ଏଥର ଆଗୁଆ ମୌସୁମୀ, ସ୍ୱାଭାବିକ ବର୍ଷା

0

ନୂଆଦିଲ୍ଲୀ : ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତରେ ପ୍ରାୟ ସପ୍ତାହେ ଆଗରୁ ପହଞ୍ଚିବ ଓ ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପ୍ରତି ବର୍ଷ ମଇ ଶେଷ ଓ ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁଥାଏ । ତେବେ ଚଳିତ ବର୍ଷ ମୌସୁମୀ ମଇ ୧୫ ସୁଦ୍ଧା, ଅର୍ଥାତ ପ୍ରାୟ ସପ୍ତାହେ ଆଗରୁ କେରଳ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଚଳିତ ବର୍ଷ ଦୀର୍ଘ କାଳୀନ ହାର (ଏଲପିଏ) ଅନୁସାରେ ୯୭% (୫% କମ୍‌ କିମ୍ବା ଅଧିକ) ବର୍ଷା ହେବ ଓ ମଇ ୧୫ ସୁଦ୍ଧା ମୌସୁମୀ କେରଳ ଛୁଇଁବ ବୋଲି ପୂର୍ବାନମାନ କରାଯାଇଥିବା ଆଇଏମ୍‌ଡି ସାଧାରଣ ନିର୍ଦେଶକ କେଜି ରମେଶ ସୂଚନା ଦେଇଛନ୍ତି । ତେଣୁ ଚଳିତ ବର୍ଷ ଅଭାବୀ ବର୍ଷାର ସମ୍ଭାବନା ବହୁତ୍‌ କମ୍‌ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଚଳିତ ବର୍ଷ ୫୬% ସ୍ୱାଭାବିକ ଓ ଅଧିକ ବର୍ଷା ଓ ୪୪% ସ୍ୱାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍‌ରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୀର୍ଘ କାଳୀନ ହାର (ଏଲପିଏ)ରେ ୯୬ରୁ ୧୦୪% ପର୍ଯ୍ୟନ୍ତ ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି ଧରାଯାଇଥାଏ । ୧୦୫ରୁ ୧୧୦% ବର୍ଷାକୁ ସ୍ୱାଭାବିକଠାରୁ ଅଧିକ ବର୍ଷା ଓ ୯୦%ରୁ କମ୍‌ ବର୍ଷାକୁ ଅଭାବୀ ବର୍ଷା ବୋଲି ଧରାଯାଇଥାଏ । ଗତ ୫୦ ବର୍ଷର ଆକଳନ ଅନୁସାରେ ଭାରତରେ ମୌସୁମୀ ବର୍ଷା ହାର ୮୯% ରହିଛି । ଏହାକୁ ମିଶାଇ ଲଗାତାର ତୃତୀୟ ବର୍ଷ ମଧ୍ୟ ଆଇଏମ୍‌ଡି ସ୍ୱାଭାବିକ ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ଲାନିନୋ ଦୁର୍ବଳ ହେବାରେ ଲାଗିଛି । ତେଣୁ ଏହାର ପ୍ରଭାବ ଦକ୍ଷିଣ-ପଶ୍ଚିମ ମୌସୁମୀ ଉପରେ ପଡିବ ନାହିଁ ବୋଲି ଆକଳନ କରାଯାଇଛି । ମୌସୁମୀ ବର୍ଷାର ପ୍ରଭାବ ଭାରତର ଅର୍ଥୀନତି, ରାଜନୀତି ସହ ଅନ୍ୟ କ୍ଷେତ୍ରରେ ପଡିଥାଏ । ସ୍ୱାଭାବିକ ବର୍ଷା ହେଲେ କୃଷି ଉତ୍ପାଦନ ବଢିବ ଓ କୃଷି ଉପରେ ନିର୍ଭରଶୀଳ ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ। ଯାହା ଆଗାମୀ ନିର୍ବାଚନରେ ସରକାରଙ୍କୁ ଭୋଟ ସଂଗ୍ରହ କରିବାରେ ସହାୟକ ହେବ ବୋଲି ଧରାଯାଉଛି । ଗତ ବର୍ଷ ଦୀର୍ଘ କାଳୀନ ହାରରେ ୯୫% ବର୍ଷା ହୋଇଥିଲା ।

Leave A Reply