ମୋଦୀଙ୍କ ନଜରରେ ଉପକୂଳ

0

୪୨ବିଧାନସଭା ଓ ୭ଲୋକସଭା ଉପରେ ଗୁରୁତ୍ବ

କଟକ : ଆସନ୍ତା ୨୬ ତାରିଖରେ କଟକ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଏଠାରେ ସେ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ସଫଳତା ତଥା ଉପଲବ୍ଧିର କଥା କହିବେ ବୋଲି ଦଳ ପକ୍ଷରୁ କୁହାଯାଉଛି। ତେବେ ସରକାରଙ୍କ ସଫଳତା ନାଁରେ ଭାଜପାର ୧୨୦+ ମିଶନକୁ ସଫଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଟକ ଆସୁଥିବା ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି। ଉପକୂଳ ହିଁ ବିଜୟର ପଥ। ଏହାକୁ ବିଜେପି ବୁଝିପାରିଛି। ତେଣୁ ଉପକୂଳ ଓଡ଼ିଶାର ଅସଜଡ଼ା ସଂଗଠନକୁ ସଜାଡିବା ସହିତ ଆଗାମୀ ନିର୍ବାଚନରେ ଉପକୂଳର ୪୨ ବିଧାନସଭା ଓ ୭ ଲୋକସଭା କ୍ଷେତ୍ରରେ ବିଜେପି କିପରି ପଦ୍ମଫୁଲ ଫୁଟାଇବ ତାହାହିଁ ମୋଦୀ-ଶାହାଙ୍କ ରଣନୀତି। ଏହା ହିଁ ମୋଦୀଙ୍କ ଗସ୍ତର ଅସଲ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି।
ରାଜ୍ୟ ରାଜନୀତିରେ ଏବେ ବି ହଜାର ବର୍ଷର ସହର କଟକ ଅନେକ ପ୍ରାସଙ୍ଗିକତା ରଖିଛି। ପ୍ରତିଟି ନିର୍ବାଚନରେ କଟକରୁ ହିଁ ପରିବର୍ତ୍ତନର ବାର୍ତ୍ତା ଯାଇଥାଏ। ପୂର୍ବରୁ ଯେତେଥର ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଘଟିଛି, ତାହାର କଟକରୁ ହିଁ ଭିତ୍ତି ପଡିଛି। ଏହି ମର୍ମରେ ରାଜ୍ୟ ରାଜନୈତିକ ଦୃଶ୍ୟପଟର ପରିବର୍ତ୍ତନ କଟକରୁ କରିବାକୁ ବିଜେପି ଆଶାବାନ୍ଧିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅନେକ ଥର ଓଡ଼ିଶା ଆସି ଏକାଧିକ ଜନସଭାରେ ଉଦ୍‍ବୋଧନ ଦେଇଥିଲେ ମଧ୍ୟ କଟକ ଆସି ନାହାନ୍ତି। ଏମିତିକି ୨୦୧୪ ନିର୍ବାଚନରେ ସେ ରାଜଧାନୀ ଭୁବନେଶ୍ୱର ଓ ବାଲେଶ୍ୱରରେ ଆୟୋଜିତ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ମୋଦୀଙ୍କ ତୋଫାନୀ ପ୍ରଚାର ଯୋଗୁଁ ସମଗ୍ର ଦେଶରେ ବିଜେପି ସଫଳତା ପାଇଥିଲେ ମଧ୍ୟ ଓଡ଼ିଶାରେ ବିଜେପିକୁ ସେପରି କୌଣସି ଆଖିଦୃଶିଆ ସଫଳତା ମିଳିପାରିନି। ପଞ୍ଚାୟତ ନିର୍ବାଚନର ସଫଳତା ବିଜେପୁର ଉପନିର୍ବାଚନ ଏବଂ ଅତାବିରା ଓ ହିନ୍ଦୋଳ ଏନଏସି ଫଳାଫଳ ଯୋଗୁଁ ଫିକା ପଡିଯାଇଛି। ୨୦୧୪ରେ କେବଳ ଗୋଟିଏ ଲୋକସଭା ଆସନ ଓ ୧୦ଟି ବିଧାନସଭା ଆସନରେ ବିଜେପି ବିଜୟୀ ହୋଇଥିଲା। ୨୦୧୯ ନିର୍ବାଚନରେ ବିଜେପି ପୂର୍ବୋତ୍ତର ରାଜ୍ୟଗୁଡିକୁ ଅଧିକ ପ୍ରାଧାନ୍ୟ ଦେଉଛି। ବିଶେଷକରି ସାଧାରଣ ନିର୍ବାଚନରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦଳ କିପରି ଅଧିକ ସଫଳତା ପାଇବ ସେଥିନେଇ ଦଳ ତା’ର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା ଏକାଧିକବାର ଓଡ଼ିଶାଗସ୍ତ କରି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ରଣନୀତି ମନ୍ତ୍ର ଦେଉଛନ୍ତି। ଏକାଧିକ ମନ୍ତ୍ରୀ ଓଡ଼ିଶାକୁ ଆସି ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କରୁଛନ୍ତି।
ପଶ୍ଚିମ ଭାରତରେ ଦଳ ଦୀର୍ଘଦିନ ହେଲା କ୍ଷମତାରେ ଥିବାରୁ ସେଠାରୁ ବିଶେଷ ଆଶା ନରଖି ପୂର୍ବଭାରତରେ ଦଳ ଧ୍ୟାନ କେନ୍ଦ୍ରିତ କରୁଛି। ଏହି ମର୍ମରେ ଓଡ଼ିଶା ଫୋକସ୍‍ରେ ରହିଛି। ଅଧିକ ଲୋକସଭା ଆସନ ସହ ବିଜେପି ୧୨୦+ ବିଧାନସଭା ଆସନ ପାଇ ରାଜ୍ୟରେ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି। ଏହି ରଣନୀତି ଅନୁଯାୟୀ କଟକରେ ପ୍ରଧାନମନ୍ତ୍ରୀ ୪ବର୍ଷ ପୂର୍ତ୍ତି ଅବସରରେ ୨୦୧୯ ସାଧାରଣ ନିର୍ବାଚନର ବିଗୁଲ ଫୁଙ୍କିବେ ବୋଲି ଦଳୀୟ କର୍ମୀ ମହଲରେ ଆଲୋଚନା ହେଉଛି। ରାଜ୍ୟ ସରକାରଙ୍କ ବିଫଳତା ସହିତ ମହାନଦୀକୁ ନେଇ ବିଜେଡି ଚଳାଇଥିବା ଆନ୍ଦୋଳନର ଜବାବ ଦେବାକୁ ବିଜେପି ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଅସ୍ତ୍ର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମୁହଁରେ ମହାନଦୀ ସମ୍ପର୍କରେ ହୁଏତ କିଛି ଏକ ବଡ଼ ଘୋଷଣା କରି ଶାସକ ବିଜେଡି ହାତରୁ ମହାନଦୀ ଅସ୍ତ୍ର ଛଡାଇ ଆଣିବାକୁ ବିଜେପି ଯୋଜନା କରିଛି।

