ନିରବତା ଭାଙ୍ଗିଲେ ମୋଦି : ଆମର ଝିଅଙ୍କୁ ନ୍ୟାୟ ମିଳିବ

0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର କଠୁଆ ଓ ଉତ୍ତରପ୍ରଦେଶର ଉନ୍ନାଓ ଗଣବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାଙ୍କର ନିରବତା ଭାଙ୍ଗିଛନ୍ତି। ମୋଦି କହିଛନ୍ତି ଯେ କୌଣସି ଅପରାଧୀଙ୍କୁ କ୍ଷମା ଦିଆଯିବ ନାହିଁ। ଏହି ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଠାରେ ଆମ୍ବେଦକର ସ୍ମାରକୀ ଉନ୍ମୋଚନ ଅବସରରେ ମୋଦି କହିଛନ୍ତି ଯେ ଦୋଷୀମାନଙ୍କୁ ଦଣ୍ଡିତ ପୂର୍ବକ ଆମ ଝିଅମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ। ସେ କହିଛନ୍ତି ଯେ ବଳାତ୍କାର ଓ ମହିଳା ବିରୋଧୀ ହିଂସାରୁ ଦେଶକୁ ରକ୍ଷା କରିବାକୁ ହେଲେ ଆମ ସମସ୍ତଙ୍କୁ ଏକଜୁଟ୍‌ ହେବାକୁ ପଡିବ। ଏଥିପାଇଁ ଆମେ ଆମ ପିଲାମାନଙ୍କୁ ସାମାଜିକ ଓ ନୈତିକ ଶିକ୍ଷା ଦେବା ଦରକାର। ପରିବାରର ଗୋଟିଏ ଝିଅ ବିଳମ୍ବିତ ରାତିରେ ଫେରିଲେ ଆମେ ତାକୁ ସଙ୍ଗେ ସଙ୍ଗେ ପ୍ରଶ୍ନ କରୁ ଯେ ଏତେ ବେଳ ଯାଏଁ କୁଆଡେ ଯାଇଥିଲୁ। ମାତ୍ର ପରିବାରର ପୁଅଟିଏ ବିଳମ୍ବିତ ରାତିରେ ଫେରିଲେ ଆମେ ସାଧାରଣତଃ ତାକୁ କିଛି ପ୍ରଶ୍ନ କରି ନଥାଉ। ଝିଅଙ୍କ ଭଳି ପୁଅଙ୍କ କ୍ଷେତ୍ରରେ ମଧ୍ୟ ପରିବାର ଲୋକ ଅନୁରୂପ ପ୍ରଶ୍ନ କରିବା ଆବଶ୍ୟକ। କଠୁଆ ଓ ଉନ୍ନାଓରେ ଯେଉଁ ଘଟଣା ଘଟିଛି ତାକୁ କୌଣସି ସଭ୍ୟ ସମାଜ ସହ୍ୟ କରିପାରିବ ନାହିଁ। ଏଥିପାଇଁ ଦେଶ ଓ ସମାଜ ଲଜ୍ଜିତ। ପ୍ରଧାନମନ୍ତ୍ରୀ କହିଛନ୍ତି ‘ମୁଁ ପ୍ରତିଶ୍ରୁତି ଦେଉଛି ଯେ ଏହି ମାମଲାର ଉପଯୁକ୍ତ ତଦନ୍ତ ପୂର୍ବକ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ। କୌଣସି ଅପରାଧୀକୁ ଖସିଯିବାକୁ ଦିଆଯିବ ନାହିଁ।’ ଉନ୍ନାଓ ଓ କଠୁଆ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ବିରୋଧୀ ଦଳଗୁଡିକୁ ତୀବ୍ର ସମାଲୋଚନା କରିଆସୁଥିଲେ।

Leave A Reply