ଶିଶୁ ପୁତ୍ରକୁ ଜନ୍ମ ଦେଇ ମାଁ ମୃତ

0

ମୋହନା: ଗଜପତି ଜିଲ୍ଲା ମୋହନା ସଦର ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଶିଶୁ ପୁତ୍ରକୁ ଜନ୍ମ ଦେଇ ମାଁର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ମୁତାବକ, ମୋହନା ବ୍ଲକ୍‍ ପିଣ୍ଡିକି ପଞ୍ଚାୟତ ଅନ୍ତର୍ଗତ କିର୍ତିଙ୍ଗି ଗ୍ରାମର ପ୍ରସୂତୀ ପ୍ରେମାଞ୍ଜଳି ନାୟକ(୨୪) ଗୁରୁବାର ସକାଳ ପ୍ରାୟ ୭ଟାରେ ନିଜ ବାସଗୃହରେ ଏକ ନବଜାତକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶୁକ୍ରବାର ପ୍ରସୂତୀଙ୍କ ମୁଣ୍ଡ ବୁଲାଇବା ଏବଂ ଦୁର୍ବଳ ଅନୁଭବ କରିବା ଯୋଗୁଁ ଆଶା ଦିଦି ସୁକାନ୍ତି ଲିମା ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ କିନ୍ତୁ ୧୦୮ଆମ୍ବୁଲାନ୍ସ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଫଳରେ ସେ ସନ୍ଧ୍ୟା ପ୍ରାୟ ୫ଟାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଉପସ୍ଥିତ ନଥିବାରୁ ପରିବାର ଲୋକେ ଡ଼ାକ୍ତର ନିଲିପ୍ତା ନାୟକଙ୍କୁ ଚିକିତ୍ସା କରିବା ପାଇଁ ଡ଼ାକିଥିଲେ। ସେ ବିଳମ୍ବରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସା କରିଥିଲେ କିନ୍ତୁ କିଛି ସମୟ ପରେ ପ୍ରସୂତୀଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଶନିବାର ସ୍ୱାସ୍ଥ୍ୟକେନ୍ଦ୍ରରେ କିର୍ତିଙ୍ଗି ଗ୍ରାମର ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ପହଞ୍ଚି ଡ଼ାକ୍ତର ନିଲିପ୍ତା ନାୟକଙ୍କୁ ତୁରନ୍ତ ବଦଳି କରିବା ସହିତ ଚିକିତ୍ସାରେ ଅବହେଳା କରିଥିବା ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ନେବା ପାଇଁ ଦାବି କରିଥିଲେ। ଗ୍ରାମବାସୀ, ସମିତି ସଭ୍ୟା ପ୍ରତିନିଧି ସଂଜୀବ ବେହେରା, ସରପଞ୍ଚ ରାଜୁ ମଳିକ, ୱାର୍ଡ଼ ମେମ୍ବର ପବିତ୍ର ଦଳାଇ, ମୃତ ପ୍ରେମାଞ୍ଜଳିଙ୍କ ମା ଫିଲିସ୍କା ବେହେରା, ବଡ଼ ମା ଫ୍ରାନ୍‍ଂଚିସ୍କା ବେହେରା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ଚିକିତ୍ସାରେ ଅବହେଳା ଓ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବା ଯୋଗୁଁ ପ୍ରସୂତୀର ମୃତ୍ୟୁ ଘଟିଥିବା ବେଳେ ନବଜାତକ ଶିଶୁକୁ ମଧ୍ୟ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରିଛନ୍ତି।

ପ୍ରକାଶଥାଉକି, ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତରଙ୍କ ଚିକିତ୍ସାରେ ଅବହେଳା, ବିଳମ୍ବରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା, ରୋଗୀଙ୍କୁ ଅସଦ୍‍ ବ୍ୟବହାର ପ୍ରଦର୍ଶନ କରିବା ଏକ ନୀତି ଦିନିଆ ଘଟଣାରେ ପରିଣତ ହୋଇଛି। ଘଟଣା ସ୍ଥଳରେ ବିଡିଓ ବଂଶିଧର ଖୋସଲା, ଥାନାଅଧିକାରୀ ସୁଜିତ୍‍ କୁମାର ନାୟକ, ଏସଆଇ ଆଲୋକ ରଂଜନ ଜଗଦଲା, ପିଙ୍କି ମୁର୍ମୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଥାନାରେ ଏକ ଅପମୃତ୍ୟୁ ମାମଲା ନଂ ୫/୧୯ ରେ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ଜଣାପଡିଛି। ବାରମ୍ବାର ଏହି ଖବରକୁ ନେଇ ଗଣମାଧ୍ୟମରେ ପ୍ରକାଶିତ ହେଲେ ସୁଦ୍ଧା ପ୍ରଶାସନର ନିଦ ଭାଙ୍ଗୁନାହିଁ। ଏଣୁ ତୁରନ୍ତ ଏଥିପ୍ରତି ଉଚ୍ଚ ପଦାଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Leave A Reply