ବିବାହ ନିମନ୍ତ୍ରଣ କାର୍ଡରେ ରାମ-ସୀତାଙ୍କ ଫଟୋ ଛପାଇଲେ ମୁସଲମାନ ପରିବାର; ଜାଣନ୍ତୁ ଏହାର କାରଣ

ଲକ୍ଷ୍ନୌ: ହିନ୍ଦୁ-ମୁସଲିମ ଧର୍ମକୁ ନେଇ ଅନେକ ସମୟରେ ରାଜନୀତି କରାଯାଉଥିବାବେଳେ ଏକ ମୁସଲମାନ ପରିବାର ନିଜ ଝିଅର ବିବାହ ନିମନ୍ତ୍ରଣ କାର୍ଡରେ ଭଗବାନ ଶ୍ରୀରାମ ଏବଂ ମା’ ସୀତାଙ୍କ ଫଟୋ ଛପାଇ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଏକ ଘଟଣା ନଜର ଆସିଛି ଉତ୍ତର ପ୍ରଦେଶର ଆଲ୍ଲାହାଗଞ୍ଜ ଅଞ୍ଚଳରେ। ଏହି ଘଟଣା ହିନ୍ଦୁ-ମୁସଲିମ ଏକତାର ଏକ ଅନନ୍ୟ ଉଦାହରଣ ପାଲଟିଛି।

ସୂଚନା ମୁତାବକ, ଆଲ୍ଲାହାଗଞ୍ଜ ଥାନା ଚିଲୌଆ ଗାଁରେ ରହୁଥିବା ଇବାରତ ଅଲିଙ୍କ ଝିଅ ରୁଖସାର ବାନୋଙ୍କ ବିବାହ ଆସନ୍ତା ୩୦ ତାରିଖରେ ସ୍ଥିର ହୋଇଛି। ଝିଅର ବିବାହ ପାଇଁ ପରିବାର ଲୋକେ ଯେଉଁ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଛନ୍ତି ସେଥିରେ ମକ୍କା, ମଦୀନା କିମ୍ବା ମୁସଲିମ ଧର୍ମର କୌଣସି ଫଟୋ ଛପାଇ ନାହାନ୍ତି। ବରଂ ହିନ୍ଦୁ ଦେବାଦେବୀ ଭଗବାନ ରାମ-ସୀତାଙ୍କ ସ୍ବୟମ୍ବରର ଫଟୋ ଛପାଇଛନ୍ତି। ଏ ସମ୍ପର୍କରେ ରୁଖସାରଙ୍କ ମା’ ବେବୀଙ୍କ କହିବା ଅନୁଯାୟୀ, ଆମେ ଈଶ୍ଵରଙ୍କ ସହିତ ଆଲ୍ଲାଙ୍କୁ ବି ଭଲପାଉ। ହିନ୍ଦୁ-ମୁସଲମାନ ସମସ୍ତେ ଆମ ପରିବାରର ସଦସ୍ୟ। ସମାଜକୁ ଏହି ବାର୍ତ୍ତା ଦେବା ଲାଗି ଆମେ ଏଭଳି କରିଛୁ।

ଇବାରତ ଅଲି କୁହନ୍ତି, ତାଙ୍କ ଗାଁରେ ୧୫୦୦ ହିନ୍ଦୁ ଅଛନ୍ତି। ଗାଁରେ ତାଙ୍କର ଏକମାତ୍ର ମୁସଲମାନ ପରିବାର। କିନ୍ତୁ ଗାଁରେ ରହୁଥିବା ହିନ୍ଦୁମାନେ ତାଙ୍କୁ କେବେ ମୁସଲମାନ ବୋଲି ଭାବିନାହାନ୍ତି। ସେ ଉଭୟ ହିନ୍ଦୁ ଏବଂ ମୁସଲିମ ଧର୍ମକୁ ମାନନ୍ତି। ସେଥିପାଇଁ ଗାଁର ପ୍ରସିଦ୍ଧ ଦେବୀଙ୍କ ମନ୍ଦିରରେ ସେ ପ୍ରଥମେ ନିଜ ଝିଅର ନିମନ୍ତ୍ରଣ କାର୍ଡ ଅର୍ପଣ କରିଥିଲେ।

Comments are closed.