ଭାରତୀୟ ସମାଜ ଏବଂ ଏହାର ପରମ୍ପରା ଅନ୍ୟମାନଙ୍କଠାରୁ ଭିନ୍ନ ଓ ସ୍ବତନ୍ତ୍ର : ମୋଦୀ

0

ଇନ୍ଦୋର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଶୁକ୍ରବାର  ଇନ୍ଦୋରଠାରେ ଇମାମ ହୁସେନଙ୍କ ଆତ୍ମବଳୀ ସ୍ମୃତି ଉତ୍ସବ, ଆଶରା ମୁବାରକରେ ଦାଉଦି ବୋହରା ସଂପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିନ କରିଛନ୍ତି ।

ଇମାମ ହୁସେନଙ୍କ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇମାମ ସର୍ବଦା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ ଏବଂ ଶାନ୍ତି ଓ ନ୍ୟାୟ ବଜାୟ ରଖିବା ପାଇଁ ସହିଦ ହୋଇଥିଲେ । ସେ କହିଥିଲେ ଯେ ଇମାମଙ୍କ ଶିକ୍ଷା ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି । ଡା. ସୟେଦିନା ମୁଫଦ୍ଦଲ ସୟିଫୁଦ୍ଦିନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ର ପ୍ରତି ଶ୍ରଦ୍ଧା ଏବଂ ସମର୍ପଣ ତାଙ୍କ ଶିକ୍ଷାର ପରିଚାୟକ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କୁ ନେଇ ଚଳିବାର ସଂସ୍କୃତି ଯୋଗୁ ଭାରତ ଅନ୍ୟ ଦେଶଠାରୁ ଭିନ୍ନ  । ‘ଆମେ ନିଜ ଅତୀତ ଉପରେ ଗର୍ବିତ, ଆମେ ଆମ ବର୍ତ୍ତମାନରେ ବିଶ୍ୱାସ କରୁ ଏବଂ ଆମ ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଭରସା ରଖୁ ’ ବୋଲି ସେ କହିଥିଲେ  । ଭାରତୀୟମାନେ ସାରା ବିଶ୍ୱକୁ ନିଜର ପରିବାର ବୋଲି ବିଶ୍ୱାସ କରନ୍ତି ଏବଂ ସମସ୍ତଙ୍କ ସହ ମିଳିମିଶି ଚଳିବାର ପରମ୍ପରା ଭାରତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ  କହିଛନ୍ତି। ଭାରତୀୟ ସମାଜ ଏବଂ ଏହାର ପରମ୍ପରା ଦେଶପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିଛି ।

ଦାଉଦି ବୋହରା ସଂପ୍ରଦାୟର ଯୋଗଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂପ୍ରଦାୟ ସର୍ବଦା ଭାରତର ପ୍ରଗତି ଏବଂ ବିକାଶ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି  । ସେ ଆଶାବ୍ୟକ୍ତ କରିଥିଲେ ଯେ ସଂପ୍ରଦାୟ ସାରା ପୃଥିବୀରେ ଭାରତୀୟ ସଂସ୍କୃତିର ଶକ୍ତି ବିସ୍ତାର କରିବାର ମହାନ କାର୍ଯ୍ୟକୁ ଜାରି ରଖିବ  ।

ବୋହରା ସଂପ୍ରଦାୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଭାଗ୍ୟ ଭଲ ବୋଲି ସେ ବୋହରା ସଂପ୍ରଦାୟର ସ୍ନେହ ପ୍ରାପ୍ତ କରିପାରିଛନ୍ତି  । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ସଂପ୍ରଦାୟ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତାକୁ ସ୍ମରଣ କରି ମୋଦୀ କହିଥିଲେ ଯେ ସଂପ୍ରଦାୟର ସ୍ନେହ ଏବଂ ଶ୍ରଦ୍ଧା ତାଙ୍କୁ ଇନ୍ଦୋର ଟାଣି ଆଣିଛି  ।

ଦାଉଦି ବୋହରା ସଂପ୍ରଦାୟ ଦ୍ୱାରା କରାଯାଇଥିବା ବିଭିନ୍ନ ସାମାଜିକ ପଦକ୍ଷେପଗୁଡିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗରିକମାନେ, ବିଶେଷତଃ ଗରିବ ଏବଂ ଅଭାବୀଙ୍କ ପାଇଁ ଉତ୍ତମ ଜୀବନ ଶୈଳୀ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରଚେଷ୍ଟା କରାଯାଉଛି  । ଏହି ସନ୍ଦର୍ଭରେ ସେ ଆୟୁଷ୍ମାନ ଭାରତ, ସ୍ୱଚ୍ଛ ଭାରତ ଅଭିଯାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସରକାରଙ୍କ ଅନେକ ବିକାଶୋନ୍ମୁଖୀ ପଦକ୍ଷେପଗୁଡିକର ଉଲ୍ଲେଖ କରିଥିଲେ  । ସେ ଉଲ୍ଲେଖ କରିଥିଲେ ଯେ ଏହି ପଦକ୍ଷେପ ସାଧାରଣ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣୁଛି  ।

ସ୍ୱଚ୍ଛ ଭାରତ ମିଶନକୁ ଆଗକୁ ବଢାଇ ଥିବାରୁ ପ୍ରଧାନମନ୍ତ୍ରୀ ଇନ୍ଦୋରର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ  । ସେ କହିଥିଲେ ଯେ ‘ସ୍ୱଚ୍ଛତା ହିଁ ସେବା’ ଯୋଜନାର ଆସନ୍ତା କାଲି ଶୁଭାରମ୍ଭ କରାଯିବ ଏବଂ ନାଗରିକମାନଙ୍କୁ ଏହି ଭବ୍ୟ ସ୍ୱଚ୍ଛତା ମିଶନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରିଥିଲେ  ।

ବାଣିଜ୍ୟ କ୍ଷେତ୍ରରେ ବୋହରା ସଂପ୍ରଦାୟ ଦ୍ୱାରା ପ୍ରଦର୍ଶୀତ ବିଶ୍ୱସନୀୟତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜିଏସଟି, ଦେବାଳିଆ ଏବଂ ଦେବାଳିଆପଣ ସଂହିତା ଜରିଆରେ ବିଶ୍ୱସନୀୟ ବ୍ୟବସାୟୀ ଏବଂ ଶ୍ରମିକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି  । ସେ କହିଥିଲେ ଯେ ଭାରତର ଅର୍ଥ ବ୍ୟବସ୍ଥା ବୃଦ୍ଧି ପାଉଛି ଏବଂ ଭାରତ ଏକ ନୂତନ ଦିଗବଳୟ ସୃଷ୍ଟି କରିବାକୁ ଯାଉଛି ବୋଲି କହିଥିଲେ  ।

ଏହି ଅବସରରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ  । ଡା. ସୟେଦିନା ମୁଫଦ୍ଦାଲ ସୟିଫୁଦ୍ଦିନ ପ୍ରଧାନମନ୍ତ୍ରୀଙ୍କ ଅତୁଳନୀୟ କାର୍ଯ୍ୟ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ଦେଶ ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କର ସଫଳତା କାମନା କରିଥିଲେ  ।

 

Leave A Reply