ସାନଭାଇର ଠେଙ୍ଗାମାଡ଼ରେ ବଡ଼ଭାଇର ମୃତ୍ୟୁ

0

ଦିଗପହଣ୍ଡି: ସାମାନ୍ୟ କାଙ୍କଡ଼ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ତୁଚ୍ଛ ହେବା ସହିତ କାଙ୍କଡ଼ ଗଛ ୁଉପାଡିବାକୁ କେନ୍ଦ୍ର କରି ଦୁଇ ଭାଇର ପରିବାରର ସଦସ୍ୟଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି। ଉତ୍ତ୍ୟକ୍ତ ସାନଭାଇର ଠେଙ୍ଗାମାଡ଼ରେ ବଡ଼ଭାଇ ନାଥ ମଳିକ (୬୦)ର ମୃତ୍ୟୁ ହୋଇଯାଇଛି। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‍ ପୁଡ଼ାମାରୀ ପଦ୍ମପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ରହୁଥିବା ସାନଭାଇ ଉଦୟ ମଳିକ(୫୫) ଓ ବଡ଼ ଭାଇ ନାଥ ମଳିକ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ଦୁଇ ଭାଇ ନିଜ ପରିବାର ସହ ଅଲଗା ହୋଇ ରହୁଛନ୍ତି। ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟା ହୋଇଯାଇଥିବାବେଳେ ଘରପଛପଟେ ଥିବା କିଛି ସାଗୁୂଆନ ଗଛ ଓ କାଙ୍କଡ଼ ଗଛ ବଣ୍ଟା ହୋଇପାରିନାହିଁ। ଏବେ
ଗଛରୁ କାଙ୍କଡ଼ ଉତ୍ପାଦିତ ହେଉଥିବାବେଳେ ସବୁ କାଙ୍କଡ଼ ବଡ଼ଭାଇ ନେଇଯାଉଥିବା ଅଭିଯୋଗ ହୋଇଥିଲା।
ଏହାକୁ ନେଇ ଦୁଇ ଭାଇ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବାରେ ଲାଗିଛି। କାଙ୍କଡ଼ ଗଛକୁ ନେଇ ଗଣ୍ଡଗେଳ ହେଉଥିବାରୁ ଏହାକୁ ଉପାଡି ଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ଭାବି ସାନଭାଇ ଉଦୟ ଆଜି ସକାଳୁ ଘରପଛ ପଟେ ଥିବା କାଙ୍କଡ଼ ଗଛକୁ ଉପାଡ଼ି ଦେଇଥିଲା। ଏହାକୁ ନେଇ ଉଦୟ ଏବଂ ନାଥଙ୍କ ପୁଅ ଚିତ୍ର ମଳିକ ମଧ୍ୟରେ ବଚସା ହୋଇଥିଲା।
ପରେ ଉଭୟ ହାତାହାତି ମଧ୍ୟ ହୋଇଥିଲେ। ପରେ ଦୁଇ ପରିବାରର ସଦସ୍ୟଙ୍କ ମଧ୍ୟରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ନାଥଙ୍କ ପୁଅ ଚିତ୍ରକୁ ଉଦୟ ପରିବାର ସଦସ୍ୟମାନେ ମରଣାନ୍ତକ ଆକ୍ରମଣ କରିବାବେଳେ ସେଠାରେ ଉପସ୍ଥିତ ନାଥ ଏହାକୁ ରୋକିବାକୁ ଉଦ୍ୟମ କରିଥିଲା। ତେବେ ଗଣ୍ଡଗୋଳ ଏତେ ତୀବ୍ର ଥିଲା ଯେ କେହି ହେଲେ ଏଥିରୁ ବିରତ ହୋଇନଥିଲେ। ସାନ ଭାଇ ଉଦୟ ଏକ ଠେଙ୍ଗାରେ ବଡ଼ଭାଇ ନାଥକୁ ଆକ୍ରମଣ କରିଥିଲା। ରକ୍ତାକ୍ତ ଅବସ୍ଥାରେ ନାଥ ଏବଂ ତାଙ୍କ ପୁଅ ଚିତ୍ରକୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତରଖାନାରେ ନାଥର ମୃତ୍ୟୁ ହୋଇଯାଇଥିଲା। ଦିଗପହଣ୍ଡି ଥାନା ପୁଲିସ ଶବକୁ ଜବତ କରିବା ପରେ ମାମଲାକୁ ପାଟପୁର ଥାନାକୁ ହସ୍ତାନ୍ତ କରିଥିଲେ। ଘଟଣା ସମ୍ପର୍କରେ ପାଟପୁର ପୁଲିସ ତଦନ୍ତ କରିଛି। ଗିରଫ ଭୟରେ ଉଦୟ ମଳିକ ପରିବାର ଗାଁରୁ ନିଖୋଜ ହୋଇଯାଇଛନ୍ତି। ଏହି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply