ଏମ୍‌କେସିଜିକୁ ଡେଙ୍ଗୁ ରୋଗୀଙ୍କ ସୁଅ ; ୧୫ ଦିନରେ ୧୯ ରୋଗୀ

0

ବ୍ରହ୍ମପୁର : ବର୍ଷା ଋତୁ ସହ ଡେଙ୍ଗୁ ରୋଗ ମାଡ଼ି ଆସିଛି । ରାଜ୍ୟର ଏକାଧିକ ଜିଲାରେ ଡେଙ୍ଗୁ କାୟାବିସ୍ତାର କରିବାରେ ଲାଗିଛି । ସେହିକ୍ରମରେ ବ୍ରହ୍ମପୁରସ୍ଥିତ ଏମକେସିିଜି ମେଡିକାଲ କଲେଜ ଓ ହସପିଟାଲକୁ ଡେଙ୍ଗୁ ରୋଗୀଙ୍କ ସୁୁଅ ଛୁଟିବାରେ ଲାଗିଛି।
ଏମକେସିଜି ମେଡିକାଲ କାଜୁଆଲିଟି କୋଠାର ଦ୍ୱିତୀୟ ମହଲାରେ ଥିବା ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ବର୍ତ୍ତମାନ ୮ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୧୫ ଦିନ ଭିତରେ ଏହି ମେଡିକାଲରେ ମୋଟ ୧୯ ଜଣ ଡେଙ୍ଗୁ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏମକେସିଜିକୁ ଆସିଥିବା ଅଧିକାଂଶ ରୋଗୀ ରାୟଗଡ଼ା ଓ ଶ୍ରୀକାକୁଲମ ଜିଲାର ବୋଲି ଜଣାପଡ଼ିଛି। ଶ୍ରୀକାକୁଲମ ଜିଲାର ଇଚ୍ଛାପୁର ନିକଟ ଡନ୍‌କୁର୍‌ ଅଞ୍ଚଳରେ ଡେଙ୍ଗୁ ରୋଗ କାୟା ବିସ୍ତାର କରିଥିବାରୁ ସେଠାକାର ଚିକିତ୍ସାଳୟରୁ ରେଫେର ହୋଇ ପ୍ରତ୍ୟକ ଦିନ ଏକାଧିକ ରେୀଗୀ ଏମକେସିଜି ମେଡିକାଲକୁ ଆସୁଛନ୍ତି। ସେହିପରି ରାୟଗଡ଼ା ଜିଲା ଜେ.କେ. ପୁର ଅଞ୍ଚଳରେ ଡେଙ୍ଗୁ ରୋଗ ମାଡ଼ି ଚାଲିଥିବାରୁ ସେଠାରୁ ରୋଗୀମାନେ ରେଫେର ହୋଇ ଏହି ମେଡିକାଲକୁ ଆସୁଛନ୍ତି। ରୋଗୀଙ୍କ ସୁଅ ଛୁଟିଥିବାରୁ ମେଡିକାଲ କର୍ତ୍ତୃପକ୍ଷ ଡେଙ୍ଗୁ ୱାର୍ଡ ସଂଖ୍ୟା ୨ ରୁ ୩ କୁ ବୃଦ୍ଧି କରିବା ସହ ରବିବାର ଠାରୁ ଆବାଶ୍ୟକୀୟ ଷ୍ଟାଫନର୍ସ ଓ ଡାକ୍ତର ନିୟୋଜିତ କରିଛନ୍ତି। ଜୁନ ୧୫ ତାରିଖରେ ଏହି ମେଡିକାଲରେ ଡେଙ୍ଗୁ ୱାର୍ଡ ଖୋଲିଥଲା। ୧୭ ତାରିଖରେ ଗଞ୍ଜାମ ଜିଲା ପାଟପୁର ଅଞ୍ଚଳର ଜଣେ ଯୁବକ ପ୍ରଥମଥର ପାଇଁ ଭର୍ତ୍ତି ହୋଇଥିଲେ। ୧୮ ତାରିଖରେ ରାୟଗଡ଼ାରୁ ଜଣେ ରୋଗୀ ରେଫେର ହୋଇ ଚିକିତ୍ସା ପାଇଁ ଆସିଥିଲେ। ୨୩ ତାରିଖରେ ରାୟଗଡ଼ାରୁ ୪ ଜଣ ରୋଗୀ ରେଫେର ହୋଇଥିଲେ। ଏହା ପରେ ଡନ୍‌କୁର ଓ ଜେ.କେ. ପୁର ଅଞ୍ଚଳରୁ ରୋଗୀଙ୍କ ସୁଅ ଛୁଟିବାରେ ଲାଗିଛି। ରୋଗୀଙ୍କ ମଧ୍ୟରେ ୪୦ ପ୍ରତିଶତ ମହିଳା ରହିଛନ୍ତି। ଆଜି ରାୟଗଡା ଜେ.କେ. ପୁରରୁ ଆସି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିବା ୨ ଜଣ ମଧ୍ୟରୁ ଜଣେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ଅଛନ୍ତି। ତେବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ମଧ୍ୟରୁ କେତେକଙ୍କ ଡେଙ୍ଗୁ ପଜିଟିଭ ଥିବା ସ୍ପଷ୍ଟ ହୋଇଥିବା ବେଳେ ଆଉ କେତେକଙ୍କୁ ସନ୍ଦେହରେ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ରକ୍ତ ନମୂନାର ଆଲିସା ଟେଷ୍ଟ କରିବାକୁ ପଠାଇ ଦିଆଯାଇଛି।

Leave A Reply