ଶାନ୍ତାକ୍ଳଜ୍ ମୋଦୀ; ଓଡ଼ିଶା ପାଇଁ ୧୫ ହଜାର କୋଟିର ଉପହାର

0

ଭୁବନେଶ୍ବର: ଖ୍ରୀଷ୍ଟମାସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତାକ୍ଳଜ୍ ଭୂମିକାରେ ଓଡିଶା ଆସୁଛନ୍ତି । ତାଙ୍କ ମୁଣାରେ ରହିଛି ଓଡିଶା ପାଇଁ ୧୫ ହଜାର କୋଟି ଟଙ୍କାର ଉପହାର । ଏକ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦୀ ୧୫ ହଜାର କୋଟି ଟଙ୍କାର ୧୩ଟି ପ୍ରକଳ୍ପର ଓଡିଶା ପାଇଁ ଉତ୍ସର୍ଗ କରିବେ । ୨୦୧୯ ନିର୍ବାଚନ ପାଇଁ ମୋଦୀଙ୍କ ଏହି ପଦକ୍ଷେପ ବହୁତ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଏହି ପ୍ରକଳ୍ପ ପାଇଁ ଶୁକ୍ରବାର ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଦଳର ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭୂମି ପୂଜା ହୋଇଛି ।

ଖ୍ରୀଷ୍ଟମାସ ଉପଲକ୍ଷେ ମୋଦୀଙ୍କ ଉପହାର

ଲଳିତଗିରିରେ ପ୍ରାଚିନ ବୌଦ୍ଧ ବସ୍ତିରେ ଭଗବାନ ବୁଦ୍ଧଙ୍କ ବିଶେଷ ସଂଗ୍ରହାଳୟ ଉଦଘାଟନ ।
ଭାରତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାର ଶିଳାନ୍ୟାସ ।
ପାରାଦୀପ-ହାଇଦରାବାଦ ମଧ୍ୟରେ ପାଇପଲାଇନ କାର୍ୟ୍ୟର ଶୁଭାରମ୍ଭ ।
ଶ୍ରମିକ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଶୁଭାରମ୍ଭ ।
ଅନୁଗୁଳରୁ କଟକ ପର୍ଯ୍ୟନ୍ତ ୪ ଲେନ୍‍ କାମର ସଡକ ପ୍ରକଳ୍ପର ଶୁଭାରମ୍ଭ ।

ପ୍ରଧାନମନ୍ତ୍ରୀ ତାଙ୍କ ଏହି ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିସହିତ ମୋଦୀ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ କରିବେ। ସେହିପରି ପେଟ୍ରୋଲିୟମ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦରାବାଦ ମଧ୍ୟରେ ପାଇପଲାଇନ କାର୍ୟ୍ୟର ଶୁଭାରମ୍ଭ ହେବ। ଏହାସହିତ ୭୫.୩ କୋଟି ବ୍ୟୟରେ ଭୁବନେଶ୍ୱରରେ ଥିବା ଇଏସଆଇ ହସପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣା ଏନଏଚ-୫ ତଥା ବର୍ତ୍ତମାନ ଏନଏଚ-୧୬ର ୬ ଲେନ୍‍ ଓ କଟକ-ଅନୁଗୁଳ ରାସ୍ତାର ୪ ଲେନ୍‍ କାମର ଆରମ୍ଭ ହେବ। ଏହି ସମସ୍ତ କାମ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ କରିବେ। କେନ୍ଦ୍ର ସଂସ୍କୁତି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୫ କୋଟିର କପର୍ସ ଫଣ୍ଡ ଯୋଗାଇ ଦିଆଯିବ। ଆଗମୀ ପୀଢି ପାଇଁ ୨୦୦ ବର୍ଷ ଇତିହାସର ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଲଳିତଗିରି ଭଳି ପ୍ରାଚୀନ କୀର୍ତ୍ତିରାଜୀକୁ ଅତ୍ୟାଧୁନିକ ପର୍ୟ୍ୟଟନ ସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

Leave A Reply