ପିତୃହନ୍ତା ସାଜୁଛି ପୁଅ

0

କଟକ: ପିତୃହନ୍ତା ସାଜିଛି ପୁଅ । ଗତକିଛି ଦିନ ମଧ୍ୟରେ ଏଭଳି ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ପୁଅ ହାତରେ ଜନ୍ମଦାତାଙ୍କ ଜୀବନ ଯାଉଛି । ଆଜି ମଧ୍ୟ ଅନୁରୂପ ଘଟଣା କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ ସାପକଣ୍ଟା ଗାଁରେ ଘଟିଛି । ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ଘଟିଛି ।

ସୂଚନାଯୋଗ୍ୟ, ଘରୋଇ କଳହକୁ ନେଇ ଉଭୟ ବାପା ଧିର ମୁଣ୍ଡା ଓ ପୁଅ ଦାସ ମୁଣ୍ଡାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ରାଗିଯାଇ ପୁଅକୁ ମାରିବା ପାଇଁ ବାପା ବାଡି ଉଠାଇଥିଲେ । କିନ୍ତୁ ବାପା ମାରିବା ପୂର୍ବରୁ ସେଠାରେ ପଡିଥିବା ଏକ ଠେଙ୍ଗାରେ ପୁଅ ବାପା ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଗୁରୁତର ଅବସ୍ଥାରେ ଧିର ମୁଣ୍ଡାଙ୍କୁ ନିକଟସ୍ଥ ଡାକ୍ତଖାନା ନିଆ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।

ଗତକାଲି ପୃଥକ୍‍ ପୃଥକ୍‍ ସ୍ଥାନରେ ପୁଅ ହାତରେ ଜନ୍ମଦାତା ପ୍ରାଣ ହାରିଥିଲେ । ଅନୁଗୁଳରେ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ପୁଅର ହାତୁଡ଼ି ମାଡରେ ବୃଦ୍ଧ ବାପା,ମା’ ଙ୍କ ଜୀବନ ଯାଇଥିବା ବେଳେ ଦେବଗଡ଼ରେ ମଦ୍ୟପ ପୁଅର ଗୁଳିମାଡ଼ରେ ବାପା ମୃତ୍ୟୁ ବରଣ କରିଥିଲେ ।

ଅନୁଗୁଳ ଜିଲା ରାଜକିଶୋରନଗର ଥାନା ଅନ୍ତର୍ଗତ ବରପଦର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ଦୁଃଖିଶ୍ୟାମ ବଘାର ବାପା କରୁଣାକର ବଘାର ଓ ମା’ ଚମ୍ପା ବାଘାରଙ୍କୁ ହାତୁଡ଼ିରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ପୁଅ ଦୁଃଖିଶ୍ୟାମଙ୍କୁ ପୁଲିସ ଥାନାରେ ଅଟକ ରଖିଥିଲା ।

ସେହିପରି ଦେବଗଡ଼ ଜିଲା କୁଣ୍ଡୋଇଗୋଳା ଥାନା ଅନ୍ତର୍ଗତ ଶ୍ରୁଙ୍ଗିପାଳ ଗାଁରେ ମଦ୍ୟପ ପୁଅର ଗୁଳିମାଡ଼ରେ ବାପାର ମୃତ୍ୟୁ ଘଟିଥିଲା । କୌଣସି କାରଣକୁ ନେଇ ବାପା ଭାଗିରଥୀ ମୁଣ୍ଡା ଓ ପୁଅ ଅଜୁ ମୁଣ୍ଡାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଅଜୁ ଘରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ଆଣି ବାପାଙ୍କୁ ମାରିବାକୁ ଧମକ ଦେଇଥିଲା। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ବେଳେ ବନ୍ଧୁକରୁ ଗୁଳି ଫୁଟି ଭାଗିରଥୀ ମୁଣ୍ଡାଙ୍କ ପେଟରେ ବାଜିଥିଲା। ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ଭାଗିରଥୀ ମୁଣ୍ଡା।

Leave A Reply