ସାମାଜିକ କର୍ମୀ ଗୌରୀ ସାୱନ୍ତ ହେଲେ ପ୍ରଥମ କିନ୍ନର ପ୍ରଚାରକ

0

ନୂଆଦିଲ୍ଲୀ: ସାମାଜିକ କର୍ମୀ ତଥା କିନ୍ନରମାନଙ୍କ ମତଦାନ ଅଧିକାର ନେଇ କାର୍ଯ୍ୟ କରୁଥିବା ଗୌରୀ ସାୱନ୍ତଙ୍କୁ ନିର୍ବାଚନ କମିଶନ ପ୍ରଚାରକ ଭାବେ ନିଯୁକ୍ତି ଦେଇଛନ୍ତି । ନିର୍ବାଚନ ପ୍ରଚାରକ ଭାବେ ନିଯୁକ୍ତି ପାଇଥିବା ୧୨ ଜଣଙ୍କ ମଧ୍ୟରେ ସେ ହେଉଛନ୍ତି ପ୍ରଥମ କିନ୍ନର ପ୍ରଚାରକ। ମିଳିଥିବା ସୂଚନା ଅନୁଯାୟୀ, ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନ ସମୟରେ ଦେଶରେ କୌଣସି କିନ୍ନର ଭୋଟର ନ ଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ୨୦୧୪ରେ କିନ୍ନରମାନଙ୍କୁ ମତଦାନ ଅଧିକାର ମିଳିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ୯୧୮ କିନ୍ନର ଭୋଟର ଥିବାବେଳେ ପାଞ୍ଚ ବର୍ଷ ଭିତରେ ଏବେ କିନ୍ନର ଭୋଟର ସଂଖ୍ୟା ଦ୍ୱିଗୁଣରୁ ଅଧିକ ହୋଇ ୨୦୮୬ରେ ପହଞ୍ଚିଛି। ପୂର୍ବ ମୁମ୍ବାଇରେ ୧୨୩, କଲ୍ୟାଣରେ ୧୮୪, ଭିୱାଣ୍ଡିରେ ୧୧୩ ଏବଂ ଉତ୍ତର ମୁମ୍ବାଇରେ ସର୍ବାଧିକ ୩୨୪ ଜଣ କିନ୍ନର ଭୋଟର ତାଲିକାରେ ପଞ୍ଜିକୃତ ହୋଇଛନ୍ତି । ନିର୍ବାଚନ କମିଶନ କହିଛନ୍ତି, ଗୌରୀ ସାୱନ୍ତଙ୍କ ନିଯୁକ୍ତି ଶେଷ ପର୍ଯ୍ୟାୟ ଭୋଟର ତାଲିକା ପ୍ରସ୍ତୁତିରେ ଅଧିକ କିନ୍ନର ଭୋଟର ଅନ୍ତର୍ଭୁକ୍ତ କରିବାରେ ସହାୟକ ହେବ । । ଗୌରୀ ସାୱନ୍ତ ସମସ୍ତ କିନ୍ନରମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କୁ ମତଦାନ ପାଇଁ ପ୍ରବର୍ତ୍ତାଇବେ। ନିର୍ବାଚନ କମିଶନ ଚଳିତ ନିର୍ବାଚନରେ ଅଧିକରୁ ଅଧିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଖେଳାଳୀ, ଚଳଚ୍ଚିତ୍ର ନିର୍ମାତା ଓ ସାହିତ୍ୟିକମାନଙ୍କୁ ପ୍ରଚାରକ ଭାବେ ମନୋନୀତ କରିଛନ୍ତି।

Leave A Reply