ସେହିପରି ଦଳର ପଶ୍ଚିମ ଓଡ଼ିଶାରେ ସଂଗଠନ ଥିବାବେଳେ ଉପକୂଳରେ ସଂଗଠନ ଦିଗହରା ହୋଇପଡିଛି। ବିଜେପି-ବିଜେଡି ମେଣ୍ଟ ସରକାର ସମୟରେ ଉପକୂଳରେ ବିଜେପି ତା’ର ସ୍ଥିତି ଜାହିର କରିବାରେ ସଫଳ ହୋଇଥିଲେ ମଧ୍ୟ ମେଣ୍ଟ ପରବର୍ତ୍ତୀ ସମୟରେ ତାହା ଭୁଶୁଡି ପଡିଛି। ଦୀର୍ଘଦିନ ଧରି କଟକ ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରତିନିଧିତ୍ୱ କରିଆସୁଥିବାବେଳେ ମେଣ୍ଟ ଭାଙ୍ଗିବା ପରେ ତାହା ବିଜେପି ହାତରୁ ଖସିଯାଇଛି। କେବଳ ସେତିକି ନୁହେଁ; ଉପକୂଳରେ ଦଳୀୟ ସଂଗଠନକୁ ମଜଭୁତ କରିବା ଏବଂ ପଞ୍ଚାୟତ ନିର୍ବାଚନରେ ଦଳର ପାଇଥିବା ସଫଳତାକୁ ଆଗାମୀ ନିର୍ବାଚନରେ ପ୍ରତିଫଳିତ କରିବାକୁ ଦଳ ଲକ୍ଷ୍ୟ ରଖିଛି। ଉପକୂଳ ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବା ପାଇଁ ମୋଦୀ କଟକ ଆସୁଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। କଟକ ସମେତ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଭୁବନେଶ୍ୱର, ପୁରୀ ଭଳି ୭ଟି ଲୋକସଭା ଓ ତା’ ଅଧୀନରେ ୪୨ ବିଧାନସଭା କ୍ଷେତ୍ରରେ ସିଧାସଳଖ ବିଜେପି ତା’ର ସ୍ଥିତି ମଜଭୁତ କରିବାକୁ କଟକ ବଛାଯାଇଛି। ଏହା ବ୍ୟତୀତ କଟକରେ ରହିଛି ବଡ଼ ଡାକ୍ତରଖାନା, ପୂର୍ବ ଭାରତର ପ୍ରମୁଖ ଚିକିତ୍ସାଳୟ ଶିଶୁଭବନ, ନ୍ୟାୟିକ ପୀଠ ହାଇକୋର୍ଟ ଏବଂ ପୁରୁଣା ତଥା ଗୌରବଶାଳୀ ଶିକ୍ଷାନୁଷ୍ଠାନ ରେଭେନ୍‍ସା ବିଶ୍ୱବିଦ୍ୟାଳୟ। ପ୍ରଥମ ତିନିଟି ସଂସ୍ଥାନକୁ ରାତିପାହିଲେ ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ଲୋକଙ୍କ ଭିଡ଼ ଛୁଟୁଛି। ତେଣୁ କଟକରୁ ବିଜେପି ବଦଳୁଥିବା ରାଜନୈତିକ ପରିବର୍ତ୍ତନର ହାୱା ବୁହାଇ ରାଜ୍ୟର ଅନ୍ୟ ସ୍ଥାନରେ ପହଞ୍ଚାଇବା ଲାଗି ରୌପ୍ୟନଗରୀକୁ ବାଛିଥିବା ମଧ୍ୟ ସାଧାରଣରେ ଆଲୋଚନା ହେଉଛି।
କଟକ ସଭାରେ ଗୋଟିଏ ଲେଖାଏଁ ବିଧାନସଭା କ୍ଷେତ୍ରରୁ ୨ରୁ ୫ହଜାର ଲୋକଙ୍କୁ ସଭାରେ ଏକତ୍ର କରି ନେତା, କର୍ମୀ ଓ ସଂଗଠନର ମନୋବଳ ବଢାଇବାକୁ ଲକ୍ଷ୍ୟ ରଖିଛି ବିଜେପି। ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ସାହାଙ୍କ ଅତ୍ୟନ୍ତ ବିଶ୍ୱସ୍ତ କୁହାଯାଉଥିବା ସୈଦାନ ସିଂହ ଗତକାଲିଠାରୁ କଟକରେ ଡେରା ପକାଇଛନ୍ତି। ପ୍ରତି ନିର୍ବାଚନ କ୍ଷେତ୍ରର ସମ୍ଭାବ୍ୟ ପ୍ରାର୍ଥୀଙ୍କ ସହିତ ସେ ଘନଘନ ବୈଠକ ଓ ଆଲୋଚନା ଚଳାଇଛନ୍ତି। ପ୍ରତି ପରିବାରକୁ ବିଜେପି ସହିତ କିପରି ଯୋଡାଯିବ ସେଥିନେଇ ଶ୍ରୀ ସିଂ ଦଳୀୟ ନେତାଙ୍କୁ ମନ୍ତ୍ର ଫୁଙ୍କୁଛନ୍ତି। ସଭାରେ ୨ରୁ ୩ଲକ୍ଷ ଜନସମାଗମ ହେବ ବୋଲି ଦଳୀୟ ନେତାଏ ଆଶା କରୁଛନ୍ତି।

Leave A Reply