ଶିବସେନାର କିଶୋରୀ ବିଏମ୍‌ସି ମେୟର ନିର୍ବାଚିତ

ମୁମ୍ବଇ : ଶିବସେନା କର୍ପୋରେଟର କିଶୋରୀ ପେଡନେକର ବୃହତ୍‌ମୁମ୍ବଇ ମହାନଗର ନିଗମ (ବିଏମ୍‌ସି)ର ୭୭ତମ ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ଦଳର ସୁହାସ ୱାଡ଼କର ଡେପୁଟି-ମେୟର ଭାବେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ, ଏନ୍‌ସିପି କିମ୍ବା ବିଜେପି କେହି ହେଲେ ସେମାନଙ୍କ ବିରୋଧରେ ପ୍ରାର୍ଥୀ ନ ଦେବା ଫଳରେ ଉଭୟ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ମହାନଗର ନିଗମରେ ଶିବସେନାର ସର୍ବାଧିକ ସଂଖ୍ୟକ କର୍ପୋରେଟର ଅଛନ୍ତି। କିଶୋରୀ ହେଉଛନ୍ତି ଦକ୍ଷିଣ ମୁମ୍ବଇ ଅନ୍ତର୍ଗତ ଲୋୟର ପାରେଲ୍‌ର କର୍ପୋରେଟର। ସେଠାରୁ ସେ ତିନିଥର ନିର୍ବାଚିତ ହୋଇଛନ୍ତି। ମେୟର ନିର୍ବାଚିତ ହେବା ପରେ କିଶୋରୀ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଭେଟି ଆଶୀର୍ବାଦ ଆଣିଛନ୍ତି। ତାଙ୍କ କାର୍ଯ୍ୟକାଳ ଅଢ଼େଇ ବର୍ଷ। ନିଗମର ୨୨୭ ଆସନ ମଧ୍ୟରୁ ଶିବସେନାର ୯୪ ସଦସ୍ୟ ଥିବାବେଳେ ବିଜେପିର ୮୩, କଂଗ୍ରେସର ୨୯ ଓ ଏନ୍‌ସିପିର ୮ ସଦସ୍ୟ ଅଛନ୍ତି। ସେହିଭଳି ଶୁକ୍ରବାର ମୁମ୍ବଇ, ଥାଣେ, ପୁଣେ, ଔରଙ୍ଗାବାଦ ଭଳି ୨୭ଟି ପୌରାଞ୍ଚଳର ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ମେୟର ନିର୍ବାଚନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା।

Comments are closed.