ଦେବଦୂତ ସାଜିଲା ପୁଲିସ : ମାଓ ନେତାଙ୍କ ମା’ଙ୍କୁ ମେଡିକାଲ ଆଣିଲା

0

ମାଲକାନଗିରି/କାଲିମେଳା : ମାଓବାଦୀ ଓ ପୁଲିସ ମଧ୍ୟରେ ଏଠାରେ ଛକାପଞ୍ଝା ଲାଗି ରହିଥିବା ବେଳେ ପୁଲିସ ମାଓନେତା ରଣଦେବଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆଣି ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି। କାଲିମେଳା ଦଳମର ମାଓନେତା ରଣଦେବଙ୍କ ମା’ କିଛି ଦିନ ହେଲା ରୋଗାକ୍ରାନ୍ତ ଅବସ୍ଥାରେ ଛଟପଟ ହେଉଥିଲେ। ଏମିତି ଅବସ୍ଥାରେ କାଲିମେଳା ପୁଲିସ ଦେବଦୂତ ସାଜି ରଣଦେବଙ୍କ ମା’ଙ୍କୁ ଆଣି କାଲିମେଳା ମେଡିକାଲରେ ଚିକିତ୍ସା କରାଇଛନ୍ତି। ରଣଦେବଙ୍କ ମା’ ରାମେ ମାଢି(୫୮) ବଡିଗେଟା ପଞ୍ଚାୟତ ଟେକଗୁଡା-ଏ ଗ୍ରାମସ୍ଥିତ ନିଜ ଘରେ ରହି ଆସୁଥିଲେ। ଗତ ଏକ ସପ୍ତାହ ହେଲା ସେ ଅସୁସ୍ଥ ଥିଲେ। ଟେକଗୁଡା-ଏ ଅଞ୍ଚଳ ଦୁର୍ଗମ ହୋଇଥିବାରୁ ଏଠାରେ ଚିକିତ୍ସା ନିମନ୍ତେ କୈଣସି ବ୍ୟବସ୍ଥା ନଥିଲା। ଫଳରେ ପରିବାରଲୋକ ରାମେଙ୍କୁ ଚିକିତ୍ସା କରାଇପାରି ନଥିଲେ। ଦୀର୍ଘ ଦିନ ଧରି ରୋଗରେ ଛଟପଟ ହେଉଥିବା ରାମେ ଚିକିତ୍ସା ନପାଇ ବହୁ କଷ୍ଟରେ ରହିଥିଲେ। କାଲିମେଳା ସଦରକୁ ସିଧାସଳଖ ରାସ୍ତା ସଂଯୋଗ ନଥିବା କାରଣରୁ ଗାଡି ଭଡା କରି ତାଙ୍କୁ ଆଣିବା ପରିବାର ଲୋକଙ୍କ ପକ୍ଷେ ସମ୍ଭବ ନଥିଲା। ରାମେ ଅସୁସ୍ଥ ରହିଥିଲେ ସୁଦ୍ଧା ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରି ନଥିଲା। କୌଣସି ସୂତ୍ରରୁ କାଲିମେଳା ପୁଲିସ ଖବର ପାଇ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲା। ରଣଦେବଙ୍କ ମା’ଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦେବାକୁ ପୁଲିସ ନିଷ୍ପତ୍ତି ନେଇଥିଲା। ଗୁରୁବାର ପୁଲିସ ଗ୍ରାମବାସୀଙ୍କ ସହଯୋଗରେ ରାମେଙ୍କୁ ଆଣି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ରଣଦେବଙ୍କ ଦୁଇ ଭାଇ ନାନ୍ଦା ମାଢି ଓ ଶୁକ୍ରା ମାଢି ମେଡିକାଲରେ ତାଙ୍କ ମା’ଙ୍କ ସହିତ ଉପସ୍ଥିତ ଥିଲେ। ରାମେଙ୍କୁ ଜ୍ୱର ସହ ଉଚ୍ଚ ରକ୍ତଚାପ ଓ ପୁଷ୍ଟିହୀନତା ରୋଗ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର ଜଣାଇଛନ୍ତି। ପୁଲିସ ଔଷଧଠାରୁ ଆରମ୍ଭ କରି ତାଙ୍କ ଖାଇବା ରହିବା ଓ ଅନ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଇଥିଲା। ଗୋଟିଏ ପଟେ ପୁଅ ରଣଦୀପ ମାଓବାଦୀ ଦଳରେ ସାମିଲ ହୋଇ ଘଞ୍ଚ ଜଙ୍ଗଲରେ ମାଓ ମେଳି କରୁଥିବା ବେଳେ ଏପଟେ ପୁଲିସ ତାଙ୍କ ପରିବାର ପ୍ରତି ମାନବିକତା ପ୍ରଦର୍ଶନ ଦେଖାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ନକ୍ସଲଙ୍କ ଉପଦ୍ରବ ଯୋଗୁଁ ବଡିଗେଟା ପଞ୍ଚାୟତର ବିଭିନ୍ନ ଗ୍ରାମ ଆଜି ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇ ରହିଛି। ରାସ୍ତା ଘାଟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା, ଶିକ୍ଷା ଭଳି ମୌଳିକ ସୁବିଧା ଏଠାରେ ଉପଲବ୍ଧ ହୋଇ ପାରିନାହିଁ। ଏବେ ପୁଲିସର କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ଏ ବିଷୟରେ କାଲିମେଳା ଥାନା ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି, ପୁଲିସ ସବୁବେଳେ ସାଧାରଣ ଲୋକଙ୍କ ପାଇଁ ରହିଛି ଆଗକୁ ମଧ୍ୟ ରହିଥିବ। ଏ ସମ୍ପର୍କରେ ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ପ୍ରେସ ବିଜ୍ଞପ୍ତି ଜରିଆରେ ମାଓନେତା ରଣଦେବଙ୍କ ପରିବାର ପ୍ରତି ବିଭାଗର ସମବେଦନା ରହିଥିବା କହିଛନ୍ତି। ରଣଦେବ ମାଓ ସଂଘଠନ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମୀନା ସୂଚନା ଦେଇଛନ୍ତି। ପୂର୍ବର୍ରୁ ମାଲକାନଗିରି ପୁଲିସ ରକ୍ତଦେଇ ନକ୍ସଲ ଶ୍ରୀନାମୁଲୁ ଶ୍ରୀନିବାସଙ୍କ ଜୀବନ ବଞ୍ଚାଇ ପାରିଥିଲା। ମାଲକାନଗିରି ପୁଲିସର କେହି ଶତ୍ରୁ ନୁହନ୍ତି, ତେବେ ଗଣତନ୍ତ୍ରର ଅବମାନନା କରୁଥିବା ବ୍ୟକ୍ତି କିମ୍ବା ହିଂସାକୁ ମାଧ୍ୟମ କରିଥିବା ଯେ କୌଣସି ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମୀନା କହିଛନ୍ତି।

Leave A Reply