ମୋବାଇଲ ଚୋରିରୁ ରକ୍ଷା ପାଇବାକୁ ସତର୍କତା

0

ନିକଟରେ ଦିଲ୍ଲୀ ପୁଲିସ୍ ନିଜର ନୂତନ ଅଭିଯାନ ଆରମ୍ଭ କରିଛି। ଚୋରି, ଡକାୟତି କେବଳ ଦିଲ୍ଲୀର ସମସ୍ୟା ନୁହେଁ, ବରଂ ଭାରତର ପ୍ରତ୍ୟେକ ପ୍ରାନ୍ତରେ ନିୟମିତ ସଂଖ୍ୟାଧିକ ଚୋରି ହେଉଛି। ହେଲେ ଦିଲ୍ଲୀରେ ଏହା ନିୟନ୍ତ୍ରଣ ହୋଇପାରିବା ସେଭଳି ସହଜ ବ୍ୟାପାର ନୁହେଁ ବୋଲି ପୁଲିସ୍ ଅଧିକାରୀଙ୍କ ମତ। ରାଜଧାନୀର ମୁଖ୍ୟ ରାସ୍ତାଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବା ସତ୍ତ୍ବେ ଚୋରମାନେ ମୁହଁରେ କପଡ଼ା ବାନ୍ଧି ନିଜ ଅଭିଯାନ ଚଳାଇଛନ୍ତି। ଏପରିସ୍ଥଳେ ଦିଲ୍ଲୀ ପୁଲିସ୍ ସୋସିଆଲ ସାଇଟ୍ ସହ ସ୍ଥାନୀୟ ଗଣମାଧ୍ୟମର ସହାୟତା ନେଇ ଦିଲ୍ଲୀ ବାସୀ ଓ ପର୍ୟ୍ୟଟକଙ୍କୁ ସଚେତନ କରାଉଛି।

ମୋବାଇଲ୍ ଚୋରିରୁ ବର୍ତ୍ତିବା ପାଇଁ ଲୋକେ ବାମ ହାତରେ ମୋବାଇଲ୍ ଧରି କଥା ହେବାକୁ ପରାମର୍ଶ ଦିଆଯାଇଛି। ନଚେତ୍ ଇୟରଫୋନ୍, ବ୍ଲୁଟୁଥ୍ ଡିଭାଇସ୍ ଏଥିପାଇଁ ସର୍ବୋତ୍ତମ।

ସଂଖ୍ୟାଧିକ ସିସିଟିଭି ଫୁଟେଜ୍‌ରୁ ଦେଖାଯାଇଛି ଯେ ଡାହାଣ ପାଖ କାନରେ ଲଗାଇ କଥା ହେଉଥିବା ଲୋକଙ୍କର ଅଧିକାଂଶ ମୋବାଇଲ୍ ଚୋରି ହୋଇଛି। ଚୋର ଡାହାଣ ପାଖରୁ ଆସି ଓଭରଟେକ୍ କଲାବେଳେ ହିଁ ମୋବାଇଲ୍ ଛଡ଼ାଇ ନେଇ ପଳାଇଥାଏ। ଏଣୁ ବାମ ପାଖ କାନରେ ଏଥର ମୋବାଇଲ୍ ଧରି କଥା ହେବା ନିମନ୍ତେ ଦିଲ୍ଲୀ ପୁଲିସ୍ ମୁଖ୍ୟାଧିକାରୀଙ୍କ ପରାମର୍ଶ।
କିଛି ମାସ ତଳର ଘଟଣା। ରୋମ୍‌ରୁ ପର୍ୟ୍ୟଟକ ଦମ୍ପତି ଆସିଥିଲେ। ସେମାନଙ୍କ ମୋବାଇଲ୍ ନୋଏଡାରେ ଚୋରି ହେଲା। ପୁଲିସ୍‌ରେ ଅଭିଯୋଗ କଲେ ହେଲେ ମୋବାଇଲ୍ ମିଳିନଥିଲା। ପରେ ସେଇ ଦମ୍ପତି ଭ୍ରମଣ ଶେଷ ହେବା ପରେ ନିଜ ଦେଶକୁ ଫେରିଯାଇଥିଲେ। କିଛି ସପ୍ତାହ ଅତିକ୍ରାନ୍ତେ ଏକ ବିଦ୍ୟାଳୟ ଯାଉଥିବା ପିଲାକୁ ଅପହରଣ କରାଯାଇଥିଲା। ଏହି ଅପହରଣରେ ଉପଯୋଗ ହୋଇଥିବା ଫୋନ୍ ନମ୍ବରଗୁଡ଼ିକରେ ରୋମାନ୍ ଦମ୍ପତିଙ୍କ ନମ୍ବର ଥିଲା। ପୁଲିସ୍ ଏବର ଚୋରଙ୍କ ମୋବାଇଲ୍ ଚୋରି ପଛର ଏଇ ରହସ୍ୟ ଉନ୍ମୋଚନ କରିଥିଲେ। ମୋବାଇଲ୍ ଚୋରି ହେବା ପରେ ଅନ୍ୟ ଅପରାଧରେ ସେସବୁ ମୋବାଇଲ୍ ନମ୍ବରକୁ ବ୍ୟବହାର କରାଯିବା ଏମାନଙ୍କ ମୁଖ୍ୟ ଉଦେଶ୍ୟ। ଏଣୁ ମୋବାଇଲ୍ ଚୋରି ହେବା ମାତ୍ରେ ତୁରନ୍ତ ନିକଟସ୍ଥ ପୁଲିସ୍ ଥାନାକୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି।

Leave A Reply