ରାସ୍ତାରେ ଯୁବକଙ୍କ ଗଳାକାଟି ହତ୍ୟା

0

କାଶୀନଗର: କାଶୀନଗର ଥାନା ଅନ୍ତର୍ଗତ ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁର ସଞ୍ଜିବ(୪୦) ନାମରେ ଜଣେ ଯୁବକକୁ ଖାରଡ଼ା ଓ ସୀତାପୁର ଗ୍ରାମ ମଧ୍ୟସ୍ଥଳୀରେ ତୀକ୍ଷ୍ମ ଅସ୍ତ୍ର ଦ୍ୱାରା ବେକକୁ ହାଣି ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ହତ୍ୟା ଭିଆଇ ଆସାମୀମାନେ ଫେରାର ହୋଇ ଯାଇଛନ୍ତି।
ଘଟଣାଟି ସକାଳ ୮ ଘଣ୍ଟା ସମୟରେ ଘଟିଥିଲା। ନିହତ ସଞ୍ଜିବ ଆଜି ଭୋରରେ ନିଜର ଏକ ମାମଲାରେ ହାଜର ହେବାକୁ ଅନ୍ୟ ଜଣଙ୍କ ସହ ପାରଳାଖେମୁଣ୍ଡି ଯାଉଥିଲେ। ତାଙ୍କ ସହ ବାଇକରେ ଯାଉଥିବା ଏସ.ରାମୁଙ୍କ ଉପସ୍ଥିତିରେ ଦୁର୍ବୃତ୍ତମାନେ ଏଭଳି ଅଭାବନୀୟ
କାରନାମା ଘଟାଇଛନ୍ତି। ସଞ୍ଜିବ ବାଇକରେ ଖାରଡା ରାସ୍ତାରେ ପାରଳାଖେମୁଣ୍ଡି ଯାଉଥିବା ବେଳେ ବାଟରେ କେତେକ ଯୁବକ ତାଙ୍କୁ ଅଟକାଇ ତେଲ ମାଗିଥିଲେ। ସଞ୍ଜିିବ ଅଟକିବା କ୍ଷଣି ଦୁର୍ବୃତ୍ତମାନେ ଅଚାନକ ଏକ ତୀକ୍ଷ୍ଣ କାତିରେ ବେକକୁ କାଟି ଦେଇଥିଲେ। ଅତର୍କିତ ଏଭଳି ଘଟଣା ଦେଖି ବାଇକ ପଛରେ ବସିଥିବା ରାମୁ ପ୍ରାଣ ଭୟରେ ବିଲ ପଟକୁ ଦୌଡି ଚାଲି ଯାଇଥିଲା। ଆକ୍ରମଣକାରୀଙ୍କ ସହ ସଞ୍ଜିବର ପୂର୍ବରୁ ଶତ୍ରୁତା ରହିଥିବା ଅନୁମାନ କରାଯାଉଛି ବୋଲି କାଶୀନଗର ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
ଘଟଣାସ୍ଥଳରେ କାଶୀନଗର ଥାନା ଅଧିକାରୀଙ୍କ ସହ ଜିଲା ଆରକ୍ଷୀ ଅଧିକ୍ଷକ ଅମୂଲ୍ୟକୁମାର ଦାସ ଓ ପାରଳା ଥାନା ଅଧିକାରୀ ବାବୁଲି ନାୟକ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି। ପ୍ରତ୍ୟକ୍ଷଦର୍ଶୀ ତଥା ସାଙ୍ଗରେ ଯାଇଥିବା ରାମୁକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ପଠାଇଛି। ମୃତ ସଞ୍ଜିବ ଜଣେ କଂଗ୍ରେସ କର୍ମୀ। ଖବର ପାଇ ଘଟଣାସ୍ଥଳକୁ ବିଧାୟକ କେ. ସୂରିୟା ରାଓ,
ତିରୁପତି ପାଣିଗ୍ରାହୀ ଓ ବହୁ କଂଗ୍ରେସ କର୍ମୀ ପହଞ୍ଚି ଥିଲେ। ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି। ଘଟଣାର ଅନୁସନ୍ଧାନ ଜାରି ରହିଛି। ହତ୍ୟାର କାରଣ ଜଣାପଡିନି।

Leave A Reply