ପରଲୋକରେ ସୁପ୍ରସିଦ୍ଧ ସଙ୍ଗୀତକାର ’ଖୟାମ୍’

ମୁମ୍ବଇ : ଅନେକ ହୃଦୟସ୍ପର୍ଶୀ ଗୀତର ସ୍ବରକାର ତଥା ସୁପ୍ରସିଦ୍ଧ  ସଙ୍ଗୀତ ନିର୍ଦେଶକ ମହମ୍ମଦ ଜହର ଖୟାମ ହସ୍ମି ଓରଫ ଖୟାମଙ୍କ ୯୨ ବର୍ଷ ବୟସରେ ସୋମବାର ପରଲୋକ ହୋଇଯାଇଛି । ଯାହାକୁ ନେଇ ସମଗ୍ର ବଲିଉଡ ଓ ହିନ୍ଦୀ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।

ସ୍ୱାସ୍ଥ୍ୟଗତ ସମସ୍ୟାଯୋଗୁଁ ତାଙ୍କୁ କିଛି ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଅଧିକ ଜଟିଳ ହେବାରୁ ଅଗଷ୍ଟ ୧୬ରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଅବସ୍ଥା ଜଟିଳ ଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସେ ୨୧ ଦିନ ଯାଏଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

୧୯୫୩ ମସିହାରେ ଫୁଟପାଥ ଫିଲ୍ମରୁ ସେ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୧୯୬୧ ମସିହାରେ ମୁକ୍ତିଲାଭ କରିଥିବା ’ସୋଲା ଔର ସବନମ୍’ରୁ ସେ ଲୋକପ୍ରିୟତା ହାସଲ କରିଥିଲେ। ପରେ ଖୟାମ ସାହାବ ଆଖିର ଖତ, କଭି କଭି, ତ୍ରିଶୁଲ, ନୁରୀ, ବାଜାର ଓ ଉମ୍ରାଓଜାନ ଭଳି ସୁପରହିଟ ଫିଲ୍ମର ସଙ୍ଗୀତକାର ଥିଲେ

ଖୟାମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଟୁଇଟରରେ ଲେଖିଛନ୍ତି, ଖୟାମ ତାଙ୍କର ସ୍ମରଣୀୟ ଗୀତଗୁଡ଼ିକର ମାଧ୍ୟରେ ସବୁଦିନ ପାଇଁ ମନେରହିବେ । ତାଙ୍କର ଅପାର ଉଦ୍ୟମ ଯୋଗୁଁ ଫିଲ୍ମ ଓ କଳା ଜଗତ ସବୁବେଳେ ତାଙ୍କର ନିକଟରେ ଋଣୀ ହୋଇ ରହିବ ।

ବଲିଉଡ ସୁପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ମଧ୍ୟ ଖୟାମଙ୍କ ପରଲୋକରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରସିଦ୍ଧ ସଙ୍ଗିତଜ୍ଞ ଖୟାମ ବହୁତ ଭଲ ଲୋକ ଥିଲେ ବୋଲି ସେ ଟୁଇଟରରେ ଉଲ୍ଲେଖ କରିବା ସହ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

୨୦୦୭ ମସିହାରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାର ମିଳିଥିଲା। ପରେ ଭାରତ ସରକାର ତାଙ୍କୁ ‘ପଦ୍ମ ବିଭୂଷଣ’  ପୁରସ୍କାରରେ ସମ୍ମାନିତ କରିଥିଲେ।

Comments are closed.