ଆଜି ନିର୍ବାଚନ ହେଲେ ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ

0

ନୂଆଦିଲ୍ଲୀ: ଯଦି ଆଜି ଦେଶରେ ସାଧାରଣ ନିର୍ବାଚନ ସମେତ ସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ଏକାସହିତ ହୁଏ ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାର ପୁଣି ଥରେ କେନ୍ଦ୍ରରେ କ୍ଷମତାକୁ ଫେରିବେ। କିନ୍ତୁ ଆଜିର ସ୍ଥିତିରେ ମୋଦିଙ୍କ ଲୋକପ୍ରିୟତା ସାମାନ୍ୟ ହ୍ରାସ ପାଇ ୩୪%କୁ ଖସି ଆସିଥିବା ବେଳେ ରାହୁଲ୍‍ ଗାନ୍ଧିଙ୍କ ଲୋକପ୍ରିୟତା ୨୦୧୪ରେ ୧୬%ରୁ ୨୦୧୮ରେ ୨୪%କୁ ବୃଦ୍ଧି ପାଇଛି। ଏବିପି ନ୍ୟୁଜ୍‍-ସିଏସ୍‍ଡିଏସ୍‍ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଉପରୋକ୍ତ ଆକଳନ କରାଯାଇଛି।
୧୯ଟି ରାଜ୍ୟକୁ ନେଇ ସଂସ୍ଥା ପକ୍ଷରୁ ହୋଇଥିବା ଏହି ସର୍ବେକ୍ଷଣର ଅନୁଶୀଳନ ଅନୁଯାୟୀ, ଯଦି ଏନ୍‍ଡିଏ ମେଣ୍ଟ ଅତୁଟ ରହେ ତେବେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ। ଆଜିର ସ୍ଥିତିକୁ ବିଚାରକୁ ନେଲେ ଏନ୍‍ଡିଏକୁ ୩୭%, ଉପାକୁ ୩୧% ଓ ଅନ୍ୟାନ୍ୟ ଦଳକୁ ୩୨% ଭୋଟ ମିଳିବ। ଏହି ଆଧାରରେ ମୋଟ ୫୪୫ ଲୋକସଭା ଆସନରୁ ଏନ୍‍ଡିଏକୁ ୨୭୪ଟି, ଉପାକୁ ୧୬୪ଟି ଓ ଅନ୍ୟାନ୍ୟ ଦଳଙ୍କୁ ୧୦୫ଟି ଆସନ ମିଳିବ।
ଦକ୍ଷିଣ ଭାରତର ମୋଟ ୧୩୨ଟି ଲୋକସଭା ଆସନରୁ ଏନ୍‍ଡିଏକୁ ୧୮ରୁ ୨୨, ଉପାକୁ ୬୭ରୁ ୭୫ ଓ ଅନ୍ୟାନ୍ୟ ଦଳଙ୍କୁ ୩୮ଟିରୁ ୪୪ଟି ଆସନ ମିଳିବ।
ଉତ୍ତର ଭାରତରେ ଏନ୍‍ଡିଏକୁ ୩୯%, ଉପାକୁ ୨୧%, ଅନ୍ୟାନ୍ୟ ଦଳଙ୍କୁ ୪୦% ଭୋଟ ମିଳିବ। ମୋଟ୍‍ ୧୫୧ଟି ଲୋକସଭା ଆସନରୁ ଏନ୍‍ଡିଏ୍‍କୁ ୯୦ଟି, ଉପାକୁ ୨୫ଟି ଓ ଅନ୍ୟାନ୍ୟ ଦଳଙ୍କୁ ୩୬ଟି ଆସନ ମିଳିବ।
ଉତ୍ତର ପ୍ରଦେଶରେ ଏନ୍‍ଡିଏ ୩୫% ଭୋଟ ପାଇବ। ସେଠାରେ ଯଦି ଏସ୍‍ପି ଓ ବିଏସ୍‍ପି ମିଳିତ ଭାବେ ନିର୍ବାଚନ ଲଢ଼ନ୍ତି ତେବେ ବିଜେପି ହାରିଯିବାର ସମ୍ଭାବନା ରହିଛି। କାରଣ ଏସ୍‍ପି-ବିଏସ୍‍ପି ମେଣ୍ଟ ୪୬% ଭୋଟ ପାଇବେ। ସେଠାରେ ଉପାକୁ ମାତ୍ର ୧୨% ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ସର୍ବେକ୍ଷଣରୁ ଜଣାପଡ଼ିଛି।
