ଜମିରେ ପାଣିବନ୍ଧା ଘଟଣାରୁ ଗଣ୍ଡଗୋଳ: ଜଣେ ମୃତ

0

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଟେମରା ଗ୍ରାମରେ ଜମିରେ ପାଣିବନ୍ଧା ଘଟଣାରୁ ଗଣ୍ଡଗୋଳ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଟେମରା ଗ୍ରାମରେ ବୁଧବାର ଚାଷ ଜମିରେ ପାଣି ବନ୍ଧ ଘଟଣାକୁ ନେଇ ଦୁଇ ଜମି ମାଲିକଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ନାମ କୁମାର ମାଝୀ ବୋଲି ଜଣାପଡ଼ିଛି। କୁମାରଙ୍କ କୁମ ମାଝୀ  ଝରିଗାଁ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।

କୁମଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବାପାଙ୍କ ସହିତ ସେହି ଗାଁର ସମଦ୍ଧୁ ମାଝୀ ଓ ତାଙ୍କ ପୁଅ ସମନାଥ ମାଝୀ ଚାଷ ଜମିରେ ପାଣିବାନ୍ଧିବା ଘଟଣା ନେଇ ପାଟିତୁଣ୍ଡ କରିଥିଲେ। ଏହାପରେ ସେମାନେ ଘରକୁ ଚାଲି ଯାଇଥିଲେ।  କିଛି ସମୟ ପରେ ସମଦ୍ଧୁ ତାଙ୍କ ଦୁଇ ପୁଅ ସମନାଥ ଓ  ଗଣେଷ ସହିତ ଆସି କୁମାରଙ୍କୁ ଠେଙ୍ଗାରେ ପିଟିଥିଲେ। କୁମାରଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିଲାବେଳେ ଅଧାବାଟରେ ତାଙ୍କର ପ୍ରାଣ ଚାଲିଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ଡ. ସୋମା ଦାସ କୁମାରଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଛେଦ କରିବା ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା।  ଝରିଗାଁ ଥାନା ଅଧିକାରୀ ଅଭୟ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମଦ୍ଧୁ ମାଝୀ, ସମନାଥ ମାଝୀ, ଗଣେଷ ମାଝୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Leave A Reply