କୁଇ ଉନ୍ନୟନ ସମିତିର ଶତ ବାର୍ଷିକ ଉତ୍ସବ

ମୋହନା : ଗଜପତି ଜିଲା ମୋହନାଠାରେ କଇୁ (କନ୍ଧ) ଉନ୍ନୟନ ସମିତିର ଶତ ବାର୍ଷିକ ଉତ୍ସବ ବୁଧବାର ଧୁମଧାମରେ ପାଳନ ହୋଇଛି। ଶତାଧିକ କୁଇ ସମ୍ପ୍ରଦାୟର ମହିଳା, ପୁରୁଷ ଓ ଯୁବକ ସ୍ଥାନୀୟ ହିଲଟପ୍‍ ମହାବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଓ ବାଜା ସହିତ ପୋଷାକ ପରିଧାନ କରି ଏହି ରାଲି ବଜାର ଦେଇ ହାଇସ୍କୁଲ ପଡିଆଠାରେ ପହଞ୍ଚିଥିଲା। ଏହି ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ ଯୋଗଦେଇଥିବା ବେଲେ ମୁଖ୍ୟବକ୍ତାଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା, ସମ୍ମାନିତ ଅତିଥିଭାବେ ରା.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ, ଗୋବିନ୍ଦପୁର ନିବାସୀ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କୁଇ କନ୍ଧ ଉନ୍ନୟନ ସମିତି ପକ୍ଷରୁ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ଥାନୀୟ ବିଧାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ବହୁ ଦୁର ଦୁରାନ୍ତରୁ ଆସିଥିବା ଆଦିବାସୀ କୁଇ କନ୍ଧ ସମ୍ପ୍ରଦାୟର ଲୋକମାନେ ନିଜ ନିଜର ନୃତ୍ୟ, ଗୀତ ପରିବେଷଣ କରିଥିଲେ। ଶେଷରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଚୟନ କରି ମାନପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ବ କୁଇ କନ୍ଧ ଜନସାଧାରଣ ଯୋଗଦେଇଥିବା ବେଳେ ପୁଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କୁଇ କନ୍ଧ ଉନ୍ନୟନ ସମିତି ସମ୍ପାଦକ ଶରତ ଚନ୍ଦ୍ର ମଳିକ, କୋଷାଧ୍ୟକ୍ଷ ବାଲେନ୍ତିନ ମାଝୀ, କବିରାଜ ମଲ୍ଲିକ, ସାରା ମାଝୀ, ବିରିକୋଟ ସରପଞ୍ଚ ମୋଷା ମାଝୀ, ଉପସଭାପତି ହିରଶ୍ଚନ୍ଦ୍ର ମଳିକ, ମାଳତୀ ମଲ୍ଲିକ, ପ୍ରେମା ରଇତ, ମଧୁମାଝୀ ପ୍ରମ୍ମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିଥିଲେ।

 

Comments are closed.