ନମ୍ର ନବୀନ

‘ଆପଣମାନେ ଖୁସି ତ? ମୁଁ ବି ଖୁସି।’ ସେ ଏଇ ଦୁଇଧାଡ଼ି କଥା ଉଚ୍ଚାରିଲାମାତ୍ରେ ଯେଉଁ କରତାଳି ହୁଏ, ସବୁରି ମନଭିତରେ ଯେଉଁ ଭରସା ସଂଚରି ଯାଏ, ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସବୁରି ହୃଦୟରେ ଯେଉଁ ବିଶ୍ୱାସ ବସା ବାନ୍ଧେ, ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୌଣସି ଗୋଟିଏ ଦିନ, ମାସ, ବର୍ଷ ବା ପାଞ୍ଚ ବର୍ଷର ସମୟ ଅବଧି ପରିଶ୍ରମର ଫଳଶ୍ରୁତି ନୁହେଁ। ଏହା ଦୀର୍ଘ ଊଣେଇଶ ବର୍ଷର କଠିନ ପରିଶ୍ରମ, ନିଷ୍ଠା, ଦୃଢ଼ ସଂକଳ୍ପ, ନିରବଚ୍ଛିନ୍ନ ଉଦ୍ୟମ, ନିରନ୍ତର ଅଧ୍ୟବସାୟର କାହାଣୀ। ସେ ଯେତିକି ସ୍ୱଚ୍ଛ, ସରଳ, ନିଷ୍କପଟ, ନିରଳସ, ଅମାୟିକ, ନମ୍ର ଓ ସଚ୍ଚୋଟ ସେତିକି ବଳିଷ୍ଠ ଓ ବିରଳ ବ୍ୟକ୍ତିତ୍ୱର ଅଧିକାରୀ।
‘ଖୁସି’ର ଅନେକ ପ୍ରକାର ସଂଜ୍ଞା ହୋଇଥାଇପାରେ। ଗରିବ ଲୋକଟିଏ ପାଇଁ ‘ଖୁସି’ ଯାହା ଗୁରୁତ୍ୱ ରଖେ, ଧନୀ ଲୋକଟିଏ ପାଇଁ ‘ଖୁସି’ର ଅର୍ଥ ତାହା ନୁହେଁ। ତେବେ ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ସରକାର ସର୍ବପ୍ରଥମେ ଜନସାଧାରଣଙ୍କର ପ୍ରାଥମିକ ଆବଶ୍ୟକତାଗୁଡ଼ିକ ଉପରେ ପ୍ରାଧାନ୍ୟ ଦେଇଥାଏ। ଯେଭଳି ଜଣେ ବି ଲୋକ ବିନା ଖାଦ୍ୟରେ ମୃତ୍ୟୁମୁଖରେ ନ ପଡ଼ିବ ସେଥିଲାଗି ବ୍ୟବସ୍ଥା କରିବା ହେଉଛି ସରକାରଙ୍କ ମୌଳିକ ଦାୟିତ୍ୱ। ୨୦୦୦ମସିହାରେ ନବୀନ ପଟ୍ଟନାୟକ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ, ସେତେବେଳେ ଓଡ଼ିଶାର ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିଲା। ୧୯୯୯ ମହାବାତ୍ୟାର ବିଭୀଷିକା ଉପକୂଳ ଓଡ଼ିଶାକୁ ବିପର୍ଯ୍ୟସ୍ତ କରିଦେଇଥିଲା। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାର ଶାସନଭାର ନେଲେ ନବୀନ ପଟ୍ଟନାୟକ ଯିଏକି ମାତ୍ର ତିନିବର୍ଷ ପୂର୍ବରୁ ରାଜନୀତିରେ ପାଦ ଥାପିଥାନ୍ତି ପିତା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ। ୧୯୯୭ ଏପ୍ରିଲ୍ ୧୭ରେ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ହୁଏ ଏବଂ ସେହିବର୍ଷ ଡିସେମ୍ବର ୨୬ରେ ଗଠିତ ହୁଏ ବିଜୁ ଜନତା ଦଳ ୨୭ ଜଣ ଜନତା ଦଳ ବିଧାୟକ ଓ ୫ଜଣ ସାଂସଦଙ୍କୁ ନେଇ। ଏହା ପ୍ରଥମେ ନିର୍ବାଚନରେ ଅବତୀର୍ଣ୍ଣ ହୁଏ ଗଠନ ହେବାର ମାତ୍ର ସାଢ଼େ ତିନି ମାସ ପରେ ୧୯୯୮ରେ। ୨୦୦୦ ମସିହାରେ ହେଲା ବିଧାନସଭା ନିର୍ବାଚନ। ମାର୍ଚ୍ଚ ୫, ୨୦୦୦ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ। ଏହି ମେଣ୍ଟ ସରକାର ୨୦୦୦ରୁ ୨୦୦୪ ଓ ୨୦୦୪ରୁ ୨୦୦୯ ଯାଏଁ ଚାଲିଲା। ୨୦୦୯ ପରଠାରୁ ଓଡ଼ିଶାରେ ବିଜେଡି ସରକାରର ଶାସନ ଚାଲିଛି। ଏ ବର୍ଷ ତାଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ଊଣେଇଶ ବର୍ଷ ପୂରିଲା।
ଊଣେଇଶି ବର୍ଷ କିଛି କମ୍ ସମୟ ନୁହେଁ। ଏହି କାଳଖଣ୍ଡରେ ଇତିହାସରେ ଯୋଡ଼ିହୋଇଛି ଅନେକ ଫର୍ଦ। ଆଲୋଚନା, ସମାଲୋଚନାର ଚକ୍ରବ୍ୟୂହ ଭେଦ କରି ନବୀନ ପ୍ରତିଥର ଉଭା ହୋଇଛନ୍ତି ସମର୍ଥ ଯୋଦ୍ଧା ଭାବରେ। ଗଣତନ୍ତ୍ର ଶାସନରେ ଲୋକଙ୍କ ବିଶ୍ୱାସ ଓ ଭରସା ଜିଣି ସ୍ଥିରତା ଓ ବିକାଶର ନୂଆ ପରିଭାଷା ତିଆରିବା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଦାହରଣ ପାଲଟିଛନ୍ତି ନବୀନ। ଓଡ଼ିଶାକୁ ବିଶ୍ୱ ଦରବାରରେ ଦେଇଛନ୍ତି ନୂଆ ଓ ସ୍ୱତନ୍ତ୍ର ପରିଚୟ। ଧଳା ରଂଗର ପଞ୍ଜାବୀ-ପାଇଜାମା, ହଳେ କୋହ୍ଲାପୁରୀ ଚପଲ ପିନ୍ଧି ଅତ୍ୟନ୍ତ ସରଳ, ସଚ୍ଚୋଟ ଓ ସାଧାରଣ ଜୀବନ ବଞ୍ଚୁଥିବା ନବୀନ ରାଜ୍ୟକୁ ସଫଳ ନେତୃତ୍ୱ ଦେଇ ପାଇଛନ୍ତି ଦେଶ-ବିଦେଶରୁ ଅନେକ ସମ୍ମାନ। ୨୦୧୦ରେ ଏନ୍‌ଡି ଟିଭି ଲୋକମତ ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ସ୍ୱୀକୃତି ଦେଇଥିବା ବେଳେ ସେହି ବର୍ଷ ଇଣ୍ଡିଆ ଟୁଡେ ଓଆରଜି-ମାର୍ଗ-ମୁଡ୍ ଅଫ୍ ଦି ନେସନ୍ ପୋଲ୍ -୨୦୧୦ ତାଙ୍କୁ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ଉଲ୍ଲେଖ କରିଥିଲା। ପୁଣି ‘ପାଇଲିନ୍’ ବାତ୍ୟାରେ ଲକ୍ଷାଧିକ ଲୋକଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରି ସେମାନଙ୍କ ଜୀବନ ରକ୍ଷା କରିବାରେ ଅଭୂତପୂର୍ବ ସଫଳତା ହାସଲ କଲେ ମୁଖ୍ୟମନ୍ତ୍ରୀ। ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ଶ୍ରେଷ୍ଠତା ପାଇଁ ଜାତିସଂଘ ପକ୍ଷରୁ ୨୦୧୩ରେ ସେ ପ୍ରଶଂସାପତ୍ର ପାଇଥିଲେ। ପ୍ରତିଷ୍ଠିତ ‘ଆଉଟଲୁକ୍’ ପତ୍ରିକା ମଧ୍ୟ ୨୦୧୭ରେ ନବୀନଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଶ୍ରେଷ୍ଠ ପ୍ରଶାସକ ଭାବରେ ‘ସ୍ପିକ୍ ଆଉଟ୍ ଆୱାର୍ଡ’ ପ୍ରଦାନ କରିଥିଲା। ୨୦୧୮ରେ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବରେ ଭାରତୀୟ ଛାତ୍ର ସଂସଦ ପକ୍ଷରୁ ପୁନେଠାରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେହିବର୍ଷ ଏଫ୍ଆଇଏଚ୍ ପ୍ରେସିଡେଣ୍ଟସ୍‌ ଆୱାର୍ଡ ମଧ୍ୟ ସେ ପାଇଥିଲେ। ଏହା ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ତଥା ଗୌରବର ବିଷୟ।
ମହିଳା ସଶକ୍ତୀକରଣ ଓ ମା’କୁ ସମ୍ମାନ ଦିଗରେ ଲୋକସଭା ନିର୍ବାଚନରେ ଏକ-ତୃତୀୟାଂଶ ଆସନରେ ମହିଳାଙ୍କୁ ଟିକଟ୍ ଦେବାରେ ବିଜେଡି ହେଉଛି ଦେଶର ପ୍ରଥମ ରାଜନୈତିକ ଦଳ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ଦେଶରେ ପ୍ରଥମେ ପଞ୍ଚାୟତ ସ୍ତରରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ଲାଗୁ କରିଥିଲେ। ପରେ ପଞ୍ଚାୟତ ସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱକୁ ୫୦%କୁ ବୃଦ୍ଧି କରିବାରେ ମଧ୍ୟ ଓଡ଼ିଶା ଅଗ୍ରଣୀ ରାଜ୍ୟ ଥିଲା। ୧୯୯୬ରୁ ପଡ଼ିରହିଥିବା ମହିଳା ବିଲ୍ ସପକ୍ଷରେ ଜାତୀୟ ସ୍ତରରେ ଏକ ରାଜନୈତିକ ସହମତି ସୃଷ୍ଟି ପାଇଁ ଦଳୀୟ ସାଂସଦମାନଙ୍କୁ ଅନ୍ୟ ରାଜ୍ୟର ନେତୃବୃନ୍ଦଙ୍କୁ ଭେଟିବା ଲାଗି ମଧ୍ୟ ସେ ପଠାଇଥିଲେ। ୨୦୦୧ରେ ମହିଳାଙ୍କ ପାଇଁ ଆରମ୍ଭ କରାଯାଇଥିବା ‘ମିଶନ ଶକ୍ତି’ ପ୍ରକଳ୍ପରେ ୭୦ଲକ୍ଷ ମହିଳାଙ୍କୁ ସାମିଲ କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯାଇପାରିଛି। ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଓ ୭୦ଲକ୍ଷ ମହିଳାଙ୍କ ପାଇଁ ବିନା ସୁଧରେ ଋଣ ଦିଆଯାଉଛି।
ଗତ ଊଣେଇଶ ବର୍ଷ ମଧ୍ୟରେ ବିଜେଡି ସରକାରର ଶାସନକାଳରେ ଅର୍ଥନୈତିକ ଓ ସାମାଜିକ ବିକାଶ କ୍ଷେତ୍ରରେ ରାଜ୍ୟ ଆଖିଦୃଶିଆ ଉନ୍ନତି କରିଛି। ଯୋଜନା କମିସନ୍‌ଙ୍କ ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ଗରିବଙ୍କ ସଂଖ୍ୟା ୨୦୦୪-୦୫ରୁ ୨୦୧୧-୧୨ମଧ୍ୟରେ ୨୪.୬% ହ୍ରାସ ପାଇଥିଲା। ପୁନଶ୍ଚ ସରକାରଙ୍କ ଇକୋନୋମିକ୍ ସର୍ଭେରେ ୨୦୧୭-୧୮ରେ ରାଜ୍ୟ ଲୋକସଂଖ୍ୟାର ୨୬.୯୦% ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆକଳନ କରାଯାଇଥିଲା। ଏବେ ଲକ୍ଷ୍ୟ: ୨୦୨୪ ସୁଦ୍ଧା ଦାରିଦ୍ର୍ୟ ହାର ୫%କୁ ହ୍ରାସ। ୨୦୧୭-୧୮ରେ ଓଡ଼ିଶାର ପୂର୍ବାପେକ୍ଷା ମୁଣ୍ଡପିଛା ଆୟ ବୃଦ୍ଧି ପାଇ ୬୭,୫୨୨ଟଙ୍କାରେ ପହଞ୍ଚିଛି। ଶିଳ୍ପ ଓ ସେବା କ୍ଷେତ୍ରରେ ଉନ୍ନତି ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ସେହିପରି ନବୀନ ପଟ୍ଟନାୟକ ୨୦୦୦ମସିହାରେ ମୁଖ୍ୟମନ୍ତ୍ରୀ ହେଲାବେଳେ ରାଜ୍ୟରେ ଶିଶୁ ମୃତ୍ୟୁହାର ଥିଲା ପ୍ରତି ହଜାରରେ ୯୬, ମାତ୍ର ଏହା ଏବେ ଖସିଆସିଛି ୪୦କୁ; ଯାହାକି ଜାତୀୟ ହାରଠାରୁ ବି କମ୍। ବିଗତ ଉଣେଇଶ ବର୍ଷରେ ରାଜ୍ୟରେ ଶିଶୁ ମୃତ୍ୟୁ ହାର ଅନ୍ୟାନ୍ୟ ରାଜ୍ୟଠାରୁ ଦ୍ରୁତ ଗତିରେ ହ୍ରାସ ପାଉଛି।
ନବୀନ ପଟ୍ଟନାୟକଙ୍କର ଓଡ଼ିଶା ପ୍ରତି ପ୍ରତିଶ୍ରୁତିବଦ୍ଧତା, ଦୂରଦୃଷ୍ଟି ଓ ଓଡ଼ିଶାବାସୀଙ୍କ ପ୍ରତି ଶ୍ରଦ୍ଧାଯୋଗୁଁ କ୍ରୀଡ଼ା କ୍ଷେତ୍ରରେ ସମଗ୍ର ବିଶ୍ୱ ଦରବାରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଛି। ଏସିଆନ୍ ଆଥ୍‌ଲେଟିକ୍ ମିଟ୍ ୨୦୧୭, ଏସିଆଡ଼୍ ରଗବି ଏବଂ ବିଶ୍ୱକପ୍ ହକି ୨୦୧୮ ଭଳି ବହୁ ଅନ୍ତର୍ଜାତୀୟ ଓ ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ କରିଛି ଓଡ଼ିଶା। ବଡ଼ବଡ଼ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ଏବଂ ପରିଚାଳନା ପାଇଁ ଏବେ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛି ବିଶ୍ୱ କ୍ରୀଡ଼ା ଜଗତର ନଜର। ଆସନ୍ତାବର୍ଷ ‘ଫିଫା ଅଣ୍ଡର ସେଭେନ୍‌ଟିନ୍’ ମହିଳା ବିଶ୍ୱକପ୍‌ର ଆୟୋଜନ ପାଇଁ ଓଡ଼ିଶା ପ୍ରାଥମିକ ସ୍ତରରେ ଅନୁମୋଦିତ ହୋଇଛି। ଏହା ହେଲେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବ।
ଶାସନରେ ସ୍ୱଚ୍ଛତା ଓ ସଂସ୍କାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ର ପରିକଳ୍ପନା କରିଛନ୍ତି। ଏହି ୫-ଟି ମନ୍ତ୍ର ହେଉଛି-ଟାଇମ(ସମୟାନୁବର୍ତ୍ତିତା), ଟ୍ରାନ୍ସପରେନ୍ସି (ସ୍ୱଚ୍ଛତା), ଟିମ୍‌ ୱାର୍କ(ସମୂହବୋଧ), ଟେକ୍ନୋଲଜି (ପ୍ରଯୁକ୍ତିବିଦ୍ୟା),ଟ୍ରାନ୍ସଫର୍ମେସନ(ରୂପାନ୍ତରଣ)। ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଯାଇ ନିକଟରେ ତଳରୁ ଉପର ସ୍ତର ପର୍ଯ୍ୟନ୍ତ ବହୁ ସରକାରୀ ଅଧିକାରୀଙ୍କୁ ନିଲମ୍ବନ ଓ ବହିଷ୍କାର କରାଯାଇଛି।
