ଓଡ଼ିଶା ହେବ ବିଶ୍ୱସ୍ତରୀୟ କ୍ରୀଡ଼ା ହବ୍‍; ଅଲିମ୍ପିକ ସ୍ୱର୍ଣ୍ଣ ଆମ ସ୍ୱପ୍ନ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଦେଶର କ୍ରୀଡ଼ା ରାଜଧାନୀ ଦିଗରେ ଅଗ୍ରସର ହେଉଥିବା ଭୁବନେଶ୍ୱର ବିଶ୍ୱସ୍ତରୀୟ କ୍ରୀଡ଼ା ହବ୍ ରେ  ପରିଣତ ହେବ। ଗୋଟିଏ ସ୍ଥାନରେ ଉପଲବ୍ଧ ହେବ ପ୍ରମୁଖ କ୍ରୀଡ଼ାର ଉତ୍କୃଷ୍ଟ ଭିତ୍ତିଭୂମି। ନିର୍ମିତ ହେବ ହାଇ ପର୍ଫମାନ୍‌ସ ସେଣ୍ଟର। ଏଥିପାଇଁ ଓଡ଼ିଶା ସରକାରଙ୍କ ସହ ହାତ ମିଳାଇଛନ୍ତି ଦେଶର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା। ସୋମବାର ଓଡ଼ିଶା କ୍ରୀଡ଼ା ଉତ୍କର୍ଷ ପାଇଁ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଓ ୬ଟି ଶିଳ୍ପ ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
ଫୁଟବଲ, ହକି, ସନ୍ତରଣ, ଭାରୋତ୍ତୋଳନ, ଦୌଡ଼କୁଦ, ବ୍ୟାଡ଼ମିଣ୍ଟନ, ରଗ୍‍ବୀ ଓ ବନ୍ଧୁକଚାଳନା କ୍ରୀଡା ପାଇଁ ଓଡ଼ିଶାରେ ପ୍ରତିଷ୍ଠା କରାଯିବ ହାଇପର୍ଫମାନ୍‌ସ ସେଣ୍ଟର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‍ ଗ୍ରୁପ ପକ୍ଷରୁ ଦୌଡ଼କୁଦ, ଜେଏସ୍‍ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଫୁଟବଲ ଓ ସନ୍ତରଣ, ଡାଲମିୟା ଭାରତ ଗ୍ରୁପ ପକ୍ଷରୁ ବ୍ୟାଡ଼ମିଣ୍ଟନ, ଆହ୍‌ଲୁୱାଲିଆ ଗ୍ରୁପ ପକ୍ଷରୁ ଭାରୋତ୍ତୋଳନ, ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ବନ୍ଧୁକ ଚଳାନା ଏବଂ ଟାଟା ଗ୍ରୁପ ପକ୍ଷରୁ ହକି ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେହିପରି କ୍ରୀଡ଼ା ମ୍ୟାନେଜମେଣ୍ଟ, କ୍ରୀଡ଼ା ମେଡ଼ିସିନ ଓ କ୍ରୀଡ଼ା ଶାରୀରିକ ଫିଟ୍‌ନେସ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବା ଲାଗି ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଡାଲମିୟା ଭାରତ ଲିମିଟେଡ୍‍ର ପରିଚାଳନା ନିର୍ଦେଶକ ପୁନିତ ଡାଲମିୟା ଓ ପୁଲୈଲା ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଏକାଡ଼େମୀ ମୁଖ୍ୟ ପୁଲୈଲା ଗୋପୀଚାନ୍ଦ ପକ୍ଷରୁ ବ୍ୟାଡ୍‌ମିଣ୍ଟନ , ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ସାଧାରଣ ସମ୍ପାଦକ କୁଶଲ ଦାସ ଓ ଜେଏସ୍‍ଡବ୍ଲୁ ଗ୍ରୁପ ପକ୍ଷରୁ ଫୁଟବଲ, ଜାଭିୟର୍ସ ଇମାଲୋନ ବିଜ୍‍ନେସ୍‍ ସ୍କୁଲ ପକ୍ଷରୁ କ୍ରୀଡ଼ା ମ୍ୟାନେଜମେଣ୍ଟ ସେଣ୍ଟର ଲାଗି ଏହାର ଅଧ୍ୟକ୍ଷ ଆସ୍‍ଲେ ଫର୍ଣ୍ଣାଣ୍ଡିଜ୍‍ଙ୍କ ସହିତ, ରିଲାଏନ୍‌ସ ଫାଉଣ୍ଡେସନ୍‌ର ନିର୍ଦେଶକ ଜଳଜ ଦାନିଙ୍କ ସହିତ ହାଇପର୍ଫମାନ୍‌ସ ଦୌଡ଼କୁଦ କେନ୍ଦ୍ର, ହକି ପାଇଁ ଟାଟା ଟ୍ରଷ୍ଟର ମୁଖ୍ୟ ପରିଚାଳକ ଅଧିକାରୀ ହରିଶ କୃଷ୍ଣସ୍ୱାମୀଙ୍କ ସହିତ, ବନ୍ଧୁକଚଳନା ଲାଗି ଗଗନ ନାରଙ୍ଗ ସ୍ପୋର୍ଟସ ପ୍ରମୋସନ ଫାଉଣ୍ଡେସନ ମୁଖ୍ୟ ଗଗନ ନାରଙ୍ଗଙ୍କ ସହିତ, ଭାରୋତ୍ତୋଳନ ଲାଗି କେଜେଏସ୍‍ ଆହଲୁୱାଲିୟା ଗ୍ରୁପ ପରିଚାଳନା ନିର୍ଦେଶକ ପ୍ରଶାନ୍ତ ଆହଲୁୱାଲିୟା ଏବଂ ଟେନ୍‍ୱିକ୍ ସ୍ପୋର୍ଟସ ପ୍ରତିଷ୍ଠାତା ଅନୀଲ କୁମ୍ବଲେଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ସନ୍ତରଣ ଓ ଫୁଟବଲ କ୍ରୀଡ଼ା ଲାଗି ଜେଏସ୍‍ଡବ୍ଲୁ ପରିଚାଳନା ଅଧ୍ୟକ୍ଷ ସାଜନ ଜିନ୍ଦଲଙ୍କ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଅଲିମ୍ପିକ୍‍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶର ଜାତୀୟ ପତାକାକୁ ଉଠାଇବାର ସୌଭାଗ୍ୟ କେବକ କ୍ରୀଡ଼ା ମାଧ୍ୟମରେ ହିଁ ସକ୍ଷମ। ଅଲିମ୍ପିକ୍‍ ସ୍ୱର୍ଣ୍ଣ ପଦକ ହାସଲ ଭଳି ଖେଳାଳି ସୃଷ୍ଟିକରିବା ଓଡ଼ିଶାର ସ୍ୱପ୍ନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ପାଇଁ ବିଭିନ୍ନ ଶିଳ୍ପସଂସ୍ଥାର ଆଗ୍ରହ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ଶିଳ୍ପସଂସ୍ଥାର ପ୍ରତିନିଧିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ, ବ୍ୟାଡମିଣ୍ଟନ ତାରକା ତଥା ପ୍ରଶିକ୍ଷକ ପୁଲୈଲା ଗୋପୀଚାନ୍ଦ, ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରେନ୍ଦ୍ର ଧ୍ରୁବ ବାତ୍ରାଙ୍କ ସମେତ ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply