ନବୀନଙ୍କୁ ପ୍ରଭାବିତ କଲେ ପିଲା – ଶିଶୁ କଲ୍ୟାଣ ଅନୁଷ୍ଠାନକୁ ମିଳିବ ୧୦ଲକ୍ଷ ଲେଖାଏଁ ସହାୟତା

ଭୁବନେଶ୍ୱର: ଦୀପାବଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଓଏସ ଭିଲେଜରେ କୁନି କୁନି ପିଲାଙ୍କ ସହ ସମୟ କାଟିବା ପରେ ମାତ୍ର ଦୁଇ ଦିନର ବ୍ୟବଧାନରେ ରାଜ୍ୟରେ ଥିବା ଶିଶୁ କଲ୍ୟାଣ ସମିତି ଗୁଡିକ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହି ସହାୟତା ଅର୍ଥରେ ଶିଶୁ କଲ୍ୟାଣ ଅନୁଷ୍ଠାନର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନକୁ ରେଡକ୍ରସ ସୋସାଇଟି ଜରିଆରେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ, କେଉଁଝର ଓ ସମ୍ବଲପୁର ଭଳି ଜିଲ୍ଲାମାନଙ୍କର ଅତିରିକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଜିଲ୍ଲାମାନଙ୍କ ପାଇଁ ଅଧିକ ୧୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି।

୫ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅନାଥାଶ୍ରମ, ଭିନ୍ନକ୍ଷମ ପିଲାମାନଙ୍କ ସ୍କୁଲ ଇତ୍ୟାଦି ପରିଦର୍ଶନ କରି ପିଲାଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବା ଏବଂ ପିଲାମାନଙ୍କ ଭଲମନ୍ଦ ସଂପର୍କରେ ପଚାରି ବୁଝିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଶିଶୁ ସେବା ଓ କଲ୍ୟାଣ ସଂସ୍ଥାଗୁଡିକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ପରେ ଜିଲ୍ଲାପାଳମାନେ ଏହି ଶିଶୁ ସେବା ସଂସ୍ଥା ଗୁଡିକରେ ରହୁଥିବା ପିଲାମାନଙ୍କ ସହିତ ସେମାନଙ୍କର ଆବଶ୍ୟକତା ଓ ଭଲମନ୍ଦ ସଂପର୍କରେ ପଚାରି ବୁଝିଥିଲେ। ପିଲାମାନଙ୍କ ମତାମତକୁ ଭିତ୍ତିକରି ଆଜି ନବୀନ ଏହି ଘୋଷଣା କରିଛନ୍ତି।

Comments are closed.