ମୁମ୍ବଇକୁ ଜିତାଇଲେ କ୍ରୁନାଲ

0

ଇନ୍ଦୋର : ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ୬ ୱିକେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛି ମୁମ୍ବଇ ଇଣ୍ଡିଆନ୍‌ସ। ମୁମ୍ବଇର ଏହି ବିଜୟରେ କ୍ରୁନାଲ ପାଣ୍ଡ୍ୟାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ୧୭୫ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ମୁମ୍ବଇ ଦଳ ୧୯ ଓଭରରେ ୪ ୱିକେଟ ହରାଇ ୧୭୬ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା। କ୍ରୁନାଲ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୧୨ଟି ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ଅପରାଜିତ ୩୧ ରନ୍‌ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୫୭ ଓ ଅଧିନାୟକ ରୋହିତ ଶର୍ମା ଅପରାଜିତ ୨୪ ରନ୍‌ ସଂଗ୍ରହ କରିଥିଲେ।
ମୂଳରୁ ଟସ୍‌ରେ ଜିତି ମୁମ୍ବଇ ଇଣ୍ଡିଆନ୍‌ସ ପ୍ରଥମ ବ୍ୟାଟିଂ କରିବାକୁ କିଙ୍ଗସ୍‌ ଏକାଦଶ ପଞ୍ଜାବକୁ ଆମନ୍ତ୍ରଣ କରିଥିଲା। ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିଥିଲେ କେଏଲ୍‌ ରାହୁଲ ଓ କ୍ରିସ୍‌ ଗେଲ୍‌। ଏହି ମ୍ୟାଚ୍‌ରେ ମଧ୍ୟ ଗେଲ୍‌ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ଦଳର ସ୍କୋର ୫୪ ରନ୍‌ ହୋଇଥିବା ବେଳେ ରାହୁଲ ଆଉଟ୍‌ ହୋଇଥିଲେ। ସେ ବ୍ୟକ୍ତିଗତ ଭାବେ ୧ଟି ଚୌକା ଓ ୨ଟି ଛକା ସହାୟତାରେ ୨୪ ରନ୍‌ କରି ମାର୍କଣ୍ଡେଙ୍କ ଶିକାର ହୋଇଥିଲେ। ରାହୁଲ ଆଉଟ୍‌ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଯୁବରାଜ ଓ ଗେଲ୍‌ ଦଳର ସ୍କୋରକୁ ଆଗକୁ ବଢ଼ାଇ ନେଇଥିଲେ। ଦଳର ସ୍କୋର ୮୮ ରନ୍‌ ହୋଇଥିବା ବେଳେ ଗେଲ୍‌ ବ୍ୟକ୍ତିଗତ ଭାବେ ୪୦ଟି ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୫୦ ରନ୍‌ କରି କଟିଙ୍ଗଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଯୁବରାଜ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ଦଳର ସ୍କୋର ୯୬ ରନ୍‌ ହୋଇଥିବା ବେଳେ ଯୁବରାଜ ବ୍ୟକ୍ତିଗତ ଭାବେ ୧ଟି ଛକା ସହାୟତାରେ ୧୪ ରନ୍‌ କରି ରନଆଉଟ୍‌ ହୋଇଥିଲେ। ଏହା ବ୍ୟାଟିଂ କରିବାକୁ ଆସିଥିବା କରୁଣ ନାଏର ୧୨ଟି ବଲ୍‌ରୁ ୧ଟି ଚୌକା ଓ ୨ଟି ଛକା ସହାୟତାରେ ୨୩ ରନ୍‌ କରି ଆଉଟ୍‌ ହୋଇଥିଲେ। ସେତେବେଳେ ଦଳର ସ୍କୋର ଥିଲା ୧୩୨ ରନ୍‌। ଦଳର ସ୍କୋର ୧୩୫ ରନ୍‌ ହୋଇଥିବା ବେଳେ ୫ମ ୱିକେଟ୍‌ର ପତନ ଘଟିଲା। ଶେଷ ବେଳକୁ ମୟଙ୍କ ୭ଟି ବଲ୍‌ରୁ ୧ଟି ଛକା ସହାୟତାରେ ୧୧ ରନ୍‌ କରି ହାର୍ଦିକଙ୍କ ବଲ୍‌ରେ ଆଉଟ୍‌ ହୋଇଥିବା ବେଳେ ଷ୍ଟୋଇନିସ୍‌ ୧୫ଟି ବଲ୍‌ରୁ ୨ଟି ଛକା ଓ ୨ଟି ଚୌକା ସହାୟତାରେ ୨୯ ରନ୍‌ କରି ଅପରାଜିତ ରହିଥିଲେ।

Leave A Reply