ଶିକ୍ଷଣୀୟ କଥା : ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଆଣି ନଷ୍ଟ କରିବା ଅନୁଚିତ୍‌

0
861
Pic courtesy : YouTube

ଏକ ଲୋକ କଥା ଅନୁଯାୟୀ, ଗୁରୁକୂଳରେ ଜଣେ ବାଳକ ନିଜ ମିତ୍ର ମାନଙ୍କ ସହ ଭୋଜନ କରୁଥିଲା। ତାର ସମସ୍ତ ମିତ୍ରମାନେ ମନ ଇଚ୍ଛା ଖାଦ୍ୟ ଆଣୁଥିଲେ ଏବଂ ଖାଦ୍ୟ ନଷ୍ଟ ମଧ୍ୟ କରୁଥିଲେ। କିନ୍ତୁ ବାଳକ ଭୋଜନ କରିବା ବେଳେ ଥାଳୀକୁ ଭଲ ଭାବେ ସଫା କରି ଆବଶ୍ୟକ ଅନୁଯାୟୀ ଖାଦ୍ୟ ଆଣୁଥିଲା। ଏହାସହ ଖାଦ୍ୟ କେବେ ବି ନଷ୍ଟ କରୁ ନ ଥିଲା। ଏହା ଦେଖି ସବୁ ମିତ୍ରମାନେ ତାକୁ ଥଟ୍ଟା କଲେ। ସେମାନେ ବାଳକକୁ ପଚାରିଲେ ଯେ, ତୁମ ଥାଳୀରେ କେବେ ବି ଖାଦ୍ୟ ବଳୁନି କାହିଁକି?

ବାଳକ ତାର ମିତ୍ରମାନଙ୍କୁ ଉତ୍ତରରେ କହିଲା ଯେ, ମୁଁ ତିନୋଟି କାରଣରୁ ଏପରି କରୁ ନାହିଁ।

ପ୍ରଥମ କାରଣ – ମୁଁ ମୋ ବାପାଙ୍କର ଆଦର କରେ। ମୋତେ ଉତ୍ତମ ଖାଦ୍ୟ ଯୋଗାଇବା ପାଇଁ ସେ ଦିନରାତି ପରିଶ୍ରମ କରୁଛନ୍ତି। ତାଙ୍କ ପରିଶ୍ରମ ଦ୍ବାରା ମିଳୁଥିବା ଖାଦ୍ୟକୁ ମୁଁ ଅଯଥାରେ ନଷ୍ଟ କରିବାକୁ ଚାହୁଁ ନାହିଁ।

ଦ୍ବିତୀୟ କାରଣ – ମୁଁ ମୋ ମା’ଙ୍କ ମଧ୍ୟ ଆଦର କରେ। ସେ ସକାଳେ ଶୀଘ୍ର ଉଠି ମୋ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି। ମୁଁ ଖାଦ୍ୟ ଫୋପାଡିବା ଦ୍ବାରା ମୋ ମା’ଙ୍କ ପରିଶ୍ରମ ବେକାର ହୋଇଯିବ।

ତୃତୀୟ କାରଣ – ମୁଁ କୃଷକମାନଙ୍କର ସମ୍ମାନ କରେ। ସେମାନେ ଭୋକ ଉପାସରେ ରହି ଦିନରାତି ପରିଶ୍ରମ କରି ଆମ ପାଇଁ ଫସଲ ଚାଷ କରନ୍ତି। ଖାଦ୍ୟ ଫୋପାଡିବା ଦ୍ବାରା ତାଙ୍କର ଅପମାନ ହେବ। ବାଳକ ଠାରୁ ଏହି କଥା ଶୁଣି ତାର ସମସ୍ତ ସାଙ୍ଗମାନେ ଲଜ୍ଜିତ ହେଲେ। ସେହି ଦିନ ଠାରୁ ସେମାନେ ଖାଦ୍ୟକୁ ନଷ୍ଟ ନ କରି ଆବଶ୍ୟକ ଅନୁସାରେ ଆଣିଲେ।

ଶିକ୍ଷଣୀୟ କଥା :

ଅଧିକ ଲୋକ ନିଜର ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଥାଳୀରେ ଆଣି ଥାଆନ୍ତି। କିନ୍ତୁ ତାକୁ ସଂପୂର୍ଣ୍ଣ ନ ଖାଇ ଫୋପାଡି ଥାଆନ୍ତି। ଏପରି କରିବା ଅନୁଚିତ। ତେଣୁ ଏହି ଗପରୁ ଆମେ ଶିଖୁଛୁ ଯେ, ଆମର ଆବଶ୍ୟକ ଅନୁଯାୟୀ ଖାଦ୍ୟ ଆଣି ତାକୁ ଖାଇବା ଉଚିତ। ବଳିଥିବା ଖାଦ୍ୟ ନ ଫୋପାଡି ତାହାକୁ କୌଣସି ଅସହାୟ ଓ ଗରିବ ଲୋକଙ୍କୁ ଦାନ କରିବା ଉଚିତ।