ଉତ୍ତର ଓ ପୂର୍ବାଞ୍ଚଳ ରାଜ୍ୟ ଯୋଗୁଁ ଭାରତ ପଛୁଆ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ରାଜସ୍ଥାନ ଆଦି ରାଜ୍ୟ ପାଇଁ ଭାରତ ପ୍ରଗତି କ୍ଷେତ୍ରରେ ପଛରେ ପଡ଼ିଛି। ନିତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍‌ କାନ୍ତ ଏଭଳି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଏଥିମଧ୍ୟରୁ ୪ଟି ରାଜ୍ୟ ଦୀର୍ଘ ବର୍ଷ ଧରି ବିଜେପି ଶାସନାଧୀନ ଥିବା ବେଳେ ବିହାରରେ ବିଜେପିର ମେଣ୍ଟ ଶାସନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ବିଜେପି ଶାସିତ ରାଜ୍ୟର ଅର୍ଥନୈତିକ ମଡେଲ୍‌କୁ ଶ୍ରେଷ୍ଠ ଓ ସଫଳ ବୋଲି କହି ଆସୁଛନ୍ତି। ଛତିଶଗଡ଼ ସରକାରଙ୍କ ଅର୍ଥନୈତିକ ପରିଚାଳନା ଓ ଅଭିବୃଦ୍ଧିର ଉଦାହରଣ ଦେଉଛନ୍ତି। ‘ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ପୂର୍ବରୁ ବିମାରୁ ରାଜ୍ୟ କୁହାଯାଉଥିଲା। କିନ୍ତୁ ସେହି ଦୁଇ ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଅଭିବୃଦ୍ଧି ଓ ବିକାଶରେ ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସଭାସମିତିରେ ଦମ୍ଭୋକ୍ତି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିତି ଆୟୋଗ ସିଇଓଙ୍କ ସମୀକ୍ଷା,ତର୍ଜମା ଓ ମତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ‘ଖାନ୍‌ ଅବଦୁଲ୍‌ ଗଫର ଖାନ୍‌ ସ୍ମାରକୀ ବକ୍ତୃତା’ ପ୍ରଦାନ ଅବସରରେ ଶ୍ରୀ କାନ୍ତ କହିଛନ୍ତି ଯେ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ପ୍ରକ୍ରିୟାକୁ ଆମେ ଉନ୍ନତ କରିବାକୁ ଚେଷ୍ଟା କରୁଛୁ। କିନ୍ତୁ ମାନବ ବିକାଶ ସୂଚକାଙ୍କରେ ପଛୁଆ ରହିଯାଉଛୁ। ଜାତିସଂଘ ଦ୍ୱାରା ପ୍ରକାଶିତ ମାନବ ବିକାଶ ସୂଚକାଙ୍କ ତାଲିକାରେ ୧୮୮ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୩ରେ ରହିଛି। ଏପରିକି ଅନେକ ଅନୁନ୍ନତ ଓ ଅବିକଶିତ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଓ ଯୁଦ୍ଧବିଧ୍ୱସ୍ତ ଇରାକ୍‌ ପରି ରାଜ୍ୟ ମଧ୍ୟ ଭାରତଠାରୁ ଉପରେ ଅଛନ୍ତି। ମୁଣ୍ଡପିଛା ଆୟ, ଶିକ୍ଷା ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମାପଦଣ୍ଡ ଆଧାରରେ ଏହି ତାଲିକା ପ୍ରସ୍ତୁତ ହେଉଛି। ବର୍ତ୍ତମାନର ସ୍ଥିତିରେ ଉନ୍ନତି ଆଣିବାକୁ ହେଲେ ପ୍ରଥମେ ରାଜ୍ୟ ଓ ଜିଲାସ୍ତରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଶ୍ରୀ କାନ୍ତ କହିଛନ୍ତି। ବିଶେଷକରି ମହିଳା ସଶକ୍ତିକରଣ ଓ ଶିକ୍ଷା ଜରିଆରେ ଏହା ସମ୍ଭବ ବୋଲି ସେ କହିଛନ୍ତି।

Leave A Reply