ନବନିର୍ମାଣ କୃଷକ ସଂଗଠନର ବିଶାଳ ଚାଷୀ ସମାବେଶ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ମହାସଂଗ୍ରାମ ଆହ୍ୱାନ

ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ମହାସଂଗ୍ରାମ ପାଇଁ ଆହ୍ୱାନ ଦିଆଯାଇଛି। ବୁଧବାର ବରମୁଣ୍ଡା ପଡ଼ିଆରେ ବିଶାଳ ଚାଷୀ ସମାବେଶ ହୋଇଥିଲା। ରାଷ୍ଟ୍ରୀୟ ସମ୍ମିଳନୀର ଖୋଲା ଅଧିବେଶନରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ହରିୟାଣା, କଲକାତା ଓ ଅନ୍ୟାନ୍ୟ ପ୍ରଦେଶରୁ ଆସିଥିବା ଚାଷୀନେତାମାନେ ଯୋଗଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଚାଷୀ ମାରଣନୀତି ଚଳାଇ ଥିବାରୁ ଦେଶର ଅନ୍ନଦାତା ଆତ୍ମହତ୍ୟାର ଶିକାର ହେଉଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ। ବିକେୟୁ (ଈଶ୍ୱର) ସଭାପତି ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ରାକେଶ ରଫିକ୍‍ ପ୍ରମୁଖ ଉଦ୍‍ବୋଧନ ଦେଇ କହିଲେ ଯେ, ଗୋଟିଏ କୃଷି ପ୍ରଧାନ ଦେଶରେ ଓ କୃଷି ପ୍ରଧାନ ରାଜ୍ୟରେ କୃଷକମାନଙ୍କୁ ଜାଣିଶୁଣି ଦରିଦ୍ର କରି ରଖାଯାଉଛି। ସେମାନେ ହାଡ଼ଭଙ୍ଗା ପରିଶ୍ରମ କରି ଦରିଦ୍ର ହେଲା ବେଳେ ପୁଞ୍ଜିପତି ଓ ସରକାରୀ କର୍ମଚାରୀମାନେ କିଭଳି ଘିଅ ମହୁରେ ଭାସିବେ ସେହି ଯୋଜନା କରାଯାଉଛି। ଚାଷୀମାନେ ଦେଶରେ ବାଛ ବିଚାରର ଶିକାର ହୋଇ ବିପିଏଲ୍‍ ତାଲିକାରେ ନାମ ଲେଖାଉଛନ୍ତି। ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ ଯେ, ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ ବଦଳିଗଲେ ବ୍ୟବସ୍ଥା ବଦଳିବ ନାହିଁ। ଚାଷୀମାନଙ୍କର ଜୀବନ ଜୀବିକା ରକ୍ଷା ପାଇଁ ସମ୍ବିଧାନ ଯେଉଁ ପ୍ରତିବଦ୍ଧତା ୨୧ ଧାରାରେ ଉଲ୍ଲିଖିତ ଅଛି, ସେହି ଆଧାରରେ ୨୦ ବର୍ଷ ବୟସ ପ୍ରତ୍ୟେକ ଚାଷୀ ମାସକୁ ୫ ହଜାର ଟଙ୍କା ଦେଇ ଚାଷୀ ଓ ଚାଷକୁ ବଞ୍ଚାଇବା ସହ ଚାଷୀର ଜିଡ଼ିପିକୁ ବଢାଇବା ପାଇଁ ଚାଷୀ ସୁରକ୍ଷା ଭତ୍ତା ଦାବି କରାଯାଇଛି। ଚାଷୀମାନେ ଦେଶର ଜନସଂଖ୍ୟାର ୭୦ ଭାଗ ହୋଇଥିବାରୁ ଶାସନ ପ୍ରଶାସନ ଚାଷୀ ମନସ୍କ ହେବାକଥା। ହେଲେ ୭୦ ବର୍ଷ ପରେ ସବୁ ଓଲଟା ଚାଲିଛି ବୋଲି ସେ କହିଥିଲେ। ସଂଗଠନର ଉପଦେଷ୍ଟା ରବି ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିଗତ ତିନି ଦଶନ୍ଧିରେ ଚାଷୀମାନେ ଯେଭଳି ଅସଂଗଠିତ ଥିଲେ ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଓଡ଼ିଶାରେ ଚାଷୀମାନଙ୍କର ସାଙ୍ଗଠନିକ ଶକ୍ତି ବୃଦ୍ଧି ହେଉଥିବାରୁ ଅନେକ ଯୋଜନା ସରକାର ଚାଷୀମାନଙ୍କ ଭୟରେ କରିଛନ୍ତି। ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ ନବୀନ ସରକାରଙ୍କୁ ଶାଣିତ ଆକ୍ରମଣ କରି କହିଲେ ଯେ, ଓଡ଼ିଶାରେ ୨୦ ବର୍ଷ ହେଲା ଗୋଟିଏ ଚାଷୀ ବିରୋଧୀ ସରକାର ଚାଲିଛି। ଏଠାରେ ଚାଲୁଥିବା ସରକାର କେତେବେଳେ ଚାଷୀଙ୍କ ଆୟ ବୃଦ୍ଧି, ସୁରକ୍ଷା ଓ ସମ୍ମାନ ପାଇଁ ଉଦ୍ୟମ କରୁନଥିବା ବେଳେ କେବଳ ଚାଷୀଙ୍କ ଭୋଟ ପାଇଁ ବହୁବିଧ ଉଦ୍ୟମ ହେଉଛି ଯାହାର ନମୁନା ହେଲା କାଳିଆ ଯୋଜନା। ସହ ସଂଯୋଜକ ଉମାକାନ୍ତ ଭାରତ କହିଲେ ଯେ କୃଷି ପ୍ରଧାନ ଦେଶରେ ଚାଷୀମାନେ ଆଉ ବେଶୀଦିନ ଘରୋଇ କ୍ରୀତଦାସ ହୋଇ ରହିବେ ନାହିଁ। ଏହି ସମାବେଶରେ ସହ ସଂଯୋଜକ ନିମାଇଁ ରାୟ ଓ ରଶ୍ମିରଞ୍ଜନ ସ୍ୱାଇଁ ହିମାଂଶୁ ତିୱାରୀ, କୁମାର ଗୌରବ, ପୁତୁଲ ବେହେନ, ପମ୍ପା ଦାସ, ଗୌତମ ପ୍ରମୁଖ ଯୋଗ ଦେଇଥେôଲ। ପ୍ରାରମ୍ଭରେ ଦେବୀ ପ୍ରସାଦ ମହାରଣା ଓ ରବୀନ୍ଦ୍ର ସାହୁ ବୈପ୍ଳବିକ ସଙ୍ଗୀତ ଗାନ କରିଥିଲେ। ଶେଷରେ ପୁରୀ ଜିଲା ସଂଯୋଜକ ପ୍ରଫୁଲ୍ଲ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.