ମୁମ୍ବଇ ଡବାବାଲାଙ୍କ ବଦାନ୍ୟତା

ମୁମ୍ବଇ : ମୁମ୍ବଇ ବାସିନ୍ଦା ଏଇ ଡବ୍‌ବାବାଲାଙ୍କ ସହ ଭଲଭାବେ ଅଭ୍ୟସ୍ତ। ଅଧିକାଂଶ ଲୋକ ଏଇ ଡବ୍‌ବାବାଲାଙ୍କ ଖାଦ୍ୟ ଉପରେ ନିର୍ଭର କରି ରୁହନ୍ତି। ଏବେ ଏମାନଙ୍କ ବ୍ୟବସାୟ ବେଶ୍ ଭଲ ଚାଲୁଥିବାର ପ୍ରକାଶ। ମୁମ୍ବଇର ଭର୍ସୋଭା ନିବାସୀ ଜିତେନ୍ ଡବ୍‌ବାବାଲା ସ୍ଥାନୀୟ ଅଞ୍ଚଳରେ ଖୁବ୍ ଲୋକପ୍ରିୟ। ଦୈନିକ ଏହି ଡବ୍‌ବାବାଲାମାନେ ପ୍ରାୟ ୩ହଜାର ଲୋକଙ୍କ ଘରେ ଡବ୍‌ବା ପହଞ୍ଚାଉଥିବାବେଳେ ୧୪୧ଟି କାର୍ଯ୍ୟାଳୟ ସହ ମଧ୍ୟ ଚୁକ୍ତି ରହିଛି। ଜିତେନ୍‌ କହିଛନ୍ତି ୨୧ ବର୍ଷ ତଳେ ସେ ଏଇ ବ୍ୟବସାୟ ଆରମ୍ଭ କରିଥିଲେ। ସେସମୟରେ ପ୍ରତିଯୋଗିତା ଏତେ ଜୋର୍ ନଥିଲା। ସେ ଓ ତାଙ୍କ ପତ୍ନୀ ମିଶି ପ୍ରଥମେ ୧୫ଜଣଙ୍କ ଘରକୁ ଡବ୍‌ବା ଯୋଗାଉଥିଲେ। ପରେ ସଂଖ୍ୟା ବଢ଼ିଥିଲା ଓ ସେମାନେ କର୍ମଚାରୀ ରଖିଥିଲେ। ଆଜି ମଧ୍ୟ ଜିତେନ୍‌ଙ୍କ ପତ୍ନୀ ଡାଲି ଛୁଙ୍କ ଦେବା ସହ ତରକାରି ପ୍ରସ୍ତୁତ କରନ୍ତି। ଅଧିକାଂଶ ଦିନ ଡବ୍‌ବାର ଖାଦ୍ୟ ବଳିପଡ଼େ, ସେସବୁ ଖାଦ୍ୟକୁ ଫିଙ୍ଗା ନଯାଇ ମୁମ୍ବଇର ବସ୍ତି ପିଲାଙ୍କ ମଧ୍ୟରେ ବଣ୍ଟାଯାଏ। ଜିତେନ୍‌ ଡବ୍‌‌ବାବାଲା ମାସକୁ ୨ଥର ସିଦ୍ଧି ବିନାୟକ ମନ୍ଦିର ପାଖରେ ଗରିବଲୋକଙ୍କୁ ମାଗଣା ଖାଦ୍ୟ ବାଣ୍ଟନ୍ତି। ଖୁବ୍ ଶୀଘ୍ର ସେମାନେ ସପ୍ତାହକୁ ଥରୁଟିଏ ଏଇ ମାଗଣା ଖାଦ୍ୟ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଈଶ୍ବରଙ୍କ କୃପାରୁ ଆଜି ତାଙ୍କ ଅବସ୍ଥା ସ୍ବଚ୍ଛଳ, ଏଣୁ ଗରିବଗୁରୁବାଙ୍କୁ ସାହାଯ୍ୟ କଲେ ଅସୁବିଧା କେଉଁଠି ବୋଲି ଜିତେନ୍‌ଙ୍କ ମତ।

Comments are closed.