ପ୍ୟାକେଜ ଧରି ଆସୁଛନ୍ତି ମୋଦୀ

0

ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ ଓଡ଼ିଶା ଉପରେ ନଜର ରଖିଛି ବିଜେପି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା, ରାଜମାର୍ଗ, ପେଟ୍ରୋଲିୟମ, ଶ୍ରମ ଓ ସଂସ୍କୃତି ବିଭାଗର ଏକାଧିକ ପ୍ରକଳ୍ପର ପ୍ୟାକେଜ୍‌ ଧରି ଓଡ଼ିଶା ଆସୁଛନ୍ତି। ମୋଦୀ ଆସନ୍ତା ୨୪ ତାରିଖରେ ତାଙ୍କର ଓଡିଶା ଗସ୍ତ ସମୟରେ ୧୪ ହଜାର ୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ।
ଗୁରୁବାର ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ୍‌ରେ ଓଡିଶା ରହିଛି। ସାଢେ ୪ ବର୍ଷ ଶାସନରେ ବହୁ କେନ୍ଦ୍ରୀୟ ପ୍ରକଳ୍ପ ଓଡିଶାରେ ପ୍ରତିଷ୍ଠା ହୋଇପାରିଛି। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କ ଏହି ଗସ୍ତ ସମୟରେ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିସହିତ ମୋଦୀ ସରକାରଙ୍କ ସମୟରେ ବ୍ରହ୍ମପୁରରେ ଆରମ୍ଭ ହୋଇଥିବା ବିଶ୍ୱସ୍ତରୀୟ ଆଇଜରର ଶିଳାନ୍ୟାସ କରାଯିବ। ସେହିପରି ପେଟ୍ରୋଲିୟମ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ମାଧ୍ୟମରେ ପାରାଦୀପ-ହାଇଦରାବାଦ ମଧ୍ୟରେ ପାଇପଲାଇନ କାର୍ଯ୍ୟର ଶୁଭାରମ୍ଭ ହେବ। ଏହାସହିତ ୭୫.୩ କୋଟି ବ୍ୟୟରେ ଭୁବନେଶ୍ୱରରେ ଥିବା ଇଏସଆଇ ହସପିଟାଲକୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବା ସହ ପୁରୁଣାଏନଏଚ-୫ ତଥା ବର୍ତ୍ତମାନ ଏନଏଚ-୧୬ର ୬ ଲେନ୍ ଓ କଟକ-ଅନୁଗୋଳ ରାସ୍ତାର ୪ ଲେନ୍ କାମର ଆରମ୍ଭ ହେବ।
ଏହି ସମସ୍ତ କାମ ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଲୋକାର୍ପଣ ଓ ଶୁଭାରମ୍ଭ କରାଯିବ। ଏଥିସହିତ ଏକ ଜନସଭାକୁ ସମ୍ବୋଧିତ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତା ୨୪ ତାରିଖ ଓଡିଶାବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ୨୦ ଜୁଲାଇ ୨୦୧୭ରେ ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ହାତରେ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହର ୨୦୦ ଶହ ବର୍ଷ ପୂର୍ତ୍ତି ଏକ ନିର୍ଣାୟକ ସ୍ଥିତିରେ ପହଞ୍ଚିବ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଇଁ ପାଇକ ବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକଟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଥିବା ପାଇକ ବିଦ୍ରୋହ ଗବେଷଣା ଚେୟାରର ଶୁଭାରମ୍ଭ କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ୫ କୋଟିର କର୍ପସ୍‌ ଫଣ୍ଡ ଯୋଗାଇ ଦିଆଯିବ। ଆଗମୀ ପିଢ଼ି ପାଇଁ ୨୦୦ ବର୍ଷ ଇତିହାସର ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ। ଲଳିତଗିରି ଭଳି ପ୍ରାଚୀନ କୀର୍ତ୍ତିରାଜିକୁ ଅତ୍ୟାଧୁନିକ ପର୍ଯ୍ୟଟନସ୍ଥଳୀ ଭାବେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
କେନ୍ଦ୍ର ସରକାରଙ୍କର ଏପରି କାର୍ଯ୍ୟ ଓଡିଶାର ପର୍ଯ୍ୟଟନ, ମର୍ଯ୍ୟାଦା, ସ୍ୱାଭିମାନ ଓ ଅର୍ଥନୀତିରେ ନୂଆ ପରିଚୟ ସୃଷ୍ଟି କରିବ। ସେଥିପାଇଁ ଓଡିଶା ତରଫରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଶିକ୍ଷା, ସଡ଼କ, ପେଟ୍ରୋଲିୟମ, ଶ୍ରମ ଓ ସଂସ୍କୃତି ବିଭାଗର ବିଭିନ୍ନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ଅର୍ଥନୀତି, ସଂସ୍କୃତି, ରୋଜଗାର, ପର୍ଯ୍ୟଟନ, ରାଜସ୍ୱ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି।

Leave A Reply