ମହିଳାଙ୍କ ତଣ୍ଟି କାଟି ରାଜମିସ୍ତ୍ରି ଫେରାର୍‍

0

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। କ୍ୟାପିଟାଲ୍‍ ଥାନା ଅଧୀନ ଅଶୋକନଗର ସିପିଆଇ(ଏମ୍‍ଏଲ୍‍) ବସ୍ତିରେ ଜଣେ ମହିଳାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମହିଳାଙ୍କ ପରିଚୟ ଜଣାପଡିନାହିଁ। ମହିଳା ଜଣକ ଶ୍ରମିକ ଶ୍ରେଣୀର। କ୍ୟାପିଟାଲ୍‍ ଥାନା ପୁଲିସ ମୃତଦେହକୁ ଜବତ କରିଛି। ଘରକୁ ରାତିରେ ପୁଲିସ ସିଲ୍‍ କରିଦେଇଛି। ମହିଳାଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣକ ଫେରାର୍‍ ହୋଇଯାଇଛି। ଉକ୍ତ ବ୍ୟକ୍ତି ଜଣକ ରାଜମିସ୍ତ୍ରି। ତାଙ୍କ ଘର ବିହାର ବୋଲି ସ୍ଥାନୀୟ ଲୋକେ ପୁଲିସକୁ କହିଛନ୍ତି। ବିହାରୀ ମିସ୍ତ୍ରିଙ୍କୁ ପୁଲିସ ଖୋଜିବା ଲାଗି ବିଭିନ୍ନ ଅଞ୍ଚଳରେ ଚଢ଼ଉ ଚଳାଇଛି।
କ୍ୟାପିଟାଲ୍‍ ଥାନା ଅଧିକାରୀ ଏସିପି ମାନସରଞ୍ଜନ ଗଡ଼ନାୟକଙ୍କ କହିବା ଅନୁସାରେ ଗତ କିଛି ମାସ ହେବ ବସ୍ତିରେ ୫୦୦ ଟଙ୍କାରେ ଏକ ଘର ଭଡ଼ା ନେଇ ରାଜମିସ୍ତ୍ରି ରହୁଥିଲେ। ତାଙ୍କ ପାଖରେ ଏହି ମହିଳା ଜଣକ ଆସି ରହୁଥିଲେ। ତେବେ କେଉଁ କାରଣ ଲାଗି ରାଜମିସ୍ତ୍ରି ଜଣକ ମହିଳାଙ୍କୁ ହତ୍ୟା କଲେ ତାହା ଜଣାପଡୁନାହିଁ। ସ୍ଥାନୀୟ ଲୋକେ ପୁଲିସକୁ କହିବା ଅନୁସାରେ ଉକ୍ତ ରାଜମିସ୍ତ୍ରି ସହିତ ପୂର୍ବରୁ ଏକାଧିକ ମହିଳା ରହି କାମ କରୁଥିଲେ। ଗତ କିଛି ଦିନ ହେବ ଏହି ମହିଳା ଜଣକ ରାଜମିସ୍ତ୍ରି ପାଖରେ ରହୁଥିଲା ଏବଂ ସାଙ୍ଗ ହୋଇ କାମକୁ ଯାଉଥିଲେ। ରବିବାର ସେମାନେ କାମରୁ ସଂଧ୍ୟା ବେଳେ ଫେରିବା ପରେ
ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ରାତିରେ ଉକ୍ତ ରାଜମିସ୍ତ୍ରି ଜଣକ ଉକ୍ତ ଘଟଣା ଘଟାଇବା ପରେ ଘରୁ ବାହାରି ପଳାଇଥିବା ପୁଲିସ ସନ୍ଦେହ କରୁଛି। ଘରର କବାଟ ଖୋଲା ଥିବାରୁ କିଛି ଲୋକ ସନ୍ଦେହରେ ଘର ଭିତରକୁ ଯିବା ବେଳେ ମହିଳା ଜଣକ ନିସ୍ତେଜ ହୋଇପଡିଥିବା ଦେଖିବାକୁ ପାଇଥିଲେ। ଚଟାଣରେ ରକ୍ତର ଛିଟା ପଡିଥିଲା। ତେଣୁ ଲୋକମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ବିଳମ୍ବିତ ରାତି ହୋଇଯାଇଥିବାରୁ ପୁଲିସ ଘରକୁ ସିଲ୍‍ କରି ଦେଇଛି।

Leave A Reply