ଓଡ଼ିଶା ସରକାରଙ୍କର ‘କାଳିଆ’ ଯୋଜନାରେ ଚାଷର ଉନ୍ନତି, ଚାଷୀ ପରିବାରର ସମୃଦ୍ଧି ସହିତ ସେମାନଙ୍କ ପିଲାମାନଙ୍କର ଉଚ୍ଚଶିକ୍ଷା କ୍ଷେତ୍ରରେ ଯେଉଁ ବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି, ସେହିଭଳି ସୁବିଧା ଅନ୍ୟ କୌଣସି କୃଷି ଯୋଜନାରେ ନାହିଁ। ୫ବର୍ଷ ମଧ୍ୟରେ ୧୦ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୯ଲକ୍ଷ ହେକ୍ଟର ଜଳସେଚନ ସୁବିଧା କରାଯାଇଛି। ୨୦୧୫ରୁ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଫସଲ ଋଣ ଦିଆଯାଉଥିଲା। ବର୍ତ୍ତମାନ ‘କାଳିଆ’ ଯୋଜନାରେ ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। ରାଜ୍ୟ ସରକାର ୨୦ଲକ୍ଷ ପକ୍କା ଘର ନିର୍ମାଣ କରିଛନ୍ତି। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷାର ପ୍ରତିଶ୍ରୁତି ପୂରଣ କରି ରାଜ୍ୟ ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ କରିଛନ୍ତି। ଏଥିରେ ବିପିଏଲ/ଏପିଏଲର କୌଣସି ପ୍ରଭେଦ ରଖାଯାଇନାହିଁ। ସମସ୍ତଙ୍କ ପାଇଁ ୫ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦିଆଯାଉଛି ଓ ମହିଳାଙ୍କ କ୍ଷେତ୍ରରେ ୭ଲକ୍ଷ ଟଙ୍କା ସୁବିଧା ରଖାଯାଇଛି। ସମସ୍ତଙ୍କ ଲାଗି ଖାଦ୍ୟ ସୁରକ୍ଷାର ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ୨୦୧୩ରୁ ୧ଟଙ୍କାରେ ଚାଉଳ ଦିଆଯାଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବାପରେ ରାଜ୍ୟ ସରକାର ନିଜସ୍ୱ ଯୋଜନାରେ କିଲୋପ୍ରତି ୧ଟଙ୍କାରେ ଚାଉଳ ଯୋଗାଇ ଦେଉଛନ୍ତି। ସମସ୍ତଙ୍କ ଲାଗି ଗୁଣାତ୍ମକ ଶିକ୍ଷା ଦିଆଯାଉଥିବା ପ୍ରତିଶ୍ରୁତି ମୁତାବକ ସରକାର ୧୯୦ଟି ମଡ଼େଲ ସ୍କୁଲ୍ ପ୍ରତିଷ୍ଠା କରିଛନ୍ତି। ଖୁବ୍ ଶୀଘ୍ର ସମସ୍ତ ୩୧୪ଟି ବ୍ଲକରେ ଏହାର ନିର୍ମାଣ ଶେଷ ହେବ। ଉଚ୍ଚ ଶିକ୍ଷା ପାଇଁ ‘କଳିଙ୍ଗ ଶିକ୍ଷା ସାଥୀ’ ଯୋଜନାରେ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି। ପ୍ରତି ବିଶ୍ୱବିଦ୍ୟାଳୟ ଓ କଲେଜରେ କ୍ୟାରିଅର କାଉନସେଲିଂ କେନ୍ଦ୍ର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ୧୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। କେବଳ ସରକାରୀ ସ୍ତରରେ ୧ ଲକ୍ଷ ୧୨ ହଜାର ନିଯୁକ୍ତି ଦିଆଯାଇଛି। ‘ସ୍କିଲଡ଼୍ ଇନ୍ ଓଡ଼ିଶା’ ଅନ୍ତର୍ଜାତୀୟ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ପାଇଛି। ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ୫ବର୍ଷ ମଧ୍ୟରେ ଦୁଇଥର ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମକୁ ସଫଳତା ମିଳିଛି। ୩୦ଲକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବିକାଶ ଲାଗି ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ହଜାରହଜାର ହଷ୍ଟେଲରେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ୭୦ହଜାର ଛାତ୍ରଛାତ୍ରୀ ବିଭିନ୍ନପ୍ରକାର ବୃତ୍ତି ପାଉଛନ୍ତି। ଶ୍ରମିକମାନଙ୍କ କଲ୍ୟାଣକ୍ଷେତ୍ରରେ ଓଡ଼ିଶା ଏକ ମଡେଲ ରାଜ୍ୟ ହୋଇଛି। ବିଭିନ୍ନ ସହରର ବସ୍ତିରେ ରହୁଥିବା ଗରିବ ଲୋକଙ୍କ ପାଇଁ ‘ଜାଗା ମିଶନ’ରେ ଜମି ଅଧିକାର ଦିଆଯାଇଥିବା ବେଳେ କର୍ପୋରେସନ ଅଞ୍ଚଳରେ ସମ୍ପତ୍ତି ଅଧିକାର ଦିଆଯାଇଛି। ପଶ୍ଚିମ ଓଡ଼ିଶା ଓ କେବିକେ ଅଞ୍ଚଳର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି। କୋରାପୁଟ ଓ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ କଳାହାଣ୍ଡିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବିଜୁ ଏକ୍ସପ୍ରେସ ୱେର ୭୦ଭାଗ କାମ ସରିଛି ଓ ଏହା ଉଦ୍‌ଘାଟିତ ହୋଇସାରିଛି।
‘କଥା’ରେ ନୁହଁ ‘କାର୍ଯ୍ୟ’ରେ ବିଶ୍ୱାସ ରଖୁଥିବା ଏହି ଜନନେତାଙ୍କ ନିରନ୍ତର ପ୍ରୟାସ ଓ ନିଷ୍ଠା ପାଇଁ ଓଡ଼ିଶା ଏକ ଗରିବ, ପଛୁଆ ରାଜ୍ୟରୁ ସମୃଦ୍ଧ ରାଜ୍ୟ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ରାଜନୈତିକ ବିରୋଧୀଙ୍କ ପ୍ରତି କେବେ ବି କଠୋର ଶବ୍ଦ ପ୍ରୟୋଗ କରିନାହାନ୍ତି ନବୀନ। ତାଙ୍କ ନମ୍ରତା, ନମନୀୟତା, ନିର୍ମଳ ବ୍ୟକ୍ତିତ୍ୱ, ସକାରାତ୍ମକ ଆଭିମୁଖ୍ୟ, ଶାନ୍ତ ଓ ସ୍ଥିର ସ୍ୱଭାବ, ସ୍ୱଳ୍ପ ଶବ୍ଦରେ ଜନତାଙ୍କୁ ପ୍ରଭାବିତ କରିପାରିବାର ବିରଳ କ୍ଷମତା ଯୋଗୁ ସେ ଅନନ୍ୟ। ସେଇଥିପାଇଁ ତ ସେ ଓଡ଼ିଶାବାସୀଙ୍କର ଏତେ ପ୍ରିୟ। ପାଞ୍ଚପାଞ୍ଚ ଥର ମୁଖ୍ୟମନ୍ତ୍ରୀ। ଅପ୍ରତିଦ୍ୱନ୍ଦ୍ୱୀ, ଅପରାଜେୟ।

Comments are closed.