ମା’ର କାନ୍ଦ ଶୁଣି ଜିଇଁ ଉଠିଲା ବ୍ରେନ୍‌ ଡେଡ୍‌ ପୁଅ

ହାଇଦରାବାଦ : ତେଲଙ୍ଗାନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିବା ପୁଅ ମାଆର କାନ୍ଦ ଶୁଣି ରୋଗଶଯ୍ୟାରୁ ଉଠି ବସିଛି। ତେଲଙ୍ଗାନାର ସୂର୍ଯ୍ୟାପେଟରେ ଏହି ଘଟଣା ଘଟିଛି। ଜୁନ୍‌ ୨୬ ତାରିଖରେ ୧୮ ବର୍ଷୀୟ ଜଣେ ଯୁବକ ଗନ୍ଧମ୍‌ କରିନ୍‌ଙ୍କୁ ଜ୍ବର ହୋଇଥିଲା। ତାଙ୍କ ଶରୀରର ତାପମାତ୍ରା ବଢ଼ିବାରେ ଲାଗିଥିଲେ। ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଆହୁରି ଖରାପ ହେବାରୁ ହାଇଦରାବାଦର ଏକ ବଡ଼ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ କହିଥିଲେ। ବହୁ ଅର୍ଥ ବ୍ୟୟ କରାଯାଇ ତାଙ୍କର ଉନ୍ନତ ଚିକିତ୍ସା କରାଯାଇଥିଲେ ହେଁ କରିନ୍‌ଙ୍କ ଅବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ସେ କୋମାକୁ ଚାଲିଯାଇଥିବା ଡାକ୍ତର କହିଥିଲେ। ପରେ ବ୍ରେନ୍‌ ଡେଡ୍‌ କହିବା ସହ ତାଙ୍କୁ ଡିସ୍‌ଚାର୍ଜ କରିବା ପାଇଁ କହିଥିଲେ। ଯୁବକଙ୍କ ଘର ଲୋକ ଡାକ୍ତରୀ ଭାଷା ବ୍ରେନ୍‌ ଡେଡ୍‌ର ଅର୍ଥ ବୁଝି ନ ପାରି ଗନ୍ଧମ୍‌ ମୃତ ବୋଲି ଭାବି ନେଇଥିଲେ।

କରିନ୍‌ଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ତାଙ୍କ ମାଆ ଜୋର୍‌ରେ କାନ୍ଦି ଉଠିଥିଲେ। ସେତିକିବେଳେ ସେ ତାଙ୍କ ପୁଅର ଆଖିରୁ ଲୁହ ବାହାରୁଥିବା ଦେଖି ଅନ୍ତିମ ସଂସ୍କାର ପାଇଁ ଶରୀରକୁ ଛାଡ଼ି ନ ଥିଲେ। ଏହାପରେ ସ୍ଥାନୀୟ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା। ଡାକ୍ତରଜଣକ ଯାଞ୍ଚ କରିବା ପରେ କରିନ୍‌ ଜୀବିତ ଥିବା କଥା କହିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିବା ଡାକ୍ତରଖାନାକୁ ଫୋନ୍‌ କରାଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏଥିରେ ଘାବରେଇ ଯାଇଥିଲେ। ଏହାପରେ ସେହି ଡାକ୍ତରଖାନାର ଜଣେ ବିଶେଷଜ୍ଞ ଡାକ୍ତର ତାଙ୍କୁ ୪ଟି ଇଞ୍ଜେକ୍‌ସନ୍‌ ଦେବା ପାଇଁ କହିଥିଲେ। ସେହି ଇଞ୍ଜେକ୍‌ସନ୍‌ ଦେବାପରେ କରିନ୍‌ଙ୍କ ଶରୀରର ଅନ୍ୟ ଅଂଶ କାମ କରିଥିଲା। ପରେ ତାଙ୍କୁ ଅନ୍ୟ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ନିଜ ଘରେ ତାଙ୍କର ଚିକିତ୍ସା କରାଯାଉଛି। ସେ ସୁସ୍ଥ ଅଛନ୍ତି। ତେଲଙ୍ଗାନାର ଏହି ଘଟଣା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.