ପୌର ନିର୍ବାଚନକୁ ନେଇ ଆଶଙ୍କା

0

ଭୁବନେଶ୍ୱର  : ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସପ୍ତାହକ ମଧ୍ୟରେ ସରକାର ସୁପ୍ରିମକୋର୍ଟ ଯିବେ। ସଂରକ୍ଷଣ ହାର ୫୦% ଟପିବ ନାହିଁ ବୋଲି ହାଇକୋର୍ଟଙ୍କ ନିର୍ଦେଶ ଥିବାରୁ ଯଥାସମୟରେ ପୌର ନିର୍ବାଚନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ପୌର ନିର୍ବାଚନ ପାଖେଇ ଆସୁଥିବାରୁ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଅବଗତ କରିବାକୁ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନ ନିର୍ଦେଶ ଦେଇଥିଲେ। ସଂରକ୍ଷଣ ସଂକ୍ରାନ୍ତ ହାଇକୋର୍ଟଙ୍କ ନିର୍ଦେଶକୁ ନେଇ ସମସ୍ୟା ଥିବାରୁ ଏହାର ସମାଧାନ କରି ନିର୍ବାଚନ କରିବା ପାଇଁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି ପୌର ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରୁ ୨୦୧୯ ଫେବୃଆରୀ ୧୩ ତାରିଖ ମଧ୍ୟରେ ରାଜ୍ୟର ୯୩ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି। ନିର୍ବାଚନରେ ଅନୁସୂଚିତ ଅଞ୍ଚଳକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣ ୫୦%ରୁ ଅଧିକ ନରଖିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ବ୍ୟବସ୍ଥାରୁ ୯୦ଟି ପୌର ସଂସ୍ଥାରୁ ୫୫ଟିରେ ସଂରକ୍ଷଣ ହାର ୫୦%ରୁ ଅଧିକ ରହିଛି। ହାଇକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବାକୁ ହେଲେ ପୌରାଞ୍ଚଳର ସୀମା ପୁନଃନିର୍ଦ୍ଧାରଣ, ସ୍ଥାନ ସଂରକ୍ଷଣ ଓ ନିର୍ବାଚନ ପରିଚାଳନା ନିୟମ ୧୯୯୪ରେ ସଂଶୋଧନ ଆବଶ୍ୟକ। ଏହା ସମୟସାପେକ୍ଷ ଥିବାରୁ ହାଇକୋର୍ଟଙ୍କ ନିର୍ଦେଶ ଉପରେ ସ୍ଥଗିତାଦେଶ ଆଣି ନିର୍ବାଚନ କରିବାକୁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିବେ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ସରକାର ପଦକ୍ଷେପ ନେବେ। ପୂର୍ବରୁ ପଛୁଆବର୍ଗଙ୍କ ପାଇଁ ୨୭% ଆସନ ସଂରକ୍ଷିତ ରହୁଥିବା ବେଳେ ହାଇକୋର୍ଟଙ୍କ ରାୟ ମୁତାବକ ଏହା ୧୧% ରହିବ।
ପୌର ନିର୍ବାଚନ ପାଇଁ ଜିଲାପାଳମାନେ ଇତିମଧ୍ୟରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ତଥ୍ୟକୁ ଚାଲେଞ୍ଜ କରି ବିଭିନ୍ନ ପୌର ସଂସ୍ଥାର ଜନସାଧାରଣ ଦେଇଥିବା ଆପତ୍ତି ଅଭିଯୋଗର ଶୁଣାଣି ସରିଛି। ଅନେକ ସ୍ଥାନରେ ସଂରକ୍ଷଣ ହାର ଅଧିକ ଥିବାରୁ ସରକାର ଚୂଡ଼ାନ୍ତ ତାଲିକା ନିର୍ବାଚନ କମିଶନଙ୍କୁ ଦେଇ ନାହାନ୍ତି। ପୂର୍ବରୁ ୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ହାର ଅଧିକ ଥିଲା। ଏହା ସୁପ୍ରିମକୋର୍ଟଙ୍କ ୨୦୧୦ର ରାୟକୁ ଉଲ୍ଲଘଂନ କରୁଥିବା ଦର୍ଶାଇ ହାଇକୋର୍ଟରେ ୧୦୦ରୁ ଅଧିକ ଜନସ୍ୱାର୍ଥ ମାମଲା ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ସଂରକ୍ଷଣ ହାର ଉପରେ ନିର୍ଦେଶ ଦେଇଥିଲେ।

Leave A Reply