ଟୋକନ ବ୍ୟବସ୍ଥା ବାତିଲ୍‍ ଦାବି ; ଆସନ୍ତା କାଲି ନବନିର୍ମାଣ କୃଷକ ସଂଗଠନ ତରଫରୁ ନବୀନ ନିବାସ ଘେରାଉ

ଭୁବନେଶ୍ୱର : ଧାନ କିଣା ବ୍ୟବସ୍ଥାକୁ ସରଳୀକରଣ କରିବା ଓ ଭୁବନେଶ୍ୱରରୁ ଟୋକନ ବ୍ୟବସ୍ଥା ବାତିଲ୍‍ କରିବା ଦାବିରେ ଆସନ୍ତା କାଲି ନବନିର୍ମାଣ କୃଷକ ସଂଗଠନ ତରଫରୁ ନବୀନ ନିବାସ ଘେରାଉ କରାଯିବ ବୋଲି ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏକ ପ୍ରେସ୍‍ ବିବୃତ୍ତି ଜରିଆରେ ଜଣାଇଛନ୍ତି।

ଶ୍ରୀ ନନ୍ଦ କହିଛନ୍ତି ଯେ, ଓଡ଼ିଶା ସରକାର ଚାଷୀଙ୍କ ପାଇଁ ବହୁବିଧ ଯୋଜନା କରୁଛନ୍ତି ବୋଲି ଧୂଆଁବାଣ ଘୋଷଣା କରୁଥିବା ବେଳେ ଧାନ କିଣା ଆରମ୍ଭରୁ ହିଁ ସରକାରଙ୍କ ମୁଖା ଖସିପଡ଼ିଛି। ଯେଉଁ ଚାଷୀ ଭଲ ଭାବରେ ଦସ୍ତଖତ କରିପାରେ ନାହିଁ, ତାକୁ ମୋବାଇଲ୍‍ ଯୋଗେ ମେସେଜ ଦେଇ ଧାନକିଣା ବ୍ୟବସ୍ଥା କରାଯିବା ଅତ୍ୟନ୍ତ ଲଜ୍ଜାଜନକ ଓ ଅପରିଣାମଦର୍ଶୀ ନିଷ୍ପତ୍ତି। ଏଭଳି ନିଷ୍ପତ୍ତିକୁ ସଂଗଠନ ତରଫରୁ କଡ଼ା ବିରୋଧ କରାଯାଇ ଆସନ୍ତା କାଲି ଦିବା ୧୧ ଘଟିକାରୁ ମାଷ୍ଟର କ୍ୟାଣ୍ଟିନରୁ ଚାଷୀମାନେ ନବନିର୍ମାଣ ସଂଗଠନ ନେତୃତ୍ୱରେ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରିବେ। ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ଧାନକିଣା ଅବ୍ୟବସ୍ଥାର ସମାଧାନ ଓ ହ୍ୟାଣ୍ଡେଲିଙ୍ଗ ଚାର୍ଜ ନାମରେ ବର୍ଷ ବର୍ଷ ଧରି ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତିର ତଦନ୍ତ ପାଇଁ ଦାବି କରାଯିବ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।

Comments are closed.