ବିଶ୍ବରେ ପ୍ରଥମ ମହିଳା ; ଆନ୍ତର୍ଜାତିକ କ୍ରିକେଟରେ ମିତାଲିଙ୍କ ୨୦ ବର୍ଷ

ବରୋଦା : ବିଶ୍ବର ପ୍ରଥମ ମହିଳା କ୍ରିକେଟର ଭାବେ ମିତାଲି ରାଜ ଆନ୍ତର୍ଜାତିକ କ୍ରିକେଟରେ ୨୦ ବର୍ଷ ପୂରଣ କରିଛନ୍ତି। ବୁଧବାର ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବା ସହ ଅଧିନାୟିକା ମିତାଲି ଏହି କୃତିତ୍ବ ହାସଲ କରିଛନ୍ତି। ୧୯୯୯ ଜୁନ୍ ୨୬ରେ ଆୟରଲାଣ୍ଡ ବିପକ୍ଷରେ ମିତାଲି ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଗତ ମାର୍ଚ୍ଚରୁ ମିତାଲି ଭାରତ ପାଇଁ କୌଣସି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ନଥିବାରୁ ସେ ଆନ୍ତର୍ଜାତିକ କ୍ରିକେଟରେ ୨୦ ବର୍ଷ ପୂରଣ କରିବାର ସୁଯୋଗ ପାଇନଥିଲେ। ଫଳରେ ବିଶ୍ବର ପ୍ରଥମ ମହିଳା କ୍ରିକେଟର ଭାବେ ୨ ଦଶନ୍ଧିରୁ ଅଧିକ ସମୟ ୩୭ ବର୍ଷ ବୟସ୍କା ମିତାଲି ଦିନିକିଆ କ୍ରିକେଟ ଖେଳୁଛନ୍ତି। ମିତାଲି ବିଶ୍ବରେ ସର୍ବାଧିକ ୨୦୪ଟି ମହିଳା ଦିନିକିଆ ମ୍ୟାଚ୍ ଖେଳିବାର ବିଶ୍ବରେକର୍ଡ ହାସଲ କରିଛନ୍ତି। ଇଂଲଣ୍ଡର ସାର୍ଲୋଟ ଏଡ୍‌ୱାର୍ଡସ ୧୯୧ଟି, ଭାରତର ଝୁଲଣ ଗୋସ୍ବାମୀ ୧୭୮ଟି ଓ ଅଷ୍ଟ୍ରେଲିଆର ଆଲେକ୍ସ ବ୍ଲାକ୍‌ୱେଲ ୧୪୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ମିତାଲି ଭାରତ ପାଇଁ ୧୦ଟି ଟେଷ୍ଟ ଓ ୮୯ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳିଛନ୍ତି। ମିତାଲି ଟ୍ବେଣ୍ଟି୨୦ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି। ମିତାଲି ୨୦୪ଟି ଦିନିକିଆରୁ ୭ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ସହ ୬୭୩୧ ରନ୍ ସ୍କୋର୍ କରିଛନ୍ତି। ପୁରୁଷ କ୍ରିକେଟରେ ଭାରତର ସଚିନ ତେନ୍ଦୁଲକର ସବୁଠାରୁ ଦୀର୍ଘ ସମୟ ୨୨ ବର୍ଷ ୯୧ ଦିନ ଆନ୍ତର୍ଜାତିକ କ୍ରିକେଟ ଖେଳିଛନ୍ତି। ଶ୍ରୀଲଙ୍କାର ସନତ ଜୟସୂରିୟା ୨୧ ବର୍ଷ ୧୮୪ ଦିନ ଓ ପାକିସ୍ତାନର ଜାଭେଦ୍ ମିଆଁଦାଦ୍ ୨୦ ବର୍ଷ ୨୭୨ ଦିନ ଆନ୍ତର୍ଜାତିକ କ୍ରିକେଟ ଖେଳିଛନ୍ତି। ଏହି କ୍ରମରେ ମିତାଲି ୪ର୍ଥ ସ୍ଥାନରେ ରହିଛନ୍ତି।

Comments are closed.