ବିଜେପି-ଶିବସେନାକୁ ମୋହନ ଭାଗବତଙ୍କ ପରାମର୍ଶ ; ସ୍ବାର୍ଥକୁ ନେଇ ଝଗଡ଼ା ଉଭୟଙ୍କ କ୍ଷତି କରିବ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶରଦ ପୱାର ଓ କଂଗ୍ରେସ ଝୁଲାଇ ରଖିବା ସତ୍ତ୍ବେ ଶିବସେନା ଏଥିପ୍ରତି ଆଶାବାନ୍‌ ରହିଛି। ଶରଦ ପୱାର ଯାହା କୁହନ୍ତୁ ନା କାହିଁକି, ଏନ୍‌ସିପି ଓ କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଠନ କରିବ ବୋଲି ସଞ୍ଜୟ କହିଛନ୍ତି। ‘କେହି ବ୍ୟସ୍ତ ହେବା ଦରକାର ନାହିଁ। ଖୁବ୍‌ ଶୀଘ୍ର ଆମର ମେଣ୍ଟ ଚୂଡ଼ାନ୍ତ ହେବ। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧ ଶିବସେନା ନେତୃତ୍ବରେ ସରକାର ଗଠନ ହେବ ଓ ଏହା ଏକ ସ୍ଥିର ସରକାର ହେବ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଶରଦ ପୱାର ସୋମବାର ମେଣ୍ଟର ବାସ୍ତବତା ସମ୍ପର୍କରେ ‘ଆଚ୍ଛା’ ବୋଲି ଯେଉଁ ମନ୍ତବ୍ୟ ଦେଇଥିଲେ ତା’ଉପରେ ସଞ୍ଜୟ କହିଛନ୍ତି ଯେ ‘ଶରଦଙ୍କ ଭାଷା ବୁଝିବାକୁ ଶହେ ଜନ୍ମ ନେବାକୁ ପଡ଼ିବ। ଅପରପକ୍ଷରେ ଶିବସେନାର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ବିଜେପି ଯଦି ସେନା ସର୍ତ୍ତରେ ରାଜି ହୁଏ, ତେବେ ମେଣ୍ଟ ପୁନର୍ଜୀବନ ଳାଭ କରିବ। ‘ଏବେ ବି ସମୟ ଅଛି, ବିଜେପି ଯଦି ୫୦-୫୦ ସୂତ୍ରରେ ରାଜି ହୁୁଏ ତେବେ ଆମେ ପୁନର୍ବାର ଏହା ସହିତ ମେଣ୍ଟ କରି ସରକାର ଗଠନ ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଜଣେ ଶିବସେନା ନେତା। କେବଳ ସେତିକି ନୁହେଁ; କୌଣସି ପରିସ୍ଥିତିରେ ଯଦି ସରକାର ଗଠନ ସମ୍ଭବ ନ ହୁଏ, ତେବେ ଶିବସେନା ପୁନଃ ନିର୍ବାଚନକୁ ସ୍ବାଗତ କରିବ ବୋଲି ଦଳ ଭିତରେ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

ଅପରପକ୍ଷରେ ଶିବସେନା-ବିଜେପି ଟଣାଓଟରା ଉପରେ ପ୍ରଥମ କରି ମୁହଁ ଖୋଲିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ। ‘ଅତିଶୟ ଲୋଭାସକ୍ତ ହେବା ଖରାପ’ ବୋଲି ସେ ଉଭୟ ଦଳକୁ ଚେତାଇ ଦେଇଛନ୍ତି। ବିଜେପି କିମ୍ବା ଶିବସେନା, କାହାରି ନାଁ ନ ନେଇ ସେ କହିଛନ୍ତି ଯେ ଅଧିକ ଲୋଭ ବା ସ୍ବାର୍ଥ ଆଧାରିତ କୌଣସି କଥାକୁ ନେଇ ଝଗଡ଼ା କରିବା ଦ୍ବାରା ଉଭୟ ଦଳ କ୍ଷତିଗ୍ରସ୍ତ ହେବେ। ନାଗପୁରଠାରେ ଏକ କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି ଯେ ରାଷ୍ଟ୍ର ହେଉ ଅବା ବ୍ୟକ୍ତି; ଅତିଶୟ ସ୍ବାର୍ଥପରତା କାହାରି ପକ୍ଷରେ ହିତକର ନୁହେଁ। ବହୁ କମ୍‌ ରାଷ୍ଟ୍ର ବା ବ୍ୟକ୍ତି ଅଛନ୍ତି; ଯେଉଁମାନେ ସ୍ବାର୍ଥତ୍ୟାଗ କରି ଉଦାହରଣ ପାଲଟିଛନ୍ତି। ବୃହତ୍ତର କାର୍ଯ୍ୟ ପାଇଁ ସ୍ବାର୍ଥ ତ୍ୟାଗ ସ୍ବାଗତଯୋଗ୍ୟ ବୋଲି ଭାଗବତ କହିଛନ୍ତି।

Comments are closed.