କର୍ଚ୍ଚବାଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

0

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କର୍ଚ୍ଚବାଡି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ଏହି ସେବାକେନ୍ଦ୍ରକୁ ଜିଲ୍ଲାପାଳ ଅନୁପମ ଶାହା ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୧୫୯ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ସାମୁହିକ ୩୩ ଓ ବ୍ୟକ୍ତିଗତ ୧୨୬ ଟି ଅଭିଯୋଗ। ସାଧାରଣଭାବେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଶିକ୍ଷା ସମସ୍ୟା ଅନ୍ତର୍ଭୁକ୍ତ ଥିଲା। ଲୋକମାନେ ନିଜର ମୌଳିକ ସୁବିଧା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦୃଢ ଦାବି ଜଣାଇଥିଲେ। ଜିଲ୍ଲାପାଳ ୧୮ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ସେଥି ମଧ୍ୟରୁ ରେଡକ୍ରସ ପାଣ୍ଠିରୁ ୪ ଜଣଙ୍କୁ ମୋଟ ୬ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିରୁ ୪ ଜଣଙ୍କୁ ଚିକିତ୍ସା ପାଇଁ ୫୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ସାହାଙ୍କ ସମେତ ରା.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦିପ ନାଗ, ପିଡି ଡିଆରଡିଏ ଚଞ୍ଚଳ ରଣା, ଡିଏସଏସଓ ରବିନ୍ଦ୍ର କୁମାର ବେହେରା, ବିଡିଓ ବଂଶିଧର ଖୋସଲା, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ସିଡିଏମଓ ବିପିନ ବିହାରୀ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ପଦାଧିକାରୀ ଓ ବ୍ଲକ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିପିଇଓ ନରସିଂହ ମାଣ୍ଡାଙ୍ଗି ଓ ଡବ୍ଲ୍ୟୁଇଓ ରଞ୍ଜନ ଜେନା ପରିଚାଳନା କରିଥିଲେ।

Leave A Reply