ପୁଅ ହାତରେ ଗଲା ଜନ୍ମଦାତାଙ୍କ ଜୀବନ

0

ଅନୁଗୁଳ/ଦେବଗଡ଼: ଶୁକ୍ରବାର ପୃଥକ୍‍ ପୃଥକ୍‍ ସ୍ଥାନରେ ପୁଅ ହାତରେ ଜନ୍ମଦାତାଙ୍କ ଜୀବନ ଯାଇଛି। ଅନୁଗୁଳରେ ପୁଅ ହାତୁଡ଼ିରେ ପିଟି ବାପା,ମା’ଙ୍କୁ ହତ୍ୟା କରିଥିବା ବେଳେ ଦେବଗଡ଼ରେ ମଦ୍ୟପ ପୁଅର ଗୁଳିମାଡ଼ରେ ବାପାଙ୍କ ଜୀବନ ଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ଜିଲା ରାଜକିଶୋରନଗର ଥାନା ଅନ୍ତର୍ଗତ ବରପଦର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ପୁଅ ଦୁଃଖିଶ୍ୟାମ ବଘାର ବାପା କରୁଣାକର ବଘାର ଓ ମା’ ଚମ୍ପା ବାଘାରଙ୍କୁ ହାତୁଡ଼ିରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛି। ଅଭିଯୁକ୍ତ ଦୁଃଖିଶ୍ୟାମକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଦୁଃଖିଶ୍ୟାମ ତାଙ୍କ ସ୍ତ୍ରୀଙ୍କୁ ପିଟୁଥିବା ବେଳେ ବାପା ମା’ ବାରଣ କରିଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ଦୁଃଖିଶ୍ୟାମ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଥିଲା।
ସେହିପରି ଦେବଗଡ଼ ଜିଲା କୁଣ୍ଡୋଇଗୋଳା ଥାନା ଅନ୍ତର୍ଗତ ଶ୍ରୁଙ୍ଗିପାଳ ଗାଁରେ ମଦ୍ୟପ ପୁଅର ଗୁଳିମାଡ଼ରେ ବାପାର ମୃତ୍ୟୁ ଘଟିଛି। କୌଣସି କାରଣକୁ ନେଇ ବାପା ଭାଗିରଥୀ ମୁଣ୍ଡା ଓ ପୁଅ ଅଜୁ ମୁଣ୍ଡାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପୂର୍ବରୁ ଉଭୟେ ମଦ ପିଇଥିବା ଜଣାପଡ଼ିଛି। ଏହାପରେ ଘରେ ଥିବା ଏକ ଦେଶୀ ବନ୍ଧୁକରୁ ପୁଅ ଅଜୁ ବାପା ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ଭାଗିରଥୀଙ୍କ ପେଟଦେଇ ବାହାରି ଯାଇଥିଲା। ଘଟଣାସ୍ଥଳରେ ହିଁ ଭାଗିରଥୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply