ପ୍ରୋଟୋକଲ, ନିରାପତ୍ତା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦେଶ

0

ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ,ଅଢ଼େଇ ଘଣ୍ଟା ରହଣି

ଭୁବନେଶ୍ୱର : ୨୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରୋଟୋକଲ ଓ ନିରାପତ୍ତା ବ୍ୟବସ୍ଥାକୁ ପୂର୍ଣ୍ଣ ଭାବେ ଅନୁପାଳନ କରିବା ସହ ଆବଶ୍ୟକତା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ମାତ୍ର ୨ଘଣ୍ଟା ୩୦ ମିନିଟ ରହିବା କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଗୃହ ବିଭାଗ ପ୍ରମୁଖ ସଚିବ ଅସିତକୁମାର ତ୍ରିପାଠୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଗସ୍ତ ସୂଚୀ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା ପ୍ରାକ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ପାଢ଼ୀ ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ସାଧାରଣ ସଭା ଏବଂ ଯାତାୟାତ ଯେପରି ସୁରୁଖୁରୁରେ ସମ୍ପାଦିତ ହେବ ସେଥିନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ସାରିବାକୁ ନିଷ୍ପତ୍ତି ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ ୨୬ ତାରିଖ ଅପରାହ୍ଣ ୩.୨୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟରରେ ଯାଇ ନରାଜ ହେଲିପ୍ୟାଡରେ ଅବତରଣ କରିବେ। ସଡ଼କ ପଥରେ ବାଲିଯାତ୍ରା ପଡ଼ିଆ ଯାଇ ସେଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ। ସାଧାରଣ ସଭା ପରେ ସେ ଭୁବନେଶ୍ୱର ଫେରି ୫.୫୫ ମିନିଟରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ ଆରକ୍ଷୀ ମହା ନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ଶକ୍ତି, ସୂଚନା ଓ ଲୋକସମ୍ପର୍କ ସଚିବ ହେମନ୍ତକୁମାର ଶର୍ମା, ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply