ଶାଶୂ-ବୋହୂ ଝଗଡାର କରୁଣ ପରିଣତି; ଶାଶୂ ଖାଇଲା ବିଷ ଓ ନିଆଁରେ ଜଳି ବୋହୂ ଗୁରୁତର

0

ବାଲିଚନ୍ଦ୍ରପୁର: ଶାଶୂ-ବୋହୂ ଝଗଡାର କରୁଣ ପରିଣତି ଦେଖିବାକୁ ମିଳିଛି । ଝଗଡା ପରେ ଶାଶୂ ଖାଇଲେ ବିଷ ଓ ବୋହୂ ନିଆଁରେ ଜାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରାହାଳ ଗ୍ରାମରେ ଘଟିଛି । ଉଭୟଙ୍କୁ ବଡଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଶାଶୂ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ବୋହୂଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ପୁଅ ଘରେ ନ ଥିବା ବେଳେ କୌଣସି କାରଣକୁ ନେଇ ଆଜି ସକାଳେ ଶାଶୂ-ବୋହୂ ମଧ୍ୟରେ କଳି ଝଗଡା ହୋଇଥିଲା । ଝଗଡା ପରେ ଶାଶୂ ରମା ବେହେରା (୪୨) କନିଆରି ମଞ୍ଜି ଖାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବଡଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହି ସମୟରେ ବୋହୂ ସଂଘମିତ୍ରା ବେହେରା (୨୨) ଭୟବୀତ ହୋଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୋହୂଙ୍କୁ ପ୍ରଥମେ ବଡଚଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply