ବୋହୂର ଅମାନବୀୟ କାଣ୍ଡ, ଗାଁ ଦାଣ୍ଡରେ ଶାଶୂଙ୍କୁ ଘୋଷାରି ମାଡ

0

ବରଗଡ: ଶାଶୂ କେବେ ମା’ ହେବନି ଏବଂ ବୋହୂ କେବେ ଝିଅ ହେବନି । ଏହି ଲୋକ କଥାଟିର ସତ୍ୟତା ଦେଖିବାକୁ ମିଳିଛି ବରଗଡ ଜିଲା ଗାଇସିଲଟ୍ ଅଞ୍ଚଳରେ । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ବୋହୂ ଶାଶୂଙ୍କୁ ଅତି ନିର୍ଦୟ ଭାବେ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏଭଳି ଏକ ଭିଡିଓ ଆଜି ଭାଇରାଲ ହୋଇଛି । ଅନେକ ଦେଖଣାହାରୀ ଏହି ଦୃଶ୍ୟକୁ ଦେଖୁଥିଲେ ମଧ୍ୟ ଚୁପ୍ ରହିଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣାଟି ସାମ୍ନାକୁ ଆସିଲା ପରେ ଅଭିଯୁକ୍ତ ବୋହୂକୁ ପୁଲିସ ଗିରଫ କରି କୋର୍ଟଚାଲଣ କରିଛି । ଏଭଳି ଏକ ଅମାନବୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକଶ ପାଇଛି । ବୋହୂ ସହ ପୁଅକୁ ମଧ୍ୟ ଗିରଫ କରିବା ପାଇଁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦାବି କରିଛି ।

ସୂଚନାଯୋଗ୍ୟ, ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ତାଲପାଲି ଗାଁରେ ପାରିବାରିକ କଥାକୁ କେନ୍ଦ୍ର କରି ଶାଶୂ ଓ ବୋହୂ ମଧ୍ୟରେ କଳହ ଉପୁଜିଥିଲା। ଏହା ପରେ ବୋହୂ ବୃଦ୍ଧା ଶାଶୂଙ୍କୁ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଥିଲେ । ତାଙ୍କୁ ଛାଡିଦେବା ପାଇଁ ବୃଦ୍ଧା ଜଣକ କାକୁତିମିନତି ହୋଇଥିଲେ ମଧ୍ୟ ବୋହୂ ଉପରେ କୌଣସି ପ୍ରଭାବ ପଡିନଥିଲା । ବୃଦ୍ଧା ଜଣଙ୍କ ଛାଟିପିଟି ହେଉଥିଲେ ମଧ୍ୟ ଗ୍ରାମବାସୀ ମହିଳାଙ୍କ କବଳରୁ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ସାହସ କରିନଥିଲେ । ବୋହୂଙ୍କ ଏତାଦୃଶ କାର୍ଯ୍ୟ ସଭ୍ୟ ସମାଜ ପାଇଁ ନିନ୍ଦନୀୟ ହୋଇଥିବା ବେଳେ ଦେଖଣାହାରୀଙ୍କ ଏଭଳି ମାନସିକତାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।

Leave A Reply