ଝାଡ଼ଖଣ୍ଡରେ ଭିଡ଼ ହିଂସା; ଯୁବକଙ୍କୁ ହତ୍ୟା, ୨ ଗୁରୁତର

ରାଞ୍ଚି: ଝାଡ଼ଖଣ୍ଡରେ ପୁଣି ଭିଡ଼ ହିଂସା ଦେଖିବାକୁ ମିଳିଛି। ଗୋହତ୍ୟା କରି ମାଂସ ବିକ୍ରି କରିବା ସନ୍ଦେହରେ ଉତ୍ୟେକ୍ତ ଲୋକମାନେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଆକ୍ରମଣରେ ଅନ୍ୟ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଖୁଣ୍ଟି ଜିଲାର ଜଲତାନ୍ଦା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି।

ସୂଚନା ମୁତାବକ, ଜଲତାନ୍ଦା ଗ୍ରାମରେ ୩ ଜଣ ଯୁବକ ଗୋମାଂସ ବିକ୍ରି କରୁଥିବା ନେଇ ସୋସିଆଲ ମିଡିଆ ହ୍ବାଟ୍ସଆପରେ ମେସେଜ ଭାଇରାଲ ହୋଇଥିଲା। ଏହା ଜଣାପଡ଼ିବା ପରେ ନିକଟ ଗ୍ରାମରୁ ୧୨ରୁ ୧୫ ଜଣ ବ୍ୟକ୍ତି ଆସି ଉକ୍ତ ୩ ଜଣ ଯୁବକଙ୍କୁ ମାରପିଟ୍‌ କରିଥିଲେ। ଯୁବକମାନେ ସେମାନଙ୍କ କବଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ ସେମାନଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ମଧ୍ୟରୁ କାଲାନ୍ତୁସ ବାର୍ଲାଙ୍କ ମୃତ୍ୟୁ ଘଟିଥିଲା ବେଳେ ଫଗୁ କଚ୍ଛପନ୍ଦ ଏବଂ ଫିଲିପ ହାହୋର ଗୁରୁତର ଆହତ ହୋଇଥିଲା। ଏହି ୩ ଜଣ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ଗତ ୩ ମାସ ମଧ୍ୟରେ ଏହା ଝାଡ଼ଖଣ୍ଡର ୨ୟ ଘଟଣା।

Comments are closed.