତା ହେଲେ ଅନେକ ସମସ୍ୟାର ସରଳ ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ପୂର୍ବାହ୍ନରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ପରିସରରେ ଆୟୋଜିତ ଗାନ୍ଧୀ ଓ ଜାତୀୟ ସଂହତି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହାତ୍ମା ଗାନ୍ଧୀ ଦେଶର ଜଣେ ରାଜନେତା ନଥିଲେ, ବରଂ ସେ ଜଣେ ମହାନ୍ ସନ୍ଥ ଓ ସମାଜ ସଂସ୍କାରକ ଥିଲେ। ତାଙ୍କର ଚମତ୍କାର ବ୍ୟକ୍ତିତ୍ବ ସାରା ଦେଶକୁ ଏକ ସୂତ୍ରରେ ବାନ୍ଧି ରଖିଥିଲା। ଜାତି, ଧର୍ମ, ବର୍ଣ୍ଣ, ଭାଷା, ସମ୍ପ୍ରଦାୟ ଓ ଜାତୀୟ ସଂହତିର ଥିଲେ ମୂର୍ତ୍ତିମନ୍ତ ପ୍ରତୀକ। କେବଳ ଭାରତର ସ୍ବାଧୀନତା ନୁହେଁ, ଏକ ସୁସ୍ଥ ସମାଜ ଓ ସଶକ୍ତ ଭାରତ ତାଙ୍କର ଲକ୍ଷ୍ୟ ଥିଲା। ଦାରିଦ୍ର୍ୟତା, ହିଂସା, ଅନ୍ୟାୟ ଓ ଅସମାନତାରୁ ଭାରତକୁ ମୁକ୍ତ କରିବା ତାଙ୍କର ମୂଳଲକ୍ଷ୍ୟ ଥିଲା। ଅହିଂସାକୁ ଆମ ସମ୍ବିଧାନର ମୁଖବନ୍ଧରେ ସାମିଲ୍ କରିବା ପାଇଁ ମୁଁ ଦାବି କରି ଆସିଛି। ଏହାକୁ ସମର୍ଥନ କରି ଆୟୋଜିତ ହେଉଥିବା ଦସ୍ତଖତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ବେଶ୍‌ ପ୍ରଶଂସନୀୟ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଦସ୍ୟ ବୀରୁପାକ୍ଷ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରର୍ସ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ତଥା ଓଡ଼ିଶା ଗସ୍ତ ସମୟର ବହୁ ବିରଳ ଚିତ୍ରକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

Comments are closed.