ଭାରତରେ ଖୁବ୍ ଶୀଘ୍ର ଜୈବ ଇନ୍ଧନରେ ଗାଡ଼ି ଚାଲିବ: ମାଣ୍ଡେ

0
203

ଭୁବନେଶ୍ୱର : ଲୋକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବା ସହ ଆର୍ଥିକ ଅଭିବୃଦ୍ଧି ଦିଗରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ତେଣୁ ଅଧିକରୁ ଅଧିକ ଜ୍ଞାନକୌଶଳ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଦେବା ପାଇଁ ଆମେ ଉଦ୍ୟମ କରୁଛୁ। ତେବେ ନିକଟ ଭବିଷ୍ୟତରେ ଆମେ ସାଧାରଣ ପରିବହନ ବ୍ୟବସ୍ଥାରେ ଜୈବ ଇନ୍ଧନର ବ୍ୟବହାର ଆରମ୍ଭ କରିବାକୁ ଯାଉଛୁ। ପରିବେଶ ପ୍ରଦୂଷଣ ଓ ଇନ୍ଧନର ଅପଚୟ ରୋକିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସ୍‌ଆଇଆର) ମହାନିର୍ଦେଶକ ଡ଼ଃ ଶେଖର ସି ମାଣ୍ଡେ କହିଛନ୍ତି।
ପ୍ରଦର୍ଶନୀ ପଡିଆ ଠାରେ ଚାଲିଥିବା ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି)ର ଷ୍ଟଲ ପରିଦର୍ଶନରେ ଆସିଥିବା ଅବସରରେ ଡ଼ଃ ମାଣ୍ଡେ କହିଥିଲେ ଯେ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟି ଏବେ ବିଭିନ୍ନ କ୍ଷେତ୍ରକୁ ନେଇ ଗବେଷଣା କରୁଛି। ସାଧାରଣ ଜୀବନଶୈଳୀରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ଏହି ଗବେଷଣା ଲବ୍ଧ ଜ୍ଞାନ ଉପଯୋଗ ହେଉଛି। ତେବେ ସମ୍ପ୍ରତି ଆମେ ଜୈବ ଇନ୍ଧନ ବ୍ୟବହାରକୁ ନେଇ ଗବେଷଣା ଚାଲିଛି। ବର୍ତ୍ତମାନ ଯୁଦ୍ଧ ବିମାନରେ ଜୈବ ଇନ୍ଧନ ସଫଳତାର ସହ ବ୍ୟବହାର କରାଯାଇଛି। ଗତ ୨୬ ତାରିଖରେ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଜୈବ ଇନ୍ଧନ ଯୁକ୍ତ ବିମାନ ଉଡ଼ିଥିଲା। ଏବେ ଚାରି ଚକିଆ, ଦୁଇ ଚକିଆ ଯାନରେ ବ୍ୟବହାର ହୋଇ ପାରୁଥିବା ଜୈବ ଇନ୍ଧନକୁ ନେଇ ଗବେଷଣା ଜାରି ରହିଛି। ଡେରାଡୁନ୍ ସ୍ଥିତ ସିଏସ୍‌ଆଇଆର ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପେଟ୍ରୋଲିୟମ୍ ପକ୍ଷରୁ ଏହି ଜୈବ ଇନ୍ଧନ ପ୍ରସ୍ତୁତ କରାଯାଉଛି।
ଯଦି ଏହି ଗବେଷଣା ସଫଳ ରହିଲା ତେବେ ଇନ୍ଧନ ପାଇଁ ଆମକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ପ୍ରାକୃତିକ ଇନ୍ଧନର ଅବକ୍ଷୟ ଏବଂ ପରିବେଶ ସୁରକ୍ଷା ଦିଗରେ ଏହା ବଡ଼ ପଦକ୍ଷେପ ହେବ। ସେହିପରି ଆମର ବେଙ୍ଗାଲୁରୁ ପରୀକ୍ଷାଗାରରେ ଜୈବ ଇନ୍ଧନରେ ଉଡ଼ିି ପାରୁଥିବା ଏକ ଯାତ୍ରୀବାହୀ ବିମାନ ଇଞ୍ଜିନ୍ ପ୍ରସ୍ତୁତ କରାଯାଇଛି ଏବଂ ଚଳିତ ମାସ ୨୧ ତାରିଖରେ ଏହାର ପରୀକ୍ଷଣ ଆରମ୍ଭ ହେବ ବୋଲି ଡ଼ା ମାଣ୍ଡେ ସୂଚନା ଦେଇଥିଲେ। ସିଏସ୍‌ଆଇଆର – ଆଇଏମ୍‌ଏମ୍‌ଟି ଭୁବନେଶ୍ବର ସମ୍ପର୍କରେ ସୂଚନା ଦେଇ ଡଃ ମାଣ୍ଡେ କହିଥିଲେ ଯେ ଏଠାକାର ପରୀକ୍ଷାଗାରରେ ଖଣିଜ ସମ୍ପଦକୁ ନେଇ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି। ପ୍ଲାଣ୍ଟେନିୟମ୍, ସମେରିୟମ୍ ଭଳି କିଛି ବିରଳ ଖଣିଜ ସମ୍ପଦ ଉତ୍ପାଦନ ପାଇଁ ଏବେ କାମ ଚାଲିଛି। ଏହାକୁ ଆମେ ବିଦେଶକୁ ରପ୍ତାନି କରାଯାଇ ପାରିବ। ଏପରି ଗବେଷଣାରେ ସଫଳତା ଆମକୁ ଆମେରିକା, ଚୀନ୍ ଭଳି ଦେଶ ସହିତ ସମକକ୍ଷ କରି ପାରିବ ବୋଲି ସେ କହିଥିଲେ। ସିଏସ୍‌ଆଇଆ-ଆଇଏମ୍‌ଏମ୍‌ଟି, ଭୁବନେଶ୍ବର ନିର୍ଦେଶକ ପ୍ରଫେସର ସୁଧାସତ୍ତ୍ବ ବାସୁ କହିଥିଲେ ଯେ ଏଠାରେ ଆମେ ମୁଖ୍ୟତଃ ଖଣିଜ ସମ୍ପଦର ବିଭିନ୍ନ ଦିଗକୁ ନେଇ କାମ କରୁଛୁ।
ଆମ ଅନୁଷ୍ଠାନ ପରିସରରେ ଏକ ଇନ୍‌କ୍ୟୁବେସନ୍ ସେଣ୍ଟର ସ୍ଥାପନ କରିବାକୁ ଯାଉଛୁ। ସମ୍ପ୍ରତି ଏଠାରୁ ୬ଟି ଷ୍ଟାର୍ଟଅପ୍‌ କମ୍ପାନୀକୁ ବୈଷୟିକ ସହାୟତା ପ୍ରଦାନ କରୁଛୁ। ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ପରେ ପାଖାପାଖି ୩୦ଟି ଷ୍ଟାର୍ଟଅପ୍ ଏଥିରେ ସାମିଲ୍ ହେବା ନେଇ ଆମେ ଆଶା ରଖିଛୁ।

Facebook Comments

READ  ସୀତାପୁର ଗୁଳିକାଣ୍ଡ ଘଟଣା; ୬ ଗିରଫ