ସେହିପରି ସର୍ବେକ୍ଷଣ ଅନୁଯାୟୀ, ପଶ୍ଚିମ ଓ କେନ୍ଦ୍ର ଭାରତରେ ମୋଟ ୧୧୮ଟି ଲୋକସଭା ଆସନରୁ ଏନ୍‍ଡିଏ୍‍ ୭୪ଟି ଓ ଉପା ୪୪ଟି ଆସନ ପାଇବ।
ମୋଦିଙ୍କ ନିଜ ରାଜ୍ୟ ଗୁଜରାଟରେ ଏନ୍‍ଡିଏ ୫୪%, ଉପା ୪୨% ଓ ଅନ୍ୟାନ୍ୟ ୪% ଭୋଟ ପାଇବେ। ସେଠାରେ ଉପା ୨୦୧୪ ତୁଳନାରେ ସାମାନ୍ୟ ଭଲ ସ୍ଥିତିରେ ରହିବ।
ମହାରାଷ୍ଟ୍ରରେ ଏନ୍‍ଡିଏ ୪୮%, ଉପା ୪୦%, ଅନ୍ୟାନ୍ୟ ୨୧% ଭୋଟ ପାଇବେ। ୨୦୧୪ରେ ଏନ୍‍ଡିଏର ଭୋଟ ହାର ସେଠାରେ ୫୧% ଥିବାବେଳେ ଏଥର ସେଥିରେ ସାମାନ୍ୟ ହ୍ରାସ ପାଇବ।
ମଧ୍ୟପ୍ରଦେଶରେ କଂଗ୍ରେସ ବାଜି ମାରିବ। କଂଗ୍ରେସକୁ ସେଠାରେ ୪୯% ଭୋଟ ମିଳିବାକୁ ଥିବାବେଳେ ବିଜେପିକୁ ୩୪% ଓ ଅନ୍ୟାନ୍ୟ ଦଳଙ୍କୁ ୧୭% ଭୋଟ ମିଳିବ।
ପୂର୍ବ ଭାରତରେ ମୋଦିଙ୍କୁ ଅଭୂତପୂର୍ବ ସଫଳତା ମିଳିବ। ମୋଟ ୧୪୨ଟି ଲୋକସଭା ଆସନରୁ ଏନ୍‍ଡିଏ ୯୪ଟି, ଉପା ୨୨ରୁ ୨୬ଟି ଓ ଅନ୍ୟାନ୍ୟ ଦଳ ୨୬ରୁ ୩୦ଟି ଆସନ ପାଇବେ। ୨୦୧୪ରେ ପୂର୍ବ ଭାରତରେ ଏନ୍‍ଡିଏ ୫୮ଟି ଆସନ ପାଇଥିବାବେଳେ ଉପା ୨୧ଟି ଓ ଅନ୍ୟାନ୍ୟ ଦଳ ୬୩ଟି ଆସନ ପାଇଥିଲେ।
ପଶ୍ଚିମବଙ୍ଗରେ ଏନ୍‍ଡିଏକୁ କିନ୍ତୁ ମମତା ବାନାର୍ଜିଙ୍କଠାରୁ ହାର ମାନିବାକୁ ପଡ଼ିବ।
ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ୪୪% ଆସନ ପାଇବାକୁ ଥିବା ବେଳେ ବିଜେପି ୨୪% ଓ ବାମଦଳ ୧୭% ଓ କଂଗ୍ରେସକୁ ୧୧% ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ।
ବିଜେପି ଶାସିତ ରାଜସ୍ଥାନରେ ବିଜେପକୁ ପରାଜୟର ମୁହଁ ଦେଖିବାକୁ ପଡ଼ିବ। ସେଠାରେ କଂଗ୍ରେସ ୪୪% ଭୋଟ ପାଇ ସରକାର ଗଢ଼ିବ। ଅପରପକ୍ଷରେ ବିଜେପି ୩୯%, ଅନ୍ୟାନ୍ୟ ଦଳ ୧୭% ଭୋଟ ପାଇବେ। ୨୦୧୩ରେ ସେଠାରେ ବିଜେପି ୪୫%, କଂଗ୍ରେସ ୩୩% ଓ ଅନ୍ୟାନ୍ୟ ୨୨% ଭୋଟ ପାଇଥିଲେ।
ବିହାରରେ ବିଜେପି ଜେଡିୟୁ ମେଣ୍ଟ ୬୦% ଭୋଟ ପାଇବ। ଅପରପକ୍ଷରେ କଂଗ୍ରେସ ଆରଜେଡି ମେଣ୍ଟ ବା ଉପା ୩୪% ଓ ଅନ୍ୟାନ୍ୟ ଦଳ ମାତ୍ର ୬% ଭୋଟ ପାଇବେ।

Leave A